ସୋସିଆଲ ମିଡିଆରେ ମିଥ୍ୟା ଗୁଜବ ପ୍ରଚାର କରି ଯୁବକ ଗିରଫ
ବାଲେଶ୍ୱର (ସରୋଜ ପଣ୍ଡା ) : ଲକଡାଉନ ଅବଧିରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ସବୁ ସକାଳ ୬ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ଖୋଲା ରହିବ ଏବଂ ମୋଟର ସାଇକେଲରେ ବାହାରେ ବୁଲୁଥିବା ବ୍ୟକ୍ତିଙ୍କ ଗାଡି ଜବତ କରିବା ପାଇଁ ବାଲେଶ୍ୱର ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଏକ ମିଥ୍ୟା ଗୁଜବ ସୋସିଆଲ ମିଡିଆରେ ପ୍ରଚାରିତ ହେବା ପରେ ପୋଲିସ ପକ୍ଷରୁ କାର୍ଯ୍ୟ। ନୁଷ୍ଠାନ ନିଆଯାଇଛି ଏଥିରେ ସମ୍ପୃକ୍ତ ଜଣେ ଯୁବକଙ୍କୁ ରେମୁଣା ପୋଲିସ ଗିରଫ କରିଛି । ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ଖୋଲା ରହିପାରିବ ବୋଲି ବାଲେଶ୍ୱର ଜିଲ୍ଲାପାଳ ଶ୍ରୀ କେ ସୁଦର୍ଶନ ଚକ୍ରବର୍ତୀ ଅନୁମତି ପ୍ରଦାନ କରିଛନ୍ତି । ଏଥିରେ କୌଣସି ପରିବର୍ତନ ହୋଇ ନ ଥିବା ବେଳେ ସୋସିଆଲ ମିଡିଆରେ ବାଲେଶ୍ୱର ଜିଲ୍ଲାପାଳଙ୍କ ଫଟୋ ଥାଇ ଏଭଳି ଏକ ଗୁଜବ ପ୍ରସାରିତ କରି ଲକଡାଉନ ସମୟରେ ଜନସାଧାରଣଙ୍କ ମନରେ ଭ୍ରାନ୍ତ ଧାରଣା, ସନ୍ଦେହ ଓ ଭୟର ବାତାବରଣ ସୃଷ୍ଟି କରୁଥିବା ଅଭିଯୋଗରେ ରେମୁଣା ପୋଲିସ ଶିବଶଙ୍କର ପରିଡା ନାମକ ଏକ ୨୬ ବର୍ଷର ଯୁବକଙ୍କୁ ଗିରଫ କରିଛିି । ସମ୍ପୃକ୍ତ ଯୁବକଙ୍କ ଘର ରେମୁଣା ଥାନା ଅନ୍ତର୍ଗତ ଖରିଦମୁଖୁରା ଗ୍ରାମରେ ବୋଲି ଜଣାପଡିଛି । ରେମୁଣା ଥାନାରେ ଆଇପିସିର ୧୮୮/୧୮୨/୨୯୦/୨୭୧/୫୦୫ ଧାରା ଅନୁଯାୟୀ କେସ ନମ୍ବର ୬୨-ତା.୩୧.୦୩.୨୦୨୦ରୁଜୁ ହୋଇଥିବା ବେଳେ ଆଗକୁ ଏଭଳି ଗୁଜବ ପ୍ରଚାର କଲେ ଦୋଷୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ ଚେତାବନୀ ଦିଆଯାଇଛି ।


