ସ୍କୁଟି ଧକ୍କାରେ ସାଇକେଲ ଓ ଟ୍ରଲି ଚାଳକ ଗୁରୁତର
ନାଉଗାଁ, (ଓ୍ବାଇଏନ୍ଏସ୍): ନାଉଗାଁ ବ୍ଲକ ଅନ୍ତର୍ଗତ ଶିଖର-ବାଲିଭଉଁରୀ ମୁଖ୍ୟରାସ୍ତା ବ୍ଳକଛକ ନିକଟରେ ଏକ ସ୍କୁଟି ଧକ୍କାରେ ଜଣେ ଟ୍ରଲି ଚାଳକ ଓ ଜଣେ ସାଇକେଲ ଆରୋହୀ ଗୁରୁତର ହୋଇଥିବା ଜଣାଯାଇଛି । ଥାନା ଏଏସଆଇ ଅଶୋକ ମହାନ୍ତିଙ୍କ ସୂଚନା ମୁତାବକ ଓଡି ୨୧ ଏଫ ୭୮୭୪ ସ୍କୁଟ ଯୋଗେ ୨ ଜଣ ଯୁବକ ମେଡିକାଲ ନିକଟରୁ ମୁଖ୍ୟରାସ୍ତା ଦେଇ ଭାତପଡା ଯାଉଥିଲେ । ମୁଖ୍ୟରାସ୍ତାରେ ଘୋଡାଂଶ ଗ୍ରାମର ଧୁନ ସେଠୀ ଟ୍ରଲି ନେଇ ଘରକୁ ଯାଉଥିବା ସମୟରେ ପ୍ରଥମେ ତାକୁ ଧକ୍କା ଦେଇଥିଲେ । ଶକ୍ତ ଧକ୍କାରେ ଧୁନ ସେଠୀଙ୍କ ମୁଣ୍ଡ ଫାଟି ପ୍ରଚୁର ରକ୍ତସ୍ରାବ ହେଉଥିବା ଜଣାଯାଇଛି । ପରେ ସାଇକେଲରେ ଯାଉଥିବା ଦାନ୍ତୁଆଳ ଗ୍ରାମର ରିତିକ ଦାସଙ୍କ ଠାରେ ଗାଡି ବାଡେଇବା ଫଳରେ ରିତିକଙ୍କ ଗୋଡ ଭାଙ୍ଗି ଯାଇଥିବା ଜଣାଯାଇଛି । ଗୁରୁତର ଅବସ୍ଥାରେ ୨ ଜଣଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ସେହିପରି ସ୍କୁଟିରେ ୨ ଜଣ ଯାଉଥିବା ବେଳେ ସ୍କୁଟି ଚାଳକ ଭାତପଡା ଗ୍ରାମର ନିର୍ମଳ ଭୋଇ ବୋଲି ଜଣାଯାଇଛି । ନିର୍ମଳଙ୍କ ସହ ଥିବା ଅନ୍ୟ ଜଣେ ଯୁବକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ନିର୍ମଳଙ୍କୁ ଚିକିତ୍ସା ପାଇଁ ନାଉଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିବା ବେଳେ ପରେ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ଉଭୟ ଅତ୍ୟଧିକ ମଦ୍ୟପାନ କରି ନିଶାଶକ୍ତ ଅବସ୍ଥାରେ ଥିବା ଜଣାଯାଇଛି । ଥାନା ପକ୍ଷରୁ ସ୍କୁଟିକୁ ଜବତ କରାଯାଇ ତଦନ୍ତ ଚାଲିଥିବା ଏଏସଆଇ ଅଶୋକ ମହାନ୍ତି ପ୍ରକାଶ କରିଛନ୍ତି । ସୂଚନା ଯୋଗ୍ୟ ଯେ ବ୍ଳକ ଛକ ନିକଟରେ ସରକାରୀ ମଦ ଦୋକାନ ଥିବା ବେଳେ ଅନାୟସରେ ଯୁବକ ମାନେ ଉକ୍ତ ଦୋକାନରୁ ମଦ୍ୟପାନ କରି ଅନେକ ସମୟରେ ଦୁର୍ଘଟଣା ଘଟାଉଥିବା ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ଜୋର ଧରିଛି ।


