ସ୍ତନ୍ୟପାନ କରାଉଥିବା ମା’ଙ୍କୁ ଡାଇବେଟିସ୍ ଆଶଙ୍କା କମ୍
ଜନ୍ମ ପରେ ନବଜାତକଙ୍କୁ ସ୍ତନ୍ୟପାନ କରାଉଥିବା ମହିଳା ଡାଇବେଟିସରୁ ଦୂରେଇ ରୁହନ୍ତି । ସେମାନଙ୍କ କ୍ଷେତ୍ରରେ ଡାଇବେଟିସ୍ ଆଶଙ୍କା ହ୍ରାସ ପାଇଥାଏ ବୋଲି ଚିକିତ୍ସା ବିଜ୍ଞାନୀ ପରାମର୍ଶ ଦେଇଥାନ୍ତି । ଶିଶୁଙ୍କୁ ୬ମାସ କିମ୍ବା ଏହାଠାରୁ ଅଧିକ ସମୟ ସ୍ତନ୍ୟପାନ କରାଇଲେ ଟାଇପ୍-୨ ଡାଇବେଟିସ୍ ଦେଖାଯାଇ ନ ଥାଏ । ଏଭଳି ମହିଳାଙ୍କଠାରେ ଡାଇବେଟିସ୍ ଆଶଙ୍କା ୪୭ ପ୍ରତିଶତ କମିଯାଇଥାଏ ବୋଲି ଡାକ୍ତରମାନେ ସୂଚିତ କରିଛନ୍ତି । ପୂର୍ବରୁ ଜଣାପଡିଥିଲା ଯେ, ସ୍ତନ୍ୟପାନ କରାଇବା ଦ୍ୱାରା ସ୍ତନ ଓ ଗର୍ଭାଶୟ ଗ୍ରୀବା କର୍କଟ ହୋଇ ନ ଥାଏୟ ସ୍ତନ୍ୟପାନ ଉଭୟ ମା’ ଓ ଶିଶୁ ପାଇଁ ସୁରକ୍ଷା କବଚ ସଦୃଶ୍ୟ କାର୍ଯ୍ୟ କରିଥାଏ । ଗର୍ଭଧାରଣ ସମୟରେ ମା’ଠାରେ ସାମୟିକ ଭାବେ ଡାଇବେଟିସ୍ ରୋଗ ଦେଖାଯାଇଥାଏ । ପରବର୍ତ୍ତୀ ସମୟରେ ଏହା ଦୂର ହୋଇଯାଇଥାଏ । ରକ୍ତରେ ଶର୍କରା ମାତ୍ରାରେ ତାରତମ୍ୟ ଯୋଗୁ ଏହା ହୋଇଥାଏ । ଅଧିକ ଦିନ ଧରି ଶିଶୁକୁ ସ୍ତନ୍ୟପାନ କରାଉଥିବା ମହିଳାଙ୍କ ଜୈବିକ କ୍ରିୟାରେ କେତେକ ପରିବର୍ତ୍ତନ ହୋଇଥାଏ । ଯାହାଦ୍ୱାରା
ରକ୍ତ ଶର୍କରାରେ ସମନ୍ୱୟ ସୃଷ୍ଟି ହୋଇଥାଏ । ଫଳରେ ଏଭଳି ମହିଳାଙ୍କଠାରେ ପରବର୍ତ୍ତୀ ଜୀବନରେ ଟାଇପ୍-୨ ଡାଇବେଟିସ୍ ରୋଗ ଦେଖାଯିବାର ଆଶଙ୍କା କମିଯାଇଥାଏ ବୋଲି ଚିକିତ୍ସା ବିଜ୍ଞାନୀ ସୂଚିତ କରିଛନ୍ତି ।


