ସେଦିନ ଥିଲା ନଅ ତାରିଖ
ଶୀତ ସାଙ୍ଗକୁ କୁହୁଡିର ଆସ୍ତରଣ ପୁଣି ତା ସାଙ୍ଗକୁ ମେଘର ଆବରଣ ସହରଟିକୁ କେମିତି ଗୋଟେ ଧୂଆଁ ଧୂଆଁ କରି ରଖିଥିବା ସହରରେ ଲାଗୁଥିଲା ବର୍ଷା ଅଜାଡି ହୋଇପଡିବ ଯେମିତି. ଏମିତି ପାଗ ଦେଇଥିବା ଭିତରେ ସହର ପାଖ ବସ୍ତି ବାସିନ୍ଦାଙ୍କ ଭିତରେ ପ୍ରବଳ ଆଲୋଚନା ଚାଲିଥିଲା ସେଦିନ ଡିସେମ୍ବର ନଅ ତାରିଖ ଦିନ . ଅନାମକୁ କାଲି ରାତିରୁ ପୋଲିସ ବାନ୍ଧି ନେଇଛି.କାରଣ କଣ ସଠିକ ଜଣା ନପଡିଲେ ମଧ୍ୟ ବସ୍ତି ଉଛେଦକୁ ବିରୋଧ କରି ଅନାମ ରିକ୍ସାଵାଲା ଜେଲ ଯିବା ଘଟଣାରେ ଆଜି ବସ୍ତିରେ ବାସ କରୁଥିବା ଓକିଲ ବାବୁ ନରହରି ମିଶ୍ର, ହୋମିଓପାଥୀ ଡାକ୍ତର ନବଘନ ସାମନ୍ତରାଏ, ଅସ୍ଥାୟୀ କଲେଜ ଶିକ୍ଷକ ରମାପଦ ବଳିଆର ସିଂ ଇତ୍ୟାଦି ବସ୍ତିରେ ଥିବା ପାଞ୍ଚ ପଚିଶ ଜଣା ଶୁଣା ଲୋକଙ୍କ ସହ ବସ୍ତିର ହୁଣ୍ଡା ପିଟା ଯୁବକଦଳ ମଧ୍ୟ ସାମିଲ ହୋଇଛନ୍ତି. ତାଙ୍କ ଭିତରେ ପ୍ରବଳ ଆଲୋଚନା ତଥା ପରାମର୍ଶ ବିମର୍ଷ ଚାଲିଛି. ବସ୍ତି ବାସିନ୍ଦା ସମସ୍ତେ ଓଡ଼ିଆ ଲୋକ. ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରା ବୁଡ଼ିଯାଉଥିବା ବେଳେ ଏଇ ବସ୍ତି ବାସିନ୍ଦା ଏକଜୁଟ ହୋଇ ଗଣେଷ ପୂଜା, ସରସ୍ବତୀ ପୂଜା, ଦୁର୍ଗା ପୂଜା ଆଦି ବସ୍ତିରେ ମିଳିମିଶି କରି ଭାଇଚାରା ବଢ଼ାଇ ଚାଲିଛନ୍ତି. ଏଇ ବସ୍ତିରେ ମଣିଷ ହୋଇ ଆଜି କେତେ କାହାର ପୁଅ ଝିଅ ବଡ଼ ବଡ଼ ଉଚ୍ଚପଦସ୍ଥ ହୋଇ ଓଡିଶା ବାହାରେ ରହିଲେଣି. ଓଡିଶା ବାହାରେ ରହି ସେମାନେ ଓଡ଼ିଆ ଭାଷା ସାହିତ୍ୟକୁ ବିଶ୍ୱ ଦରବାରରେ ପହଞ୍ଚେଇବାକୁ ଆପ୍ରାଣ ଉଦ୍ୟମ ଜାରି କରିଚାଲିଛନ୍ତି. ପୁଣି ନିଜ ସହ ବିଦେଶୀ ପର୍ଯ୍ୟଟକ ଭାଇ ଭଉଣୀଙ୍କୁ ଧରି ବେଳେ ବେଳେ ବସ୍ତିକୁ ଆସି ନବଗ୍ରହ ପୂଜା, ନବରାତ୍ରୀର ଦୁର୍ଗାପୂଜା ଦେଖିବା ସହ ଅନାମ ରିକ୍ସାରେ ବସି କେତେ କୁଆଡେ ନଅ ଜାଗା ବୁଲି ଆସନ୍ତି. ଭୋଜି ଭାତରେ ସାମିଲ ହେଲାବେଳେ ନବରତ୍ନ ଖାଇବାକୁ ପସନ୍ଦ କରନ୍ତି ଓ ପଞ୍ଚାମୃତ ଭଳି ଭୋଗକୁ ଅମୃତ ଆକ୍ଷା ଦେଇ ଆମ ଓଡ଼ିଶାର ସଂସ୍କୃତି, କଳା, ସ୍ଥାପତ୍ୟ, ନଦୀ ହ୍ରଦର ଗୁଣଗାନ କରୁଥାନ୍ତି. ତେଣୁ ଏ ବସ୍ତି କେତେକାଂଶରେ ଓଡିଶାକୁ ଚିହ୍ନି ଚିହ୍ନେଇବାର ଦୃଷ୍ଟାନ୍ତ ରଖୁଥିଲା ବେଳେ ବସ୍ତିକୁ ନୋଟିସ ନଦେଇ ଧସେଇ ପଶିବା କୋଉ ନ୍ୟାୟରେ ଯାଏ! ବିଚରା ଅନାମ ରିକ୍ସା ଥୋଇ ଘରେ ଥିଲା ବୋଲି ସିନା. ତା ସ୍ତ୍ରୀ ମଧ୍ୟ କମ ସଂଘର୍ଷ କରିନାହିଁ. ସ୍ୱାମୀଙ୍କୁ ବାନ୍ଧି ନେଇଯାଉଥିବାରୁ ସେ ମଧ୍ୟ ପୋଲିସକୁ କାମୁଡି ଦେବାରୁ ସ୍ୱାମୀ ଅନାମ ସ୍ତ୍ରୀକୁ ଲଗେଇ ଡିଉଟିରେ ଥିବା ପୋଲିସକୁ ଆକ୍ରମଣ କରିଛି ବୋଲି ସଂଗୀନ ଦଫା ମଧ୍ୟ ଲଗେଇଛି ଖବରରେ ସମସ୍ତେ କହିଲେ ଚାଲ ଆଗେ ଅନାମ ସ୍ତ୍ରୀ ଠାରୁ ଘଟଣା କଣ ବୁଝି ଆସିବା କହି ବାନରସେନା ପରି ଯୁବକ ଦଳ ଅନାମ ଘର ମୁହାଁ ଚାଲିଲେ. କେତେ କେତେ ନାରାବାଜିରେ ସହର ଫାଟି ପଡୁଥିଲା ଯେମିତି.
ନଖାଇ ନପିଇ ଅନାମ ସ୍ତ୍ରୀ ଶାନ୍ତିଟା ପଡିଥିଲା ଘରେ. ବସ୍ତିର ମିଶ୍ରବାବୁଙ୍କୁ ଦେଖି ତା ଜୀଵନ ପଶିଲା ଯେମିତି. କାନ୍ଦି କାନ୍ଦି କହିଲା ଏଣିକି ଆପଣଙ୍କ ଘରେ ବାସନ ମାଜିବି ଓକିଲ ବାବୁ ଆଜ୍ଞା ମୋ ସ୍ୱାମିଟାକୁ ମୁକୁଳେଇ ଆଣିବା ବ୍ୟବସ୍ଥା କର. ଆଗେ କଥାଟା କଣ କହ. କଥା ଆଉ କଣ କହିବି ବାବୁ ସେହି ସାମ୍ବାଦିକ ମହାନ୍ତି ବାବୁର ଏସବୁ ଫିସାଦି. ମୋ ଉପରେ ତାର ନଜର. ତା ସ୍ତ୍ରୀ ମରିଯିବା ପରେ ତା ଘରେ କାମ ପାଇଟି କରିବାକୁ କିଛି ଦିନ ଯାଉଥିଲି ଯେ ବାବୁ ସେ ପରା ମୋ ଅସହାୟତାର ସୁଯୋଗ ନେଇ ମତେ ଖରାପ ଇଙ୍ଗିତ କରେ. ମୋ ସ୍ୱାମୀ ପାଠ ଶାଠ ପଢି ସୁନ୍ଦର ହୋଇ କି ଲାଭ ଯଦି ପଇସା ରୋଜଗାର କରିବା ଉପାୟ ନଜାଣି ରିକ୍ସା ଟାଣି ତତେ କି ସୁଖ ଦେବ ବରଂ ତୁ ଆମ ଘରେ ରହିଯା କହିବାରୁ ମୁଁ ଆଉ ତାଙ୍କ ଘର କାମକୁ ଯାଉନଥିଲି ତ ତାର ରାଗ. କାଲି ବସ୍ତିରେ କେହି ନଥିବା ବେଳେ ପୋଲିସ ଧରି ଆମ ଘରେ ହାଜର. ମତେ ଟଣା ଓଟରା କରି କହିଲା ତୋରି ଘରୁ ଆଜି ବସ୍ତି ଉଛେଦ କାମ ଆରମ୍ଭ ହେବ. ଯୋଗକୁ ଅନାମ ଘରେ ଥିଲା ବୋଲି ବାହାରିପଡିଲା ଓ କହିଲା ଏ ବସ୍ତିରେ ନବରତ୍ନ ଅଛନ୍ତି . ଓକିଲ, ଡାକ୍ତର, ଇଞ୍ଜିନିଅର, ଶିକ୍ଷକ, କଣ୍ଟ୍ରାକ୍ଟର, ସାମ୍ବାଦିକ, ପତ୍ରକାର, ସାହୁକାର, ଡ୍ରାଇଭର ଇତ୍ୟାଦି ନବରତ୍ନଙ୍କ ସହ ହଜାର ହଜାର ଶିକ୍ଷିତ ଯୁବକ ଅଛନ୍ତି. ସେମାନଙ୍କୁ ନଜଣେଇ ତୁମେ ଘର ଭାଙ୍ଗିବ କେମିତି? ଅନାମ ଏସବୁ କହୁଥିଲା ବେଳେ ପୋଲିସ ବାବୁ ସେହି ସାମ୍ବାଦିକ ମହାନ୍ତି ବାବୁ ସହ ମିଶି ମୋ ହାତ ଧରି ଟଣା ଓଟରା କରି ଚାଲ ଥାନାକୁ କହିବାରୁ ଓ ମୋ ସ୍ୱାମୀଙ୍କୁ ବିନା ଦୋଷରେ ବାଡେଇବାରୁ ମୁଁ କାମୁଡି ଦେଇଥିଲି ତା ହାତକୁ ଅନ୍ୟ ଉପାୟ ନପାଇ. ସେମାନେ ମୋ ସ୍ୱାମୀଙ୍କୁ ଭିଡି ନେଲେ ଥାନାକୁ. ମିଛ ସତ ଦଫା ଲଗେଇ ଅନାମକୁ ହାଜତରେ ପୁରେଇ ଦେଲେ. ମୁଁ ଏଣିକି ମିଶ୍ର ବାବୁ ଆପଣଙ୍କ ଘରେ ଯାବତୀୟ ପାଇଟି କରିବି ମୋ ସ୍ୱାମିଟାକୁ ମୁକୁଳେଇବାର ବାଟ କର ଆଜ୍ଞା. ଟୋକା ଦଳ କେତେ ନାରାବାଜି ଦେଇ ଥାନା ଆଡକୁ ମାଡି ଚାଲୁଥିଲା ବେଳେ ମିଶ୍ର ବାବୁ ବୁଝେଇଥିଲେ ଆରେ ଆଜି ସହରର ଅବସ୍ଥା କଣ ହୋଇଛି ଦେଖୁଛଟି? ଅପେକ୍ଷା କର କୋଉ ପାଣି କୁଆଡେ ଯାଉଛି ଦେଖି ଯାହା ଗୋଟେ ବ୍ୟବସ୍ଥା କରିବା.
ଫେରିଗଲା ବେଳେ ଶାନ୍ତି ତାଙ୍କ ଗୋଡ଼ତଳେ ପଡି ଖାଲିପଡିଥିବା ରିକ୍ସାକୁ ଦେଖେଇ କହୁଥିଲା ମୋ ମରଦକୁ ମୁକୁଳେଇବାର ବାଟ କର ବାବୁ.ତା ଖାଲି ରିକ୍ସା ଦେଖି ମୋ ମୁର୍ଦ୍ଧନା ଫାଟିଯାଉଛି. ଫେରିଯାଉ ଯାଉ ଓ ସମସ୍ତଙ୍କୁ ଫେରେଇ ନେଉ ନେଉ ଓକିଲ ମିଶ୍ର ବାବୁ କହୁଥିଲେ ତୁ ଆଗ କାଲିଠୁ ଆମ ଘର କାମକୁ ଆସେ ଦେଖିବା. ଯାହା ହେଲେ ଗୋଟେ ଉପାୟ କରିବା ସେ ମହାନ୍ତି ବାବୁଙ୍କୁ କହି. ଶାନ୍ତି ଠିକ ବୁଝିଥିଲା ଏ ମିଶ୍ରବାବୁଙ୍କୁ. ମହାନ୍ତି ବାବୁ ଛଅ ହେଲେ ଏ ପରା ନଅ. ବିକଳରେ ଶାନ୍ତି ରିକ୍ସାବାଲା ସଙ୍ଘର ସଭାପତି କେଦାର ମାଝୀ ଘରକୁ ଯିବା ପୂର୍ବରୁ ନାକଗୁଣାଟାକୁ ଯତ୍ନରେ କାନିରେ ନଅ ଗଣ୍ଠି ଦେଇ ରଖି ଚାଲୁଥିଲା ରାସ୍ତାରେ ତ ଅବଧାନ ଦେଖାହେଲେ ବାଟରେ. ସବୁ ଶୁଣି କହିଲେ ଆଜି ସହରରେ କଣ ହୋଇଛି ଜାଣିଛୁ ତ? ନଅରା଼ଷ୍ଟ୍ରର ନଅ ରାଷ୍ଟ୍ରପତି ଆସୁଛନ୍ତି ଆମ ଜଗନ୍ନାଥ ଦେଶକୁ. ଆଗକୁ ରାତି ପାହିଲେ ଦୁଇ ହଜାର ପଚିଶ ମସିହା ଆସୁଛି, ଯାହାର ସବୁ ଅଙ୍କ ଗଣିଲେ ସଂଖ୍ୟା ନଅ ହେବ.ନଅ ସଂଖ୍ୟା ଭାରି ଶୁଭ.ଦେଖିବୁ ତୋ ସ୍ୱାମୀ ଅନାମ ନିଶ୍ଚୟ ଫେରିଆସିବ କହି ହାତ ବଢ଼େଇ ନନା କହୁଥିଲେ ଦେଲୁ ଦେଲୁ ଦକ୍ଷିଣା କଣ ଅଛି ତୋ ପାଖେ ଆଜି ଅନୁକୂଳ ତୋରି ପାଖରୁ ହୋଇଯାଉ.ଶାନ୍ତି ଜଳଖିଆ ଖାଇବାକୁ ରଖିଥିବା ନଅ ଟଙ୍କାକୁ ଅବଧାନ ହାତରେ ଦେଇ ଧୂଆଁ ଧୂଆଁ ସହର ରାସ୍ତାରେ ଖୁବ ଜୋର ବର୍ଷାରେ ଆଗକୁ ବଢୁଥିଲା ଶାନ୍ତି.
ସୁନନ୍ଦା ମହାନ୍ତି
ସାକ୍ଷୀଗୋପାଳ
ପୁରୀ