ସ୍କୁଲ ସମ୍ମୁଖରେ ଧାରଣା ଦେଲେ ଏସ୍‌.ଏଚ୍‌.ଜି ମହିଳା

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଟିଲୋ ସରକାରୀ ୫ଟି ଉଚ୍ଚ ବିଦ୍ୟାଳୟରେ ‘ଜଗାରଖା’ ପଦବୀ ନିଯୁକ୍ତିରେ ଅନିୟମିତତା ହୋଇଥିବା ନେଇ ଆଜି ସ୍କୁଲ ସମ୍ମୁଖରେ ମା’ଥାନପତି, ମା’ଘଣ୍ଟେଶୁଣୀ, ମା’ସାମଲେଇ, ମା’ସନ୍ତୋଷୀ, ମା’ମଙ୍ଗଳା, ଲକ୍ଷ୍ମୀବାଇ, ସାରଥିଦେବ ଆଦି ୭ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଧାରଣାରେ ବସିଥିବା ଜଣାଯାଇଛି । ପ୍ରକାଶ ଯେ, ଗତ ତା-୧-୧୦-୨୦୨୨ ରିଖ ଠାରୁ ଉକ୍ତ ବିଦ୍ୟାଳୟରେ ଜଗାରଖା ପାଇଁ ୪ ଜଣ ବ୍ୟକ୍ତିଙ୍କୁ ନିଯୁକ୍ତି ଦିଆଯାଇଥିଲା । ସେମାନେ ଦୈନିକ ମଜୁରୀ ତଥା ଆବର୍ତ୍ତନ ଭିତ୍ତିରେ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଥିଲେ । ମାତ୍ର ଗତ ତା-୨୭-୯-୨୦୨୩ ରିଖରେ ବିଦ୍ୟାଳୟ ପରିଚାଳନା କମିଟି, ଆଲୁମିନି କମିଟି, ସ୍ୱୟଂ ସହାୟକ ଗୋଷ୍ଠୀର ମଞ୍ଚ, ଇସି ଓ ସି.ଆର.ପି, ଅଙ୍ଗନୱାଡି କର୍ମୀ ଏବଂ ଗ୍ରାମବାସୀ ମାନଙ୍କ ଅଗୋଚରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶିବଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଚୁକ୍ତିନାମା କରି ପୂର୍ବରୁ କାର୍ଯ୍ୟ କରୁଥିବା ୪ ଜଣଙ୍କ ମଧ୍ୟରୁ ଜଣଙ୍କୁ ଜଗାରଖା ପାଇଁ ଚୟନ କରିଛନ୍ତି । ପୂର୍ବରୁ ଉପରୋକ୍ତ ୪ ଜଣ ବ୍ୟକ୍ତିଙ୍କ ନିଯୁକ୍ତି ସଂପର୍କରେ ସ୍କୁଲରେ ରିଜୋଲେସନ ହୋଇଥିଲେ ମଧ୍ୟ ବିନା ବିଜ୍ଞପ୍ତି ତଥା ଟିଲୋ ଜନସାଧାରଣଙ୍କ ଅଗୋଚରରେ କିପରି ଜଣଙ୍କୁ ନିଯୁକ୍ତି ଦିଆଗଲା ତାହା ତଦନ୍ତ ସାପେକ୍ଷ ବୋଲି ଅଭିଯୋଗରେ ଦର୍ଶାଯାଇଛି । ୭ଦିନ ମଧ୍ୟରେ ଉକ୍ତ ଘଟଣାର ବିଧିବଦ୍ଧ ତଦନ୍ତ କରି ପଦକ୍ଷେପ ଗ୍ରହଣ ନକଲେ ବିଦ୍ୟାଳୟ ଗେଟ୍‌ରେ ତାଲା ପକାଇ ଗଣଧାରଣା ଦିଆଯିବ ବୋଲି ଏସ୍‌.ଏଚ୍‌.ଜି ମହିଳାମାନେ ପୂର୍ବରୁ ସୂଚନା ଦେଇଥିଲେ । ସେହି ଅନୁଯାୟୀ ଆଜି ମହିଳା ମାନେ ବିଦ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବା ଦେଖାଯାଇଥିଲା । ଅପରପକ୍ଷେ ପ୍ରଧାନ ଶିକ୍ଷୟିତ୍ରୀ ରୀନାରାଣୀ ଦେଙ୍କ କହିବା ଅନୁଯାୟୀ ବିଦ୍ୟାଳୟର ଜଗାରଖା ପାଇଁ ପୂର୍ବରୁ ୪ ଜଣ ବ୍ୟକ୍ତି ଦୈନିକ ମଜୁରରେ ମାସକିଆ କାର୍ଯ୍ୟ କରୁଥିଲେ । ପରେ ଡିଇଓଙ୍କ ଚିଠି ନଂ-୮୬୨୩/ତା-୧୮-୯-୨୩ ରିଖ ବଳରେ ଜଗାରଖା ଓ ହାଉସ କିପିଂ ପାଇଁ ଶିବଶକ୍ତି ଏସ୍‌.ଏଚ୍‌.ଜି ସହିତ ବିଦ୍ୟାଳୟର ଚୁକ୍ତିନାମା ହୋଇଥିଲା । ଜଗାରଖା ପାଇଁ ଏସ୍‌.ଏଚ୍‌.ଜି ପକ୍ଷରୁ ଜଣକ ନାମ ଦିଆଯାଇଥିଲା । ସେହି ଅନୁଯାୟୀ ସଂପୃକ୍ତ ବ୍ୟକ୍ତିଙ୍କୁ ଜଗାରଖା ପାଇଁ ରଖା ଯାଇଥିଲା । ଏଥିରେ ଆମର କୌଣସି ଭୂମିକା ନାହିଁ । ସରକାରୀ ନିର୍ଦ୍ଦେଶ ଅନଯାୟୀ କାର୍ଯ୍ୟ କରୁଛୁ ବୋଲି ସେ କହିଥିଲେ । ଏସଂପର୍କରେ ପଞ୍ଚାୟତ ଷ୍ଟାଣ୍ଡିଂ କମିଟି ଚେୟାରମ୍ୟାନ୍ ତଥା ସରପଞ୍ଚ ସଂଗ୍ରାମ କେଶରୀ ଜେନାଙ୍କୁ ପଚାରିବାରୁ ଏହି ପଦବୀରେ ନିଯୁକ୍ତି ସଂପର୍କରେ ବିଦ୍ୟାଳୟ ତରଫରୁ ତାଙ୍କୁ କେହି ଜଣାଇ ନଥିବା କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ