ସେନା ନିଯୁକ୍ତି ରାଲି ନିମନ୍ତେ ପ୍ରସ୍ତୁତି ବୈଠକ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ଆସନ୍ତା ଅକ୍ଟୋବର ମାସ ୨୦ ତାରିଖରୁ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ଷ୍ଟାଡିୟମରେ ସେନା ନିଯୁକ୍ତି ରାଲି ଆରମ୍ଭ ହେବ । ଅକ୍ଟୋବର ୨୬ ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ । ଏହି ପରିପ୍ରେକ୍ଷୀରେ ଗୁରୁବାର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପୌରହିତ୍ୟରେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟର ୩୦ ଟି ଜିଲ୍ଲାରୁ ପ୍ରାୟ ୧୦ ରୁ ୧୫ ହଜାର ମଧ୍ୟରେ ପ୍ରାର୍ଥୀ ଅଶଂ ଗ୍ରହଣ କରିବାର ସମ୍ଭାବନା ରହିଛି । ସୈନ୍ୟ ସଂଗ୍ରହ ପ୍ରକ୍ରିୟା କିଭଳି ସୁରୁଖୁରରେ ପରିଚାଳନା ହେବ । କୌଣସି ଦଲାଲଙ୍କ ହାବୁଡରେ ଯୁବକମାନେ ଯେମିତି ନପଡିବେ ଏଥିପ୍ରତି ଗୁରୁତ୍ୱ ଦେବା ଓ ସଚେତନତା ସୃଷ୍ଟି ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଆଇନଶୃଙ୍ଖଳା ପରିସ୍ଥିତି, ସ୍ୱାସ୍ଥ୍ୟ, ପାନୀୟ ଜଳ, ପରିମଳ, ଅଗ୍ନି ନିରାପତ୍ତାକୁ ବି ଗୁରୁତ୍ୱ ଦିଆଯିବ । ଏନେଇ ସମସ୍ତ ଅଧିକାରୀଙ୍କୁ ନେଇ ପୁଣି ଏକ ବୈଠକ ଅନୁଷ୍ଠିତ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ସେଠୀ ଓ କବିନ୍ଦ୍ର କୁମାର ସାହୁ, ନିର୍ଦ୍ଦେଶକ ଆର୍ମି ରିକୁଟିଂ ଏସ୍.କେ.ଜୟସ୍ୱାଲ୍, ଆଞ୍ଚଳିକ ସହକାରୀ ନିୟୋଜନ ନିର୍ଦ୍ଦେଶକ ଦକ୍ଷିଣାଞ୍ଚଳ ଆର୍.ଏମ୍.ଖିଲାନା ପ୍ରମୁଖ ଉପସ୍ଥିତ ଥିଲେ ।