ସ୍କାଉଟସ୍ ଏବଂ ଗାଇଡସ୍‌ ଉଦ୍‌ଯାପିତ ହେଲା ରୋଭର ରେଞ୍ଜର ଫିଏଷ୍ଟା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ଓଡ଼ିଶା ରାଜ୍ୟ ଭାରତ ସ୍କାଉଟସ୍ ଓ ଗାଇଡ଼ସ୍ ଦ୍ୱାରା ଗତ ୨୭ତାରିଖରୁ ଆରମ୍ଭ ହୋଇଥିବା ରୋଭର ରେଞ୍ଜର ଫିଏଷ୍ଟା ଆଜି ସଂଧ୍ୟାରେ ଏକ ବର୍ଣ୍ଣାଢ଼୍ୟ ଉତ୍ସବ ମାଧ୍ୟମରେ ଉଦ୍‌ଯାପିତ ହୋଇଅଛି । ରାଜ୍ୟ ମୁଖ୍ୟ କମିଶନର ତଥା ଜାତୀୟ ଉପସଭାପତି ଡଃ କାଳି ପ୍ରସାଦ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଅଧ୍ୟକ୍ଷ, ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ ଶ୍ରୀଯୁକ୍ତ ସୌମ୍ୟରଞ୍ଜନ ପଟ୍ଟନାୟକ, ସମ୍ମାନୀତ ଅତିଥିଭାବେ ରାଜ୍ୟ ସ୍କାଉଟ ଗାଇଡ୍ ଉପସଭାପତି ତଥା ଅଧ୍ୟକ୍ଷା ମହିଳା କମିଶନ ଡଃ. ମିନତୀ ବେହେରା, ରାଜ୍ୟ ସ୍କାଉଟ ଗାଇଡ୍ ଉପସଭାପତି ତଥା ମାନ୍ୟବର ବିଧାୟକ (ମଧ୍ୟ) ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା, ଏସ୍‌.ଏନ୍‌.ଓ ଏବଂ ଡେପୁଟି ସେକ୍ରେଟାରୀ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ପିଲାମାନଙ୍କର ବ୍ୟକ୍ତିତ୍ୱ ଏବଂ ପାଠପଢ଼ା ଉପରେ କିପରି ସୁପ୍ରବାହ ପକାଇଥାଏ, ତା’ର ବର୍ଣ୍ଣନା କରିଥିଲେ । ଫିଏଷ୍ଟାରେ ଅଧ୍ୟକ୍ଷତା କରି ଶ୍ରୀଯୁକ୍ତ ମିଶ୍ର କରୋନାର ପରବର୍ତ୍ତୀ କାଳରେ ଏହି ଶିବିର ପିଲାମାନଙ୍କ ନିମନ୍ତେ କିପରି ଏକ ମାର୍ଗଦର୍ଶକ ଭାବରେ କାମ କରିପାରିବ ତା’ର ରୂପରେଖ ପ୍ରସ୍ତୁତି ବିଷୟରେ ବ୍ୟାଖ୍ୟା କରିଥିଲେ । ଏହି ଶିବିରରେ ଓଡ଼ିଶାର ୧୮ଟି ଜିଲ୍ଲାରୁ ୪୫୦ ରୁ ଊର୍ଦ୍ଧ୍ୱ ରୋଭର, ରେଞ୍ଜର, ରୋଭର ସ୍କାଉଟ ଲିଡର, ରେଞ୍ଜର ଲିଡର ଯୋଗ ଦେଇ ଫିଏଷ୍ଟାର ବିଭିନ୍ନ ଦିବସରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମ ଯଥା ଫୁଡ୍ ଅଫ ଓଡିଶା, ଶାରୀରିକ କ୍ରୀଡ଼ା କୌଶଳ, ଫେଷ୍ଟିଭାଲ ଅଫ ଷ୍ଟେଟ୍‌, ଷ୍ଟ୍ରିଟ୍ ପ୍ଲେ ଅନ୍ ଜେଣ୍ଡର ବାଏସ, ହିଟ୍ ଦ ଡ୍ୟାନ୍ସ ଫ୍ଲୋର, ର‌୍ୟାମ୍ପ ୱାକ୍‌, କୌତୁକ ପୋଷାକ ପରିଧାନ, ଯୋଗାସନ, ବିପି କ୍ରୀଡ଼ା କୌଶଳ ପ୍ରଭୃତି ପ୍ରତିଯୋଗିତାରେ ଭାଗ ନେଇଥିଲେ । ପିଲାମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାର ପ୍ରଦର୍ଶନ ସହିତ ସେମାନଙ୍କର ପୂର୍ଣ୍ଣାଙ୍ଗ ବିକାଶ ନିମନ୍ତେ ଶିବିର ବିଭିନ୍ନ ଦିବସରେ ଓଡିଶା ସ୍କାଉଟସ୍ ଏବଂ ଗାଇଡସ୍‌ର ଉପସଭାପତି ତଥା ମାନ୍ୟବର ବିଧାୟକ (ଉତ୍ତର) ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତ, ଡିସିପି ଟ୍ରାଫିକ୍ ଏସ୍‌. ସୁଶ୍ରୀ ପ୍ରଭୃତି ଯୋଗ ଦେଇ ପିଲାମାନଙ୍କୁ ଟ୍ରାଫିକ୍ ନିୟମ ମାନି କିପରି ଗାଡି ଚଳାଇବେ ଏବଂ ଆମ ରାଜ୍ୟରୁ କିପରି ଦୁର୍ଘଟଣା ଜନିତ ମୃତ୍ୟୁହାର କମିପାରିବ ତାହା ଉପରେ ଏକ ଅଭିନୟ ମାଧ୍ୟମରେ ସଚେତନତା କରାଯାଇଥିଲା । ରାଜ୍ୟ ସଂଗଠନ କମିଶନର (ଗାଇଡ୍‌) ଏବଂ ଆଡିମିନିଷ୍ଟ୍ରେଟିଭ୍ ଅଫିସର ଶ୍ରୀମତୀ ଅନାମିକା ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ମିହିର ରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ଶିବିର ପରିଚାଳିତ ହୋଇଥିଲା । ରାଜ୍ୟ କୋଷାଧ୍ୟକ୍ଷ ଶ୍ରୀ ଭବାନୀ ପ୍ରସାଦ ମିଶ୍ର, ରାଜ୍ୟ ସ୍କାଉଟ୍ ତାଲିମ କମିସନର ଶ୍ରୀ ସୁରଜିତ ସେନ, ରାଜ୍ୟ ଗାଇଡ଼୍ ତାଲିମ କମିସନର ପ୍ରିୟଦର୍ଶିନୀ ମହାପାତ୍ର ଓ ରାଜ୍ୟ ମୁଖ୍ୟାଳୟର ଅନ୍ୟାନ୍ୟ କର୍ମକର୍ତ୍ତା ପ୍ରଭୃତି ସହଯୋଗ କରିଥିଲେ । ପରିଶେଷରେ ରାଜ୍ୟ ସଂପାଦକ ଶ୍ରୀ ଶରତ ଚନ୍ଦ୍ର ପାଇକରାୟ ଧନ୍ୟବାଦ ଅର୍ପଣ କରିଥିଲେ । ସଭାକାର୍ଯ୍ୟ ଶେଷରେ ଫିଏଷ୍ଟାରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତି ହାସଲ କରିଥିବା ଜିଲ୍ଲା ଏବଂ ରୋଭର, ରେଞ୍ଜରମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ମାନପତ୍ର ଓ ଫଳକ ପୁରସ୍କୃତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ