ସେଲିବ୍ରିଟିଙ୍କ ଅଧୁରା ପ୍ରେମ କାହାଣୀ

ଫେବ୍ରୁଆରୀ ମାସକୁ ପ୍ରେମର ମାସ ବୋଲି କୁହାଯାଏ। ପ୍ରେମୀ ଯୁଗଳ ସପ୍ତାହ ବ୍ୟାପୀ ଭାଲେଣ୍ଟାଇନ୍‌ ୱିକ୍‌ ପାଳନ କରିବା ପରେ ଫେବ୍ରୁଆରୀ ୧୪କୁ ଭାଲେଣ୍ଟାଇନ୍‌ ଡେ’ ଭାବେ ପାଳନ କରନ୍ତି। ତେବେ ବଲିଉଡ୍‌ରେ ଏଭଳି କେତେକ ପ୍ରେମ କାହାଣୀ ରହିଛି, ଯାହାକୁ ନେଇ ବହୁତ ଚର୍ଚ୍ଚା ତ ହୋଇଥିଲା, କିନ୍ତୁ ଏସବୁ ଅଧୁରା ରହିଯାଇଥିଲା। ଫିଲ୍ମ ଇଣ୍ଡଷ୍ଟ୍ରୀରେ ଅନେକ ଅନ୍‌ସ୍କ୍ରିନ୍‌ ଯୋଡ଼ି ଲୋକଙ୍କ ହୃଦୟରେ ସବୁବେଳ ପାଇଁ ରହିଯାଇଥାନ୍ତି। ସେହିପରି ଅଫ୍‌ ସ୍କ୍ରିନ୍‌ ଯୋଡ଼ଙ୍କୁ ମଧ୍ୟ ଲୋକେ ମନେ ରଖିଥାନ୍ତି। କାରଣ ସେମାନଙ୍କ ଅଫ୍‌ସ୍କ୍ରିନ୍‌ କେମେଷ୍ଟ୍ରୀର କୌଣସି ଜବାବ ନ ଥାଏ। କିନ୍ତୁ ଏସବୁ ମଧ୍ୟରେ ପ୍ରେମର ଏପରି କିଛି କାହାଣୀ ମଧ୍ୟ ରହିଛି, ଯାହାକୁ ନେଇ ଚର୍ଚ୍ଚା ତ ଜୋର୍‌ ଧରିଥିଲା, କିନ୍ତୁ ଅନ୍ତ ବହୁତ ଅଲଗା ହୋଇଥିଲା। ପ୍ରେମରେ ପଡ଼ିଥିବା ଏପରି କେତେକ ଯୋଡ଼ିଙ୍କ ପ୍ରେମ ବିଷୟରେ ଉଦାହରଣ ତ ଦିଆଯାଉଥିଲା, କିନ୍ତୁ ସେମାନଙ୍କ ପ୍ରେମ କାହାଣୀ ଅଧୁରା ରହିଯାଇଥିଲା। ଚାଲନ୍ତୁ ଜାଣିବା ଏଭଳି କେତେକ ସେଲିବ୍ରିଟିଙ୍କ ଅଧୁରା ପ୍ରେମ କାହାଣୀ ସମ୍ପର୍କରେ, ଯାହା କି ଅଧୁରା ରହି ମଧ୍ୟ ଅମର ହୋଇଯାଇଛି।
ଅମିତାଭ ବଚ୍ଚନ ଓ ରେଖା
ଅମିତାଭ ବଚ୍ଚନ ଓ ରେଖାଙ୍କ ଯୋଡ଼ିଙ୍କୁ ସିଲ୍‌ଭର ସ୍କ୍ରିନ୍‌ରେ ଶ୍ରେଷ୍ଠ ଯୋଡ଼ି ବୋଲି କୁହାଯାଉଥିଲା। ଏହି ଯୋଡ଼ିକୁ ପସନ୍ଦ କରୁଥିବା ପ୍ରଶଂସକଙ୍କ ସଂଖ୍ୟା ଏବେ ବି କମ୍‌ ନାହିଁ। ଏବେ ବି ଦର୍ଶକ ସେମାନଙ୍କୁ ସିଲ୍‌ଭର ସ୍କ୍ରିନ୍‌ରେ ଏକାଠି ଦେଖିବାକୁ ପସନ୍ଦ କରୁଛନ୍ତି। କିନ୍ତୁ ଅବଶୋଷର କଥା ହେଉଛି ହୁଏତ ଏବେ ଆଉ ସମ୍ଭବ ନୁହେଁ। କାରଣ ଉଭୟଙ୍କ ରାସ୍ତା ବହୁତ ପୂର୍ବରୁ ଅଲଗା ହୋଇସାରିଛି। ଅମିତାଭ ଓ ରେଖାଙ୍କ ମଧ୍ୟରେ ପ୍ରେମ କାହାଣୀର ଆରମ୍ଭ ‘ସିଲ୍‌ସିଲା’ ସିନେମାରୁ ଆରମ୍ଭ ହୋଇଥିଲା। କିନ୍ତୁ ସମୟ ବିତିବା ସହିତ ଏମାନଙ୍କ ପ୍ରେମ ସମ୍ପର୍କ ଖରାପ ହୋଇଯାଇଥିଲା। ଅମିତାଭ ଜୟା ବଚ୍ଚନଙ୍କୁ ବିବାହ କରିଥିଲେ। ରେଖାଙ୍କ ସହିତ ତାଙ୍କ ପ୍ରେମ ଅଧୁରା ରହି ଯାଇଥିଲା।
ରାଜ କପୁର ଓ ନର୍ଗିସ
ରାଜ କପୁର ଓ ନର୍ଗିସଙ୍କ ସମ୍ପର୍କରେ କୁହାଯାଇପାରେ ଯେ ଉଭୟଙ୍କ କେମେଷ୍ଟ୍ରୀ ଅନ୍‌ସ୍କ୍ରିନ୍‌ରେ ଯେତିକି ସୁନ୍ଦର ଲାଗୁଥିଲା, ଅଫ୍‌ସ୍କ୍ରିନ୍‌ରେ ମଧ୍ୟ ସେତିକି ଭଲ ଥିଲା। ଏହାସତ୍ତ୍ବେ ଉଭୟଙ୍କ ପ୍ରେମ ଅସଲ ଜୀବନରେ ସଫଳ ହୋଇପାରି ନ ଥିଲା। କାରଣ ରାଜ କପୁର ପୂର୍ବରୁ ବିବାହିତ ଥିଲେ। ଏହାପରେ ‘ମଦର ଇଣ୍ଡିଆ’ ଫିଲ୍ମର ଶୁଟିଂ ସମୟରେ ନର୍ଗିସଙ୍କର ସୁନୀଲ ଦତ୍ତଙ୍କ ସହ ପ୍ରେମ ହୋଇଯାଇଥିଲା ଓ ଉଭୟେ ବିବାହ କରିଥିଲେ। ଯଦିଓ ଏହି ଫିଲ୍ମରେ ସୁନୀଲ ଦତ୍ତଙ୍କ ମା’ ଚରିତ୍ରରେ ନର୍ଗିସ ଅଭିନୟ କରିଥିଲେ।
ଗୁରୁ ଦତ୍ତ ଓ ୱହୀଦା ରହମାନ
ଅଭିନେତା ଗୁରୁ ଦତ୍ତ ଓ ୱହୀଦା ରହମାନଙ୍କ ପ୍ରେମ କାହାଣୀର ଅନ୍ତ ବହୁତ ଟ୍ରାଜିକ୍‌ ଥିଲା। ଭୁଲ୍‌ ବୁଝାମଣା କାରଣରୁ ସେମାନଙ୍କ ପ୍ରେମ କାହାଣୀର ଅନ୍ତ ହୋଇଥିଲା। ଉଭୟଙ୍କ ମଧ୍ୟରେ ପ୍ରେମ ବହୁତ ଥିଲା। ଗୁରୁ ଦତ୍ତ ପାଗଳଙ୍କ ଭଳି ୱହୀଦାଙ୍କୁ ପସନ୍ଦ କରୁଥିଲେ ଓ ୱହୀଦା ମଧ୍ୟ ଗୁରୁଙ୍କ ପ୍ରେମରେ ଦିୱାନୀ ଥିଲେ। କିନ୍ତୁ ଏପରି କେତେକ ଘଟଣା ଘଟିଥିଲା, ଯେଉଁଥିରେ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା ଓ ସମ୍ପର୍କର ଅନ୍ତ ମଧ୍ୟ ହୋଇ ଯାଇଥିଲା।
ସଲମାନ ଓ ଐଶ୍ବର୍ଯ୍ୟା
ସଲମାନ ଖାନ ଓ ଐଶ୍ବର୍ଯ୍ୟା ରାୟଙ୍କ ନାମ ଏହି ତାଲିକାରେ ସବୁଠାରୁ ଟ୍ରେଣ୍ଡିଂ ଅଟେ। ସଞ୍ଜୟ ଲୀଲା ଭନ୍‌ସାଲୀଙ୍କ ଫିଲ୍ମ ‘ହମ୍‌ ଦିଲ୍‌ ଦେ ଚୁକେ ସନମ୍‌’ ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଯାଇଥିଲା। କିନ୍ତୁ ଏହି ଯୋଡ଼ି ବେଶୀ ଦିନ ଯାଏ ତିଷ୍ଠି ନ ଥିଲା। ସଲମାନ ମଦ ନିଶାରେ ତାଙ୍କ ସହ ଖରାପ ବ୍ୟବହାର କରିଥିବା ଐଶ୍ବର୍ଯ୍ୟା ଅଭିଯୋଗ କରି ତାଙ୍କଠାରୁ ଦୂରେଇ ଯାଇଥିଲେ।
ସଞ୍ଜୟ ଦତ୍ତ ଓ ମାଧୁରୀ ଦୀକ୍ଷିତ
ଏପରି ଏକ ସମୟ ଥିଲା ଯେତେବେଳେ ସଞ୍ଜୟ ଦତ୍ତ ଓ ମାଧୁରୀ ଦୀକ୍ଷିତଙ୍କ ପ୍ରେମ କାହାଣୀ ଚର୍ଚ୍ଚାର ଶୀର୍ଷରେ ଥିଲା। କିନ୍ତୁ ସଞ୍ଜୟ ଦତ୍ତଙ୍କ ବ୍ୟକ୍ତିଗତ ଜୀବନ ଉଭୟଙ୍କ ପ୍ରେମ ସମ୍ପର୍କ ଭିତରେ ଆସି ଯାଇଥିଲା। କାରଣ ସଞ୍ଜୟ ପୂର୍ବରୁ ବିବାହିତ ଥିଲେ ଓ ତାଙ୍କର ଜଣେ ଝିଅ ମଧ୍ୟ ଥିଲେ। ତେଣୁ ସଞ୍ଜୟଙ୍କୁ ବିବାହ କରିବା ଲାଗି ମାଧୁରୀ ରାଜି ହୋଇ ନ ଥିଲେ ଓ ଉଭୟଙ୍କ କାହାଣୀ ଅଧୁରା ରହି ଯାଇଥିଲା।
ସନ୍ନି ଦେଓଲ ଓ ଡିମ୍ପଲ କପାଡିଆ
ସନ୍ନି ଦେଓଲ ଓ ଡିମ୍ପଲ କପାଡ଼ିଆଙ୍କ ପ୍ରେମ କାହାଣୀ ମଧ୍ୟ ନିଆରା ଥିଲା। ଉଭୟଙ୍କ ଅନ୍‌ସ୍କ୍ରିନ୍‌ ଯୋଡ଼ି ଭଳି ଅଫ୍‌ ସ୍କ୍ରିନ୍‌ ଯୋଡ଼ି ବି ବହୁତ ହିଟ୍‌ ଥିଲା। କିନ୍ତୁ ସନ୍ନି ଦେଓଲ ପୂର୍ବରୁ ବିବାହିତ ଥିଲେ। ପରିବାର କାରଣରୁ ସନ୍ନି ଦେଓଲ କେବେ ବି ଏହି ସମ୍ପର୍କ ପାଇଁ ହଁ କରି ପାରି ନ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ