ସ୍କିମ ୱାର୍କରସ ୟୁନିଅନ ସମନ୍ୱୟ ସମିତି ପକ୍ଷରୁ କେନ୍ଦ୍ର ଶ୍ରମମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର
କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ) : ସ୍କିମ ୱାର୍କରସ ୟୁନିଅନ ସମନ୍ୱୟ ସମିତି କେନ୍ଦ୍ରାପଡା ଜିଲ୍ଲା ପକ୍ଷରୁ କେନ୍ଦ୍ର ଶ୍ରମମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଦେଶ ତମାମ ସ୍ୱାସ୍ଥ୍ୟ ଓ ଶିକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ଦାୟୀତ୍ୱକୁ ଆଶାକର୍ମୀ, ଅଙ୍ଗନୱାଡିକର୍ମୀ,ସହାୟିକା ଓ ମଧ୍ୟାହ୍ନ ଭୋଜନର ପାଚିକାମାନେ ନିଷ୍ଠାର ସହିତ କାର୍ଯ୍ୟକାରୀ କରି ମା’ଓ ଶିଶୁ ସର୍ବୋପରି ଜନସାଧାରଣଙ୍କର ସ୍ୱାସ୍ଥ୍ୟ ରକ୍ଷା ସହିତ ସରକାରୀ ଶିକ୍ଷାର ଦୃଢ ଭିତ୍ତିଭୂମି ପକାଇଛନ୍ତି । “କୋଭିଡ-୧୯ କୁ ହଟାଇବା ଆମେ ଜିତିବା”ଏହି ଲକ୍ଷ୍ୟକୁ ନେଇ ଅଙ୍ଗନୱାଡିକର୍ମୀ ଓ ଆଶାକର୍ମୀମାନେ ନିଜ ଜୀବନକୁ ବାଜି ଲଗାଇ କରୋନାକୁ ହଟାଇବାରେ ଆଜି ଯୋଦ୍ଧାଭାବେ ଉପନୀତ । ଏହି ସମୟରେ ସରକାର ଆମର ଦାବି ଜାତୀୟ ଶ୍ରମ ସମ୍ମିଳନୀ ନିଷ୍ପତି ଅନୁସାରେ ସ୍କିମ ୱାର୍କର ଯଥା ଆଶା,ଅଙ୍ଗନୱାଡିକର୍ମୀ ଓ ମଧ୍ୟାହ୍ନ ଭୋଜନ ପାଚିକାମାନଙ୍କୁ ୱାର୍କର ମାନ୍ୟତା ସହ ସର୍ବନିମ୍ନ ମାସିକ ଭତ୍ତା ୨୧ହଜାର ଟଙ୍କା ପ୍ରଦାନ କରିବା,ସର୍ବନିମ୍ନ ପେନସନ ୧୦ହଜାର ଟଙ୍କା ପ୍ରଦାନ କରିବା,ସମସ୍ତ କେନ୍ଦ୍ରୀୟ ସ୍କିମର ସ୍ଥାୟୀ କରଣ,କୋଭିଡ ସମୟରେ ପାଚିକାମାନଙ୍କୁ ଭତ୍ତା ପ୍ରଦାନ,ଶିକ୍ଷା ସ୍ୱାସ୍ଥ୍ୟ ଭଳି ସେବା କ୍ଷେତ୍ରରେ ଘରୋଇ କରଣ ନିଷ୍ପତି ପ୍ରତ୍ୟାହାର,କୋଭିଡ ଯୋଦ୍ଧା ଆଶା ଓ ଅଙ୍ଗନୱାଡିକର୍ମୀଙ୍କୁ ଘୋଷିତ ୫୦ଲକ୍ଷ ଟଙ୍କାର ସହାୟତା ରାଶି ସମ୍ବଦ୍ଧୀୟ ନିର୍ଦେଶନାମା ପ୍ରଦାନ,ସ୍କିମ ୱାର୍କରଙ୍କ ସମେତ ସବୁ ବର୍ଗର ଶ୍ରମିକଙ୍କୁ ମାସିକ ୭ହଜାର ୫ଶହ ପ୍ରଦାନ,ନୂତନ ଶିକ୍ଷାନୀତିରେ ସ୍କୁଲ ସହ ମିଶ୍ରଣ ନକରି ଆଇ.ସି.ଡି.ଏସ.ର ସ୍ୱାତନ୍ତ୍ରତା ବଜାୟ ରଖାଯିବା,ରାଜ୍ୟରେ ସ୍ୱାସ୍ଥ୍ୟକର୍ମୀ ଓ ଅନ୍ୟାନ୍ୟ କରୋନା ଯୋଦ୍ଧାଙ୍କ ଉପରେ ଆକ୍ରମଣକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଓ ଆଶାକର୍ମୀଙ୍କ ଉପରେ ହେଉଥିବା ଆକ୍ରମଣକୁ ସରକାର ଦୃଢହସ୍ତରେ ଦମନ କରିବା ପ୍ରଭୃତି ଦାବି ଗୁଡିକୁ ପୁରଣ କରିବାକୁ ଦାବି କରାଯାଇଛି । ଏହି କାର୍ଯ୍ୟକ୍ରମରେ ଏ.ଆଇ.ଟି.ୟୁ.ସି.ନେତା ତଥା ଆଇନଜୀବି ରମଣୀରଞ୍ଜନ ରାଉତରାୟଙ୍କ ନେତୃତ୍ୱରେ ଜିଲ୍ଲା ଆଶା ସଙ୍ଘର ସାଧାରଣ ସମ୍ପାଦିକା କାନ୍ତିପ୍ରଭା ନାୟକ,ଜିଲ୍ଲା ସଭାପତି ବିକାଶ ଚନ୍ଦ୍ର ବେଉରା,ପାଚିକା ସଙ୍ଘର ଜିଲ୍ଲା ସଭାପତି ସୁହାନା ବେଗମ ପ୍ରମୁଖ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ କେନ୍ଦ୍ର ଶ୍ରମମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ ।