ସ୍କୁଲ ଯାଇନପାରି ରାସ୍ତାରେ ବସିଲେ ଛାତ୍ରୀଛାତ୍ର
ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ଜରିବାହାଲଠାରେ ଟ୍ରାଫିକ ସମସ୍ୟା ହେତୁ ସ୍କୁଲ ଯାଇ ପାରୁନଥିବା ଅଭିଯୋଗ କରି ଶନିବାର ରାଜ୍ୟରାଜପଥ ନଂ ୨ ରେ ଶତାଧିକ ଛାତ୍ରୀଛାତ୍ର ବସିଥିଲେ । ଶନିବାର ସକାଳ ୭ ଘଟିକାରୁ ବାମେବାରୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର , ଜୁରୁଡି ଶ୍ରୀଜଗନ୍ନାଥ ହାଇସ୍କୁଲ ଛାତ୍ରୀଛାତ୍ର ଏବଂ ଯୋଡା ମହିଳା ମହାବିଦ୍ୟାଳୟର ଛାତ୍ରୀମାନେ ପ୍ରତିଦିନ ଟ୍ରାଫିକ ସମସ୍ୟାର ସମୁଖୀନ ହୋଇ ଠିକ ସମୟରେ ସ୍କୁଲ ଓ କଲେଜକୁ ପହନଚି ପାରୁନଥିବା ଏବଂ ଘରକୁ ବିଳମ୍ବରେ ପହନଚୁଥିବାରୁ ଏଥିରେ ଅତିଷ୍ଟ ହୋଇ ରାସ୍ତାରେ ବସି ରହିଥିବା ଛାତ୍ରୀଛାତ୍ରମାନେ ପ୍ରକାଶ କରିଛନ୍ତି । ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ, ବାମେବାରୀଠାରୁ ଜୁରୁଡି ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡିଥିବା ବେଳେ ଯୋଡାକୁ ସଂଯୋଗ ହୋଇଥିବା ଏହି ରାସ୍ତାରେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଖଣିଜ ପରିବହନ ଟ୍ରକ , ଡମ୍ପର ଚଳାଚଳ କରୁଥିବାରୁ ରାସ୍ତାର ବିଭିନ୍ନ ସ୍ଥାନରେ ବଡ ବଡ ଗର୍ତ ସୃଷ୍ଟି ହୋଇଛି । ଏଥି ଯୋଗୁ ପ୍ରତିଦିନ ଟ୍ରାଫିକ ଜାମ୍ ସମସ୍ୟା ସୃଷ୍ଟି ହେଉଛି । ଜରିବାହାଲଠାରୁ ବାମେବାରୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରକୁ ଯିବା ବେଳେ ଘନ୍ଟା ଘନ୍ଟା ଧରି ସ୍କୁଲ ବସ୍ ଫସି ରହୁଛି । ସ୍କୁଲରେ ପ୍ରତିଦିନ ସେମାନେ ବିଳମ୍ବରେ ପହନଚିବା ସହିତ ଘରେ ମଧ୍ୟ ବିଳମ୍ବରେ ପହନଚିଥାନ୍ତି । ଜୁରୁଡିସ୍ଥିତ ଶ୍ରୀଜଗନ୍ନାଥ ହାଇସ୍କୁଲକୁ ଯିବା ବେଳେ ରାସ୍ତାରେ ଏତେ ଟ୍ରାଫିକ ଜାମ୍ ହୋଇଥାଏ ଯେ, ଚାଲି ଚାଲି ଯିବା ମଧ୍ୟ ଅସମ୍ଭବ ହୋଇଥାଏ । ଶୁକ୍ରବାରଠାରୁ ଯୋଡା ମହିଳା ମହାବିଦ୍ୟାଳୟର ଯୁକ୍ତ ୩ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରୀମାନେ ବସ୍ ରେ ଯାଇନପାରି ଜରିବାହାଲଠାରୁ ଜୁରୁଡି ପର୍ଯ୍ୟନ୍ତ ଚାଲି ଚାଲି ଯାଇ ସେଠାରୁ ଅଟୋରେ ଯାଉଥିବା ଛାତ୍ରୀମାନେ ପ୍ରକାଶ କରିଛନ୍ତି । ଏନେଇ ସ୍ଥାନୀୟ ଅଂଚଳବାସୀ ବାରମ୍ବାର ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ହେଁ, ଏଥିପ୍ରତି କେହି ଦୃଷ୍ଟି ଦେଉନଥିବା ଅଂଚଳର ବିନୋଦ କାରୁଆ, ମୋହନ ଠାକୁର, ଲକ୍ଷ୍ମୀନାରାୟଣ ଜୟଶ୍ୱାଲ, ଲୁଲୁ ପାତ୍ର, କୁଦୁସ୍ ଅନସାରୀ ପ୍ରମୁଖ ଅଭିଯୋଗ କରିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ, ରାସ୍ତାର ଅବସ୍ଥା ବିପର୍ଯ୍ୟସ୍ତ ହୋଇଥିବା ବେଳେ ବର୍ଷାଦିନେ କାଦୁଅ ପଙ୍କରେ ପରିପୂର୍ଣ୍ଣ ରହୁଛି । ଖରା ହେଲେ ଧୂଳିଧୂଆଁରେ ଜନସାଧାରଣ ଅତିଷ୍ଟ ହୋଇପଡୁଛନ୍ତି । ଏହି ରାସ୍ତା ଦେଇ ବିଭିନ୍ନ ଖଣି କମ୍ପାନୀ ସେମାନଙ୍କର ଖଣିଜ ପରିବହନ କରୁଛନ୍ତି । ହେଲେ ଏହି ରାସ୍ତାରେ ହୋଇଥିବା ଖାଲଖମା ଗୁଡିକରେ ଏକ ଟ୍ରିପ୍ ମୋରମ, ମାଟି ମଧ୍ୟ ପକାଉନାହାନ୍ତି । ରାସ୍ତା ଅବରୋଧ କରି ଆନ୍ଦୋଳନ କଲେ କାଁ ଭାଁ ଏକ, ଦୁଇ ଟ୍ରିପ ମୋରମ , ମାଟି ପକାଇଥାନ୍ତି । ଧୂଳିଧୂଆଁ ପାଇଁ ଅଭିଯୋଗ କଲେ ଦିନେ ଦୁଇଦିନ ଟ୍ୟାଙ୍କର ସାହାଯ୍ୟରେ ପାଣି ପକାଇଥାନ୍ତି । ପରବର୍ତୀ ସମୟରେ ଆଉ କିଛି କରିନଥାନ୍ତି । ଏଣୁ ଅଂଚଳବାସୀ ଏହି ରାସ୍ତା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ସେମାନେ ପ୍ରକାଶ କରିଛନ୍ତି । ସରକାରଙ୍କ ପକ୍ଷରୁ ଏହି ରାଜ୍ୟରାଜପଥ ନଂ ୨ ର ବାମେବାରୀ ଠାରୁ ବାଂଶପାଣି ପର୍ଯ୍ୟନ୍ତ ୧୩ କି.ମି ଦୂରତା ବିଶିଷ୍ଟ ରାସ୍ତା ର ନିର୍ମାଣ ପାଇଁ ଡିଷ୍ଟ୍ରିକ୍ଟ ମିନେରାଲ ଫାଉଣ୍ଡେସନ (ଡିଏମଏଫ) ପକ୍ଷରୁ ୪୭ କୋଟି ଟଙ୍କା ବ୍ୟୟରେ ଏକ ଠିକା ସଂସ୍ଥାକୁ ଦିଆଯାଇଛି । ହେଲେ ଏହି ଠିକାସଂସ୍ଥା ପକ୍ଷରୁ ଆଜି ପର୍ଯ୍ୟନ୍ତ ଜରିବାହାଲଠାରେ କାର୍ଯ୍ୟ ଆରମ୍ଭ ମଧ୍ୟ କରାଯାଇନାହିଁ । ସ୍ଥାନୀୟ ଛାତ୍ରୀଛାତ୍ରମାନଙ୍କର ରାସ୍ତା ଖରାପ ଯୋଗୁ ଟ୍ରାଫିକ ଜାମ୍ ରେ ଫସି ସେମାନଙ୍କର ପାଠପଢା ବ୍ୟାଘାତ ସୃଷ୍ଟି ହେବା ସହିତ ସେମାନଙ୍କର ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ହାନୀ ହେଉଛି । ପ୍ରଶାସନ ଏଦିଗରେ ଖୁବ୍ଶୀଘ୍ର ଦୃଷ୍ଟି ନଦେଲେ ଆଗାମି ଦିନରେ ଏହିପରି ଜନଆନ୍ଦୋଳନ ତୀବ୍ରତର ହେବ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ଦୀର୍ଘ ଘନ୍ଟା ଧରି ଛାତ୍ରୀଛାତ୍ରମାନେ ରାସ୍ତାରେ ବସି ରହିଥିଲେ ହେଁ, ପ୍ରଶାସନ ପକ୍ଷରୁ ଏହାର ସମାଧାନ ପାଇଁ କେହି ପହନଚି ନଥିଲେ । ଫଳରେ ରାସ୍ତାର ଦୁଇ ପାଶ୍ୱର୍ରେ ଟ୍ରକ, ଡମ୍ପର , ଯାତ୍ରୀବାହୀ ବସ୍ , କମାଣ୍ଡର, ଅଟୋ ଗୁଡିକ ଠିଆ ହୋଇରହିଥିଲା । ଜନସାଧାରଣ ଚାଲି ଚାଲି ଯାଉଥିବା ଦେଖିବାକୁ ମିଳିଥିଲା । ଏ ନେଇ କେନ୍ଦୁଝର ଜିଲାପାଳଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରୁ ଘଟଣାସ୍ଥଳରେ ବାମେବାରୀ ପୋଲିସ ପହନଚି ଏହାର ସମାଧାନ ପାଇଁ ଆଲୋଚନା କରିଥିଲା । ଆସନ୍ତା ୩ ଦିନ ମଧ୍ୟରେ ସ୍ଥାନୀୟ ଖଣି କମ୍ପାନୀ ମାନଙ୍କୁ ଡକାଇ ଏହାର ସମାଧାନ କରାଯିବ ବୋଲି ପୋଲିସ ପ୍ରତିଶ୍ରୁତି ଦେଇଥିଲା ।