ଏକଶତ ତମ ଶ୍ରୀଜଗନ୍ନାଥ ପଞ୍ଚରାତ୍ରରେ ସମ୍ବର୍ଦ୍ଧିତ ହେଲେ ଡଃ ଜ୍ଞାନେନ୍ଦ୍ର
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବିଗତ ୨୦୧୩ ମସିହାରୁ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ଆଶୀର୍ବାଦରେ ସାରା ଭାରତବର୍ଷରେ ଶ୍ରୀଜଗନ୍ନାଥଙ୍କ ଦିବ୍ୟତତ୍ତ୍ୱର ପ୍ରଚାର ପ୍ରସାର ପାଇଁ ମହନ୍ତ ରାମକୃଷ୍ଣ ଦାସ ମହାରାଜ ଓ ବାବା ସତ୍ୟାନନ୍ଦ ଦାସ ମହାରାଜଙ୍କ ନେତୃତ୍ୱରେ ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ମହୋତ୍ସବର ୧୦୦ତମ କାର୍ଯ୍ୟକ୍ରମ ମାଳିକାପୁରୁଷ ସନ୍ଥ ବାବା ବୈକୁଣ୍ଠନାଥଙ୍କ ସାଧନାପୀଠ କଟକ ଟାଙ୍ଗୀସ୍ଥିତ ଜଳୌକା ଆନନ୍ଦଧାମର ମଣିନାଗ ଗୁମ୍ଫାର ପବିତ୍ର ପରିବେଶରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟେହ ବହୁ ବିଶିଷ୍ଟ ଶ୍ରୀଜଗନ୍ନାଥ ଗବେଷକ ଓ କଥାବାଚକଙ୍କ ଦ୍ୱାରା ସ୍କନ୍ଧ ପୁରାଣ ବର୍ଣ୍ଣିତ ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର ମହାତ୍ମ୍ୟ ଓ ଶ୍ରୀ ମହାପ୍ରସାଦ ମହାତ୍ମ୍ୟ, ଅନୁଭୂତିରେ ଶ୍ରୀ ଜଗନ୍ନାଥଙ୍କ ଉପରେ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗତ ୩ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବର ପ୍ରତ୍ୟେକ କାର୍ଯ୍ୟକ୍ରମରେ ବାବା ସତ୍ୟାନନ୍ଦ ଦାସ ମହରାଜ ବ୍ୟାସପୀଠରେ ବସିଥିବା ବେଳେ, ବୈକୁଣ୍ଠ ବାର୍ତ୍ତାବହ ସମିତିର ଅଧ୍ୟକ୍ଷ ତଥା ବରିଷ୍ଠ ଆଇନଜ୍ଞ ଦେବୀ ପ୍ରସାଦ ଧଳଙ୍କ ଅଧ୍ୟକ୍ଷତାରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ତୃତୀୟ ଦିନର କାର୍ଯ୍ୟକ୍ରମରେ, ମା ସୁଭଦ୍ରାଙ୍କ ବାଡ଼ଗ୍ରାହୀ ରାମଚନ୍ଦ୍ର ଦାସ ମହାପାତ୍ର, ଶ୍ରୀମନ୍ଦିର ମହାସୁଆର ନିଯୋଗର ସଭାପତି ବିଶ୍ୱନାଥ ସମନ୍ତରା, ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଓ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡଃ ଭାସ୍କର ମିଶ୍ର, ଜୀବନବ୍ୟାପୀ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ପାଇଁ ଏବଂ ସମାଜସେବା ପାଇଁ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କୁ, ଶ୍ରୀଜଗନ୍ନାଥ ସେବା ସମ୍ମାନରେ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଡଃ ଜ୍ଞାନେନ୍ଦ୍ର, ବାବା ବୈକୁଣ୍ଠ ନାଥଙ୍କ ଦିବ୍ୟ ଅନୁଭୂତି କଥା କହି, ଭକ୍ତ, ଶିଷ୍ୟ ଓ ଶ୍ରୋତାମାନଙ୍କୁ ଆହ୍ଲାଦିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବହୁ ସାଧୁସନ୍ଥ ବିଦ୍ୱାନଙ୍କ ସହ ବାବା ନିର୍ଭୟାନନ୍ଦ ଦାସ ମହାରାଜ, ସୁରେନ୍ଦ୍ରନାଥ ସାମଲ, ଶ୍ରୀମତୀ ଆରତୀ ଜ୍ଞାନେନ୍ଦ୍ର, ଶ୍ରୀମତୀ ଧଳ, ସମାଜସେବୀ ବରୁନ ରାଜ ପ୍ରମୁଖ ଉପସ୍ଥିତ ଥିଲେ ।


