ସେବା ସ୍ଥାନରେ ନେବା
ଦିପ୍ତିମୟୀ ନାୟକ
ଯେପର୍ଯ୍ୟନ୍ତ ସେବା ସ୍ଥାନରେ ନେବା ମନୋବୃତ୍ତି ରହିବ ସେପର୍ଯ୍ୟନ୍ତ କେହିବି ପ୍ରକୃତ ସେବା କରିପାରିବେ ନାହିଁ | କାରଣ ସେବାରେ ଦେବା ହୋଇଥାଏ କିନ୍ତୁ ବର୍ତ୍ତମାନ ସେବା ସ୍ଥାନରେ ନେବା ହୋଇଛି | ଏବେ ଯିଏ ଯେମିତି ଚାହିଁଲା ସେମିତି ନେଲା | କିଏ ପ୍ରକୃତ ସମାଜସେବା କରି ସମ୍ମାନ ପାଇଲା ତ ଆଉ କିଏ ସେବା ନକରି ନେବା ମନୋବୃତ୍ତି ରଖି କିଛିଟା ଅର୍ଥ ଦେଇ ପୁରସ୍କାର, ଉପଢୌକନ, ପ୍ରଶସ୍ତି ଓ ସମ୍ବର୍ଦ୍ଧନା ପାଇଲା | ତେବେ ଏଥିରେ କଣ ଶାନ୍ତି ଥାଏ ନା ଏମାନଙ୍କୁ ପ୍ରକୃତ ସମାଜସେବୀ କୁହାଯାଏ | ଆଜିବି ଅନେକ ସମାଜସେବୀ ଅଛନ୍ତି ଯେଉଁମାନେ ନେବା ଜାଣନ୍ତିନି କିନ୍ତୁ ଦେଇ ଚାଲନ୍ତି | ସେଥିପାଇଁ ବୋଧେ ଏମାନେ ଆଜିର ଗଣମାଧ୍ୟମ ଠାରୁ ଅନେକ ଦୂରରେ ଅଛନ୍ତି | ଏହି ଗଣମାଧ୍ୟମରେ ଅନେକ ଖବର କେତେବେଳେ ଲୁଚିଯାଏ ଆଉ କେତେବେଳେ ଲୋକଲୋଚନକୁ ଆସିଯାଏ | କେତେବେଳେ ପ୍ରକୃତ ସମାଜସେବୀ ସମାଜ ଆଗରେ ପ୍ରଶଂସା ପାଏ ତ ଆଉ କିଏ ବିନା ସମାଜ ସେବାରେ ବାଃ ବାଃ ମୁଣ୍ଡେଇ ବୁଲୁଥାଏ | ଆଉ ଏହିମାନେ ହିଁ ଆଜିର ଦିନରେ ସବୁଠାରୁ ବଡ଼ ବଡ଼ କୁହା ମୁଣ୍ଡା କପିଳା ଅର୍ଥାତ ଯାହାଙ୍କର ଅବଦାନ ସମାଜ ପାଇଁ କିଛି ନଥାଏ ଏହି ସମାଜ ମଧ୍ୟ ସେମାନଙ୍କୁ ସମ୍ବର୍ଦ୍ଧନା କରିବାକୁ ଅନାଇବସିଥାଏ | କିନ୍ତୁ କାହିଁକି ଯେଉଁମାନେ ପ୍ରକୃତ ସମାଜସେବୀ ସେମାନଙ୍କୁ କାହିଁକି ଅନେକ ସମୟରେ ଗୁରୁତ୍ୱ ଦିଆଯାଏନି | ବରଂ ଆଜିର ଦିନରେ ଯାହା ପାଖରେ ଅର୍ଥ ପୁଳା ପୁଳା ସେହି ପ୍ରକୃତ ସମାଜସେବୀ | ଯେଉଁମାନେ ଲୋକଙ୍କ ସୁଖରେ ଦୁଃଖରେ ପାଖରେ ନଥିବେ ସେହିମାନେ କେମିତି ଜଣେ ଜଣେ ବଡ଼ ସମାଜସେବୀ ହେଲେ ତାହା ଆଜିର ଦିନରେ ସବୁଠାରୁ ବଡ଼ ପ୍ରଶ୍ନ | ବଡ଼ ବଡ଼ ତର୍କ ବିତର୍କରେ ମଧ୍ୟ ଜଣେ ପ୍ରକୃତ ସମାଜସେବୀଙ୍କୁ ଖୋଜାଯାଏନି କିନ୍ତୁ ଯେଉଁମାନେ ଚହଟ ଚିକ୍କଣ ଭିତର ଫମ୍ପା ସେହିମାନଙ୍କୁ ନେଇ ବିଭିନ୍ନ ଆଲୋଚନା ହୁଏ | ଯଦି ପ୍ରକୃତ ସମାଜସେବୀ ମାନଙ୍କୁ ସେହି ତର୍କ ବିତର୍କରେ ଆଲୋଚନା କରାଯିବାକୁ ଡକାଯାଆନ୍ତା ହୁଏତ ଅନେକ ଲୋକଙ୍କର ଅନେକ ସମସ୍ୟା ଦୂର ହୋଇପାରନ୍ତା | କିନ୍ତୁ ନା ଏସବୁ କେବଳ କହିବା କଥା ନିଜ ଅନୁଭୂତି ଟିକେ ବାଣ୍ଟିବା କଥା | ନଚେତ ଆଜିର ଦିନରେ କାହିଁ ସେ ସେବା ମନୋବୃତ୍ତି କେବଳ ନେବା ମନୋବୃତ୍ତି ରହିଛି | ପୁରସ୍କାର ପାଇଁ ପ୍ରତିଯୋଗିତା ମୂଳକ ଅନେକ ସମାଜସେବୀଙ୍କ ମଧ୍ୟରେ ଲଢେଇ ଚାଲିଛି | ଆଉ ଏହି ଲଢେଇ ଭିତରେ ପ୍ରକୃତ ସମାଜସେବୀ ମାନେ ଲୋକଙ୍କ ସେବାକୁ ମାଧବ ସେବା କହି ଆଗେଇ ଚାଲୁଛନ୍ତି |ନିଜକୁ ପ୍ରକୃତ ସମାଜସେବୀ କହିବା ଆଳରେ ଗର୍ବ, ଅହଂକାର ଭର୍ତ୍ତି ହୋଇରହିଛି | କିଏ କାହାକୁ ଧରା ଧରି କରି ନିଜ ପଦ ପାଇବାକୁ ଚେଷ୍ଟା କରୁଛି ତ ଆଉ କିଏ ପୁଣି ମୋଟା ଅଙ୍କର ଅର୍ଥ ଦେଇ ସମ୍ମାନ ଟିକକ ପାଇବାକୁ ଚାହୁଁଛି | ହେଲେ ସେମାନେ କାହିଁକି ଭୁଲିଯାଉଛନ୍ତି କୌଣସି ସମାଜସେବୀ ସମ୍ବର୍ଦ୍ଧନା ପଛରେ ଧାଏଁ ନାହିଁ ବରଂ ସମ୍ବର୍ଦ୍ଧନା ଓ ଉପଢୌକନ ସେମାନଙ୍କ ପଛରେ ଧାଇଁଥାଏ | କାରଣ ସେବା ମାଧ୍ୟମରେ ଅନେକ ଅସାଧ୍ୟ କାର୍ଯ୍ୟ ସାଧ୍ୟ ହୋଇଥାଏ | ଆଉ ଏହି ସେବା ହିଁ ପରମ ଧର୍ମ ହୋଇଥାଏ | ଏବଂ ଗୋଟେ ସମ୍ବେଦନଶୀଳ ଆତ୍ମା ହିଁ ଅନ୍ୟ ମାନଙ୍କର ଆତ୍ମାକଥା ବୁଝିପାରନ୍ତି | ଅନ୍ୟର ଯନ୍ତ୍ରଣାକୁ ନିଜ ଯନ୍ତ୍ରଣା ଭାବି ଲୋକଙ୍କୁ ସେହି ଯନ୍ତ୍ରଣା ଭିତରୁ ମୁକ୍ତି ଦେବାପାଇଁ ସବୁବେଳେ ଚେଷ୍ଟା ଜାରି ରଖିଥାନ୍ତି |କିନ୍ତୁ ନା ଏବେ ପ୍ରତିଯୋଗିତା ମୂଳକ ସମାଜସେବୀଙ୍କ ସଂଖ୍ୟା ବୃଦ୍ଧି ପାଇଛି | ଯାହାଫଳରେ ପ୍ରକୃତ ସମାଜସେବୀଙ୍କ ସଂଖ୍ୟା ହ୍ରାସ ପାଇଛି | ଯେଉଁଠି ଯେଉଁଠି ସମାଜସେବୀଙ୍କ ସଂଖ୍ୟା ବୃଦ୍ଧି ପାଇଛି ସେଠି କେବଳ ଲୋକଦେଖାଣିଆ କାର୍ଯ୍ୟ ପାଇଁ ନିଜକୁ ଜଣେ ଜଣେ ମହାନ ସମାଜସେବୀ ଭାବରେ ଆଖ୍ୟା ଦିଆଯାଉଛି | ଯେତେବେଳେ ସେବକଥା ଉଠେ ସେତେବେଳେ ନେବା ହିଁ ପ୍ରତିଯୋଗିତା ମୂଳକ ହୋଇଥାଏ | କାରଣ ଏହି ସେବା ନାଁ ନେଇ ନେବାକୁ ତ ଅନେକ ସମାଜସେବୀ ଚାହିଁ ରହିଥାନ୍ତି | ରାତି ପାହିଲେ ଟିଭି ପରଦା ଠାରୁ ଆରମ୍ଭ କରି ସୋସିଆଲ ମିଡିଆ ପର୍ଯ୍ୟନ୍ତ ସେବାପାଇଁ ଅନେକ ସମାଜସେବୀ ଚର୍ଚ୍ଚାରେ ଅଛନ୍ତି | କିନ୍ତୁ ଯେତେବେଳେ ଆମେମାନେ ସେହି ସମାଜସେବୀ ମାନଙ୍କୁ ଦେଖୁ ସେତେବେଳେ ମନକୁ ଏକଥା ମଧ୍ୟ ଆସେ କାଇଁ ଏମାନଙ୍କୁ ତ ଅନେକ କୌଣସି କାର୍ଯ୍ୟରେ ଦେଖିନୁ | ଏମାନେ କେଉଁ ସେବା କଲେ ଯେ ଶେଷରେ ଆଲୋଚନା ଚକ୍ରରେ ବସି ଏତେ ଲମ୍ବା ଲମ୍ବା ଭାଷଣ ଦେଲେ | କାରଣ ଆପଣମାନେ ମଧ୍ୟ ଦେଖିଥିବେ ଯେଉଁମାନଙ୍କର ସମାଜପ୍ରତି କୌଣସି ଅବଦାନ ନଥାଏ ସେହିମାନେ ହିଁ ଆଜିର ଦିନରେ ବହୁତ ବଡ଼ ବଡ଼ ସମାଜସେବୀ କିନ୍ତୁ ଯେଉଁମାନେ ପ୍ରକୃତରେ ନିଜକୁ ସମାଜସେବାରେ ନିୟୋଜିତ କରିଦେଇଛନ୍ତି ତାଙ୍କୁ କାହିଁକି ଏ ସମାଜର ଲୋକମାନେ ଅଣଦେଖା କରନ୍ତି | ଯେତେବେଳେ ସେବା ସମ୍ମାନ କଥା ଆସେ ସେତେବେଳେ ପ୍ରକୃତ ସମାଜସେବୀ ବହୁତ ପଛରେ ଥିବେ କିନ୍ତୁ ଯେଉଁମାନେ ନେବା ମନୋବୃତ୍ତି ମନରେ ରଖିଥିବେ ସେମାନେ ସବୁଠି ଆଗରେ ଥିବେ ତେବେ ଯାହାକୁ ନାହିଁ ତାକୁ ନୁହେଁ ବରଂ ଯିଏ ପ୍ରକୃତ ସମାଜସେବୀ ସେହିମାନଙ୍କୁ ନେଇ କିଛି ଆଲୋଚନା କରନ୍ତୁ ଲୋକଙ୍କର ସମସ୍ୟା ଦୂର ହେବା ସହ ସମାଜର ମଙ୍ଗଳ ହେବ | ଆଉ ଯେଉଁଠି ସମ୍ମାନ କଥା ଉଠେ ସେଠି ଯାହାକୁ ନାହିଁ ତାକୁ ନୁହେଁ ପ୍ରକୃତ ସମାଜସେବୀ ମାନଙ୍କୁ ସମ୍ବର୍ଦ୍ଧନା କରନ୍ତୁ | କାରଣ ଏହି ସମ୍ବର୍ଦ୍ଧନା ଆଗକୁ ବଢିବାର ପ୍ରେରଣା ଯୋଗାଇ ଦେଇଥାଏ | ତେବେ ନା ଅର୍ଥ ବଳରେ ନା କୌଣସି ପ୍ରତିଯୋଗିତା ଭାବରେ ସମ୍ମାନୀତ ତାକୁ କରନ୍ତୁ ଯିଏ ପ୍ରକୃତ ସମାଜସେବୀ ହୋଇଥିବେ | ଯାହାଙ୍କର ଅବଦାନ ପାଇଁ କେବଳ ଗୋଟେ ପରିବାର ମୁହଁରେ ନୁହେଁ ଅନେକ ପରିବାରଙ୍କ ମୁହଁରେ ହସ ଫୁଟି ଆସୁଥିବ ସେହିଭଳି ସମାଜସେବୀଙ୍କୁ ସମ୍ମାନୀତ କରନ୍ତୁ ଏବଂ ସେବା ସ୍ଥାନରେ ନେବାକୁ ସବୁବେଳ ପାଇଁ ହଟାଇ ଦିଅନ୍ତୁ | କାରଣ ନେବାରେ ଶାନ୍ତି ନଥାଏ ଦେବାରେ ଶାନ୍ତି ଥାଏ |
ଯୁବ ସାମ୍ବାଦିକା
ଦିପ୍ତିମୟୀ ନାୟକ
ଭୁବନେଶ୍ୱର