ସେନା ପାଳୁଛି ସ୍ୱର୍ଣ୍ଣିମ ବିଜୟ ଦିବସ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଭାରତୀୟ ସେନାର ଗର୍ବଗୌରବ ଇତିହାସ ସଦାସର୍ବଦା ଦେଶକୁ ଗର୍ବିତ କରିଛି । ସେନାଙ୍କ ବଳିଦାନ ଓ ତ୍ୟାଗ ସଂଗ୍ରାମର ପରାକାଷ୍ଠା ଭାରତ ପାଇଁ ସ୍ୱର୍ଣ୍ଣିମ ଅଧ୍ୟାୟ ହୋଇ ରହିଛି । ୧୯୭୧ ମସିହାରେ ପାକିସ୍ତାନ ବିରୁଦ୍ଧରେ ଭାରତୀୟ ସେନା ସଫଳାତାର ଯୁଦ୍ଧ ଦେଖି ଯେଉଁ ବିଜୟ ଇତିହାସ ସୃଷ୍ଟି କରିଛନ୍ତି, ତାହା ୫୦ ବର୍ଷ ପୂର୍ତ୍ତି ସେନା ପାଳନ କରୁଛି । ଏହି ଅବସରରେ ଭାରତୀୟ ସେନାର ଯୋଦ୍ଧାମାନଙ୍କୁ ସମ୍ମାନିତ କରିବା ପାଇଁ ବିଜୟ ମଶାଲ ବାହାର କରିଛି । ଏହି ବିଜୟ ସ୍ୱର୍ଣ୍ଣିମ ଇତିହାସରେ କର୍ଣ୍ଣେଲ ମହିପ୍ରତାପ ମହାନ୍ତିଙ୍କ ଦେଶପାଇଁ କର୍ତ୍ତବ୍ୟନିଷ୍ଠା ଓ ତ୍ୟାଗର ପରିଚୟ ଛାଡି ଯାଇଛନ୍ତି । ସ୍ୱର୍ଗତ ମହାନ୍ତିଙ୍କ ଦେଶଭକ୍ତି ଓ ଦେଶପ୍ରେମର ସମର୍ପିତ ସେବା ପାଇଁ ବିଜୟ ଦିବସ ଉପଲକ୍ଷେ ତାଙ୍କ ଭୁବନେଶ୍ୱରସ୍ଥିତ ବାସଭବନରେ ୧୨୦ ଇନଫାଣ୍ଟ୍ରି ବାଟାଲିୟନ ତରଫରୁ ବିଜୟ ମଶାଲ ଶୋଭାଯାତ୍ରା ପହଂଚି ଥିଲା । ଆଜି ଅପରାହ୍ନ ୩ ଘଟିକାରେ ଉଚ୍ଚପଦସ୍ଥ ସେନାଅଧିକାରୀ ଲେଡି ପି.ଏଲିୟାସ ନେତୃତ୍ୱରେ ବିଜୟ ମଶାଲ ସ୍ୱର୍ଗତ କର୍ଣ୍ଣେଲଙ୍କ ବାସଭବନରେ ପହଂଚି ଥିଲେ । କର୍ଣ୍ଣେଲ ମହିପ୍ରତାପ ମହାନ୍ତିଙ୍କ ଧର୍ମପତ୍ନୀ ବିଜୟଲକ୍ଷ୍ମୀଙ୍କୁ ସେନା ପକ୍ଷରୁ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଛି । ସମ୍ମାନୀତ ହେବାପରେ ତାଙ୍କ ଧମର୍ମପତ୍ନୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଦେଶର ନୂଆ ପିଢି ଦେଶ ପାଇଁ ସେବା କରିବାର ମନୋଭାବ ପୋଷଣ କରନ୍ତୁ । କର୍ଣ୍ଣେଲ ମହାନ୍ତି ୧୯୬୦ ମସିହାରେ ଭାରତୀୟ ସେନାରେ ଯୋଗଦେଇ ନିଜର ବୀରତ୍ୱର ପରାକାଷ୍ଠା ପ୍ରର୍ଶନ କରିଛନ୍ତି । ୧୯୬୨ ଚାଇନା ସହିତ ଭାରତର ଯୁଦ୍ଧ ଚାଲିଥିବାବେଳେ ଲଦାଖରେ ବହୁ ଦୁଃସାହସ ସହିତ ନିଜର କର୍ତ୍ତବ୍ୟ ସମ୍ପାଦନା କରିଥିଲେ । ୧୯୬୫ ମସିହାରେ ପାକିସ୍ତାନ ସହିତ ଯୁଦ୍ଧ ଚାଲିଥିବା ବେଳେ ପୂର୍ବ ପାକିସ୍ତାନ ସୀମାରେ ସିଙ୍ଘାର୍ଷି ରାଡର ଷ୍ଟେସନର ସୁରକ୍ଷା ଦାୟିତ୍ୱରେ କର୍ଣ୍ଣେଲ ମହିପ୍ରତାପ ମହାନ୍ତି ଥିଲେ । ସେତିକିରେ ସରିନାହିଁ ତାଙ୍କର ଦେଶମାତୃକା ପ୍ରତି ସେବା ଓ ସମର୍ପଣ । ୧୯୭୧ ମସିହାରେ ବାଂଲାଦେଶ ମୁକ୍ତି ଯୁଦ୍ଧ ବେଳେ ପାକିସ୍ତାନ ବିରୋଧରେ ଭାରତର ଲଢେଇରେ ମୁମ୍ବାଇଠାରେ ମିଲିଟାରୀ ଆସେଟର ସବୁ ଦାୟିତ୍ୱ ସେ ତୁଲାଉଥିଲେ ।