ସ୍କାଉଟ୍ ଗାଇଡ଼୍ର ପ୍ରତିଷ୍ଠା ଦିବସ ପାଳିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ନଭେମ୍ବର ମାସ ୭ ତାରିଖ ଭାରତ ସ୍କାଉଟସ୍ ଓ ଗାଇଡ଼ସ୍ର ପ୍ରତିଷ୍ଠା ଦିବସ ରୂପେ ପ୍ରତିବର୍ଷ ପାଳିତ ହୋଇଆସୁଅଛି । ରାଜ୍ୟର ସବୁ ଜିଲ୍ଲାରେ ଉକ୍ତ ଦିବସଟିକୁ ସ୍କାଉଟ୍ ଗାଇଡ଼୍ମାନଙ୍କ ଦ୍ୱାରା ମହାସମାରୋହରେ ପାଳନ କରାଯାଇଥାଏ । ଏହି ଦିବସର ମହତ୍ୱକୁ ଜଣାଇବା ପାଇଁ କବ୍, ବୁଲ୍ବୁଲ୍, ସ୍କାଉଟ, ଗାଇଡ୍, ରୋଭର ଓ ରେଞ୍ଜରମାନେ ମାନ୍ୟବର ରାଜ୍ୟପାଳ ଶ୍ରୀ ପ୍ରଫେସର ଗଣେଶୀ ଲାଲ୍, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏବଂ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀମାନଙ୍କ ନିକଟକୁ ଯାଇ ଦିବସର ପ୍ରତୀକ ପତାକା ଲଗାଇ ସଂଗଠନର ବାର୍ତ୍ତା ପ୍ରଚାର କରିଛନ୍ତି । ଏତଦ୍ ବ୍ୟତୀତ ମାନ୍ୟବର ମନ୍ତ୍ରୀ, ଖାଦ୍ୟଯୋଗାଣ ଓ ସମବାୟ ତଥା ରାଜ୍ୟସଂସ୍ଥାର ସଭାପତି ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ମାନ୍ୟବର ମନ୍ତ୍ରୀ, ଜଳସମ୍ପଦ ଓ ବାଣିଜ୍ୟ ପରିବହନ ତଥା ରାଜ୍ୟ ସଂସ୍ଥାର ଉପସଭାପତି ଶ୍ରୀମତୀ ଟୁକୁନୀ ସାହୁ, ଉପସଭାପତି ତଥା ଅଧ୍ୟକ୍ଷା ମହିଳା କମିଶନ ଡଃ. ମିନତୀ ବେହେରା ଏବଂ ଜାତୀୟ ଉପସଭାପତି ତଥା ରାଜ୍ୟ ମୁଖ୍ୟ କମିଶନର ଡଃ କାଳି ପ୍ରସାଦ ମିଶ୍ରଙ୍କୁ ପତାକ ଲଗାଇ ଦିବସର ତାତ୍ପର୍ଯ୍ୟ ପ୍ରତିପାଦନ କରିଥିଲେ । ଅପରାହ୍ନରେ ରାଜ୍ୟ ମୁଖ୍ୟ କମିଶନର ଡଃ. କାଳିପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ସଭାରେ ଅତିଥି ଭାବେ ଜିଲ୍ଲା ସମ୍ପାଦକ, ଭୁବନେଶ୍ୱର ଶ୍ରୀ ଜିତେନ୍ଦ୍ର କୁମାର ନାୟକ ଯୋଗ ଦେଇ ସ୍କାଉଟ ଓ ଗାଇଡ୍ମାନଙ୍କୁ ବହୁ ଉପଦେଶାତ୍ମକ କଥା କହିଥିଲେ । ରାଜ୍ୟ ସମ୍ପାଦକ ଶ୍ରୀ ଶରତ ଚନ୍ଦ୍ର ପାଇକରାୟଙ୍କ ଉପସ୍ଥିତିରେ ରାଜ୍ୟ ଗାଇଡ଼୍ ସଂଗଠନ କମିଶନର ଏବଂ ଆଡିମିନିଷ୍ଟ୍ରେଟିଭ୍ ଅଫିସର ଶ୍ରୀମତୀ ଅନାମିକା ଦାସ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ । ସ୍କାଉଟ ଗାଇଡ୍ମାନଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶେଷରେ ଅତିଥିମାନଙ୍କ ଦ୍ୱାରା କୃତୀ ପ୍ରତିଯୋଗୀମାନଙ୍କୁ ମାନପତ୍ର ସହ ଫଳକ ପ୍ରଦାନ କରାଯାଇଥିଲା ।


