ସେପ୍ଟମ୍ବର ପହିଲାରୁ ଅଣ୍ଡାଦର ବୃଦ୍ଧି, ଚିନ୍ତାରେ ଅଙ୍ଗନୱାଡ଼ି କର୍ମୀ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ପୃଷ୍ଟିକର ଯୋଜନାରେ ଗର୍ଭବତୀ, ପ୍ରସୂତି, ୬ମାସରୁ ୩ବର୍ଷ ବୟସ ଶିଶୁ ସମେତ ୩ବର୍ଷରୁ ୬ବର୍ଷ ବୟସ ପର୍ଯ୍ୟନ୍ତ ପ୍ରାକ୍ ବିଦ୍ୟାଳୟ (ଅଙ୍ଗନୱାଡ଼ି) ଶିକ୍ଷାର୍ଥୀଙ୍କୁ ଅଣ୍ଡା ପ୍ରଦାନ କରାଯାଉଛି । ପ୍ରତ୍ୟେକ ୱାର୍ଡ଼ର ଅଙ୍ଗନୱାଡ଼ି କର୍ମୀ ମାନେ ବଜାରରୁ ଅଣ୍ଡା କିଣି ଯୋଗାଇ ଆସୁଛନ୍ତି । ଚଳିତ ସେପ୍ଟମ୍ବର ପହିଲାରୁ ଅଣ୍ଡା ଦରରେ ବୃଦ୍ଧି ଘଟିଛି । ଫାର୍ମରେ ଅଣ୍ଡା ପିଛା ଦର ୫ଟଙ୍କା ୯ପଇସା ରହିଛି । ବଜାର ଦର ଡ଼ଜନ ପିଛା ୭୦ ଟଙ୍କା ରହିଛି । ପ୍ରାକ୍ ଶିକ୍ଷାର୍ଥୀଙ୍କୁ ପୃଷ୍ଟିକର ଖାଦ୍ୟ ପ୍ରଦାନ ସକାଶେ ଦୈନିକ ୭ଟଙ୍କା ୭୦ ପଇସା ସରକାରଙ୍କ ପକ୍ଷରୁ ଅଙ୍ଗନୱାଡ଼ି କର୍ମୀଙ୍କୁ ପ୍ରଦାନ କରାଯାଉଛି । ସେଥିମଧ୍ୟରୁ କେବଳ ଗୋଟାଏ ଅଣ୍ଡା ପିଛା ପ୍ରାୟ ୫ ଟଙ୍କା ୮୦ପଇସା ଖର୍ଚ୍ଚ ହେଉଥିବା ବେଳେ ବଳକା ୧ଟଙ୍କା ୯୦ ପଇସାରେ ତେଲ, ଲୁଣ, ରାସନ, ଜଳଖିଆ ସାମଗ୍ରୀ ଅର୍ନ୍ତଭୁକ୍ତ ରହୁଥିବାରୁ ରୋଷେଇ କରି ପ୍ରଦାନ କରିବା ସମ୍ଭବପର ନୁହେଁ ବୋଲି ଅଙ୍ଗନୱାଡ଼ି କର୍ମୀ ମାନେ କହିଛନ୍ତି ।
କରୋନା ମହାମାରୀ ଓ ଲକଡ଼ାଉନ କଟକଣା ଯୋଗୁଁ ରାଜ୍ୟର ଶିକ୍ଷାନୁଷ୍ଠାନ ସମେତ ଅଙ୍ଗନୱାଡ଼ି କେନ୍ଦ୍ର ଗୁଡ଼ିକ ବନ୍ଦ ରହିଛି । ରାଜ୍ୟ ସରକାର ପରିପୂରକ ପୃଷ୍ଟିକର ଯୋଜନାରେ ସମସ୍ତ ହିତାଧିକାରୀଙ୍କ ଘରେ ଅଣ୍ଡା ସମେତ ରାସନ ସାମଗ୍ରୀ ଯୋଗାଇ ଦେବାକୁ ନିର୍ଦ୍ଦେଶନାମା ଜାରୀ କରିଛନ୍ତି । ଲକଡ଼ାଉନ ସମୟରେ ଅଣ୍ଡା ଯୋଗାଣ ବାଧାପ୍ରାପ୍ତ ହୋଇଥିଲା । ଅଣ୍ଡା ଯୋଗାଣର ସୁବ୍ୟବସ୍ଥା ଲାଗି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପାଇଲଟ ପ୍ରକଳ୍ପ ଭାବେ ସ୍ୱଂୟ ସହାୟିକା ଗୋଷ୍ଠୀକୁ ପ୍ରତ୍ୟେକ ଅଙ୍ଗନୱାଡ଼ି କେନ୍ଦ୍ରରେ ଅଣ୍ଡା ଯୋଗାଣ ସକାଶେ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଅଣ୍ଡା ପିଛା ଦର ୪ଟଙ୍କା ୯୦ ପଇସା ହିସାବରେ ବର୍ଷତମାମ ଅଣ୍ଡା ଯୋଗାଣ କରିବାକୁ ନିର୍ଦ୍ଦେଶ ରହିଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ପ୍ରାକ୍ ଶିକ୍ଷାର୍ଥୀଙ୍କୁ ଦୈନିକ ୭ଟଙ୍କା ୭୦ ପଇସା ପ୍ରଦାନ କରାଯାଉଥିବା ବେଳେ ଅଣ୍ଡାକୁ ବାଦ୍ ଦେଲେ ବଳକା ୨ ଟଙ୍କା ୮୦ ପଇସାରେ ତେଲ, ଲୁଣ, ରାସନ, ଜଳଖିଆ ସାମଗ୍ରୀ ଅର୍ନ୍ତଭୁକ୍ତ ରହୁଥିବାରୁ ରୋଷେଇ କରି ପ୍ରଦାନ କରିବା ସମ୍ଭବପର ନୁହେଁ ବୋଲି ଅଙ୍ଗନୱାଡ଼ି କର୍ମୀ ମାନେ କହିବା ସହ ସମ୍ପୁର୍ଣ୍ଣ ଦାୟିତ୍ୱ ସ୍ୱଂୟ ସହାୟିକା ଗୋଷ୍ଠୀ କିମ୍ବା ଅଙ୍ଗନୱାଡ଼ି କର୍ମୀଙ୍କୁ ପ୍ରଦାନ କରାଯାଉ ଦାବି ଜଣାଇ ଆନ୍ଦୋଳନ କରିଥିଲେ । ପରିଶେଷରେ ସରକାର ସମସ୍ତ ଦାୟିତ୍ୱ ଅଙ୍ଗନୱାଡ଼ି କର୍ମୀଙ୍କୁ ପ୍ରଦାନ କରିଥିଲେ । ସପ୍ତାହର ପ୍ରତି ସୋମବାର ଅଣ୍ଡା ପ୍ରଦାନ କରିବା ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି । ବର୍ତମାନ ସମୟରେ ଅଣ୍ଡା ଦର ଏତେ ପରିମାଣରେ ବୃଦ୍ଧି ପାଇଛି ଯେ, ଅଙ୍ଗନୱାଡ଼ି କର୍ମୀ ମାନେ ହିତାଧିକାରୀଙ୍କୁ କିଭଳି ଅଣ୍ଡା ଯୋଗାଇବେ, ସେ ନେଇ ଚିନ୍ତାରେ ପଡ଼ିଛନ୍ତି । ଅନ୍ୟପକ୍ଷରେ କିଛି ଅଙ୍ଗନୱାଡ଼ି କେନ୍ଦ୍ରରେ ପ୍ରାକ୍ ଶିକ୍ଷାର୍ଥୀଙ୍କୁ ଆବଶ୍ୟକ ଅଣ୍ଡା ପ୍ରଦାନ କରାଯାଉନଥିବା ନେଇ ଅଭିଯୋଗ ଉଠିଛି । ପ୍ରକାଶ ଥାଉକି, ହିଞ୍ଜିଳିକାଟୁ ବ୍ଳକରେ ୨୧ଟି ପଂଚାୟତରେ ୨୧୩ ଟି କେନ୍ଦ୍ରରେ ଓ ପୌରାଂଚଳର ୨୧ଟି ୱାର୍ଡ଼ରେ ୨୭ଟି କେନ୍ଦ୍ର ରହିଛି । ସ୍ଥାନୀୟ ବ୍ଳକ ଓ ପୌରାଂଚଳରେ ୧୬୧୩ ଜଣ ଗର୍ଭବତୀ, ୧୯୧୯ ପ୍ରସୂତୀ, ୬ମାସ ରୁ ୩ ବର୍ଷ ବୟସ ମଧ୍ୟରେ ୮୧୦୧ ଓ ୭୮୬୧ ପ୍ରାକ୍ ଶିକ୍ଷାର୍ଥୀଙ୍କୁ ପୃଷ୍ଟିକର ଖାଦ୍ୟ ଯୋଜନାରେ ଅର୍ନ୍ତଭୁକ୍ତ କରାଯାଇଥିବା ସମ୍ମନିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଶୁଭଶ୍ରୀ ପାତ୍ରଙ୍କ ଠାରୁ ସୂଚନା ମିଳିଛି । କିଛି ଅଙ୍ଗନୱାଡ଼ି କର୍ମୀଙ୍କୁ ଏ ନେଇ ପଚାରିବାରୁ କହିଛନ୍ତି ଅଣ୍ଡା ଦର ହ୍ରାସ ଥିବା ସମୟରେ କିଛି କହୁନାହୁଁ , ଦର ବୃଦ୍ଧି ଘଟିଲେ ପାଟି ଖୋଲିବା ଠିକ ନୁହେଁ ବୋଲି କହୁଥିବା ବେଳେ ଅନ୍ୟକିଛି ଅଙ୍ଗନୱାଡ଼ି କର୍ମୀ ଅଣ୍ଡା ଦର ବୃଦ୍ଧି ହୋଇଥିବାରୁ ବହୁତ ବାଧୁଛି ବୋଲି କହିଛନ୍ତି ।