ସ୍କୁଲରେ ଶିଶୁ ଉତ୍ସବକୁ ନେଇ ବିବାଦ
ହାଟଡିହି, (ବିକାଶ ବିଶ୍ୱାଳ) :ଏବେ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ସ୍କୁଲ ମାନଙ୍କରେ ଶିଶୁ ଉତ୍ସବ ମାନ ଆୟୋଜନ କରାଯାଉଛି । ତାହା ପୁଣି ସ୍କୁଲ ଖୋଲା ଦିନମାନଙ୍କରେ । ଯାହାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଗତକାଲି ଶିବନାରାୟଣପୁର ବିଦ୍ୟାଳୟରେ ହେଉଥିବା ଶିଶୁ ଉତ୍ସବରେ ପିଲାମାନେ ଖରାରେ ବସିରହିବାକୁ ନେଇ ଅନେକ ପ୍ରଶ୍ନ କରିଛନ୍ତି । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ନେଇ ସରକାର ସକାଳୁଆ ସ୍କୁଲ କରିଥିବାବେଳେ ଏଠାରେ ମଧ୍ୟହ୍ନ ପର୍ଯ୍ୟନ୍ତ ଉତ୍ସବ ଚାଲିଥିଲା । ସେଥିରେ ମଧ୍ୟ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେଉଥିଲା । ଯଦି କୌଣସି ଅଘଟଣା ଘଟିଥାନ୍ତା ତେବେ କିଏ ଦାୟୀ ରହିବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସ୍କୁଲ ସମୟରେ ଏହି କାର୍ଯ୍ୟକ୍ରମ ପାଇଁ କିଏ ଅନୁମତି ଦେଉଛି ସେନେଇ ଅନେକ ଅଭିଭାବକ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି । ଏ ସମ୍ପର୍କରେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଆମେ କୌଣସି ସ୍କୁଲକୁ ଅନୁମତି ଦେଇ ନାହୁଁ । ସବୁ ଫର୍ମାଲଟି ଚାଲିଛି । କିନ୍ତୁ ଯଦି କିଛି ଅଘଟଣ ଘଟେ ତେବେ କିଏ ଦାୟୀ ରହିବା ପ୍ରଶ୍ନରେ ସେ ମୁହଁ ଖୋଲି ନାହାନ୍ତି । ତେଣୁ ତୁରନ୍ତ ସ୍ୱେଚ୍ଛାସେବୀ ସଂଗଠନ ଦ୍ୱାରା ବିଦ୍ୟାଳୟ ମାନଙ୍କରେ ଏସବୁ କାର୍ଯ୍ୟକ୍ରମ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବାକୁ ଦାବି ହେଉଛି ।


