ସ୍ତ୍ରୀ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ
କେନ୍ଦୁଝର, (ଯୁଗାବ୍ଦ ନ୍ୟୁଜ):ଏକ ହତ୍ୟା ମାମଲାର ବିଚାର କରି କେନ୍ଦୁଝର ଜିଲ୍ଲା ଜଜ୍ ଅଶୋକ କୁମାର ପଣ୍ଡା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଖରବା ଗ୍ରାମର ବୁଗୁନିଆ ଜୁଆଙ୍ଗ(୪୭)ଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫ ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ଅଧିକ ୧ ମାସ ସଶ୍ରମ କାରା ଦଣ୍ଡାଦେଶ ଶୁଣାଇଛନ୍ତି । ଘଟଣାରୁ ପ୍ରକାଶ ଯେ, ବୁଗୁନିଆ ଜୁଆଙ୍ଗ ପରକ୍ରିୟା ପ୍ରୀତିକୁ ନେଇ ସ୍ତ୍ରୀ ଚମ୍ପି ଜୁଆଙ୍ଗ(୩୨) ପ୍ରତିବାଦ କରି ଆସୁଥିଲେ । ୦୪/୦୯/୨୦୧୭ରେ ଚମ୍ପି ଜୁଆଙ୍ଗ ମଧ୍ୟାହ୍ନ ୧ଟା ବେଳେ ଘର ବାରଣ୍ଡାରେ ବସିଥିବାବେଳେ ସ୍ୱାମୀ ତାକୁ ଘର ଭିତରକୁ ଟାଣି ନେଇ ଗୋଟିଏ ଶାବଳରେ ମୁଣ୍ଡକୁ ଶକ୍ତ ଭାବେ ଆଘାତ ଦେଇଥିଲେ । ପାଟିତୁଣ୍ଡ ଶୁଣି ପଡୋଶୀ ଘରେ ଥିବା ଝିଅ ଘଟଣାସ୍ଥଳକୁ ଆସି ପହଁଚିବା ବେଳେ ମା’ ମରି ପଡିଥିବା ଦେଖିବାକୁ ପାଇଥିଲା । ଘଟଣା ପରେ ବୁଗୁନିଆ ଜୁଆଙ୍ଗ ମୃତ ଶରୀରକୁ ନିକଟସ୍ଥ ଦୁମାଣି ଜଙ୍ଗଲ ପାଖ ନାଳ ନିକଟରେ ପୋଡି ଦେଇଥିଲା । ଘଟଣା ସମ୍ପର୍କରେ ଜାଣିବା ପରେ ମୃତକର ସାନ ଭାଇ କୈଳାଶ ଜୁଆଙ୍ଗ ହରିଚନ୍ଦନପୁର ଥାନାରେ ୧୧ ତାରିଖରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ କେସ ନମ୍ବର ୮୯/୨୦୧୭ରେ ଏକ ହତ୍ୟା ମାମଲା ରୁଜୁ କରି ଶବ ପୋଡା ଯାଇଥିବା ସ୍ଥାନରୁ ହାଡ, ପାଉଁଶ ଏବଂ ପାଖରେ ଏକ ବୁଦାରୁ ଶାବଳ ଜବତ୍ କରିବା ସହ ବୁଗୁନିଆ ଜୁଆଙ୍ଗ ଙ୍କୁ ଗିରଫ କରିଥିଲା । ସେହିଦିନ ଠାରୁ ସେ ବିଚାରଧିନ ବନ୍ଦୀ ଭାବେ କେନ୍ଦୁଝର ଜିଲ୍ଲା କାରାଗାରରେ ଥିଲେ । ଝିଅ ସମେତ ୧୧ଜଣ ସାକ୍ଷୀ ଏବଂ ସାଇନଟିଫିକ୍ ରିପୋର୍ଟ ଆଧାରରେ ଜିଲ୍ଲା ଦୌରାଜଜ ଅଶୋକ କୁମାର ପଣ୍ଡା ଆଜି ଏହି ମାମଲାର ଶୁଣାଣୀ କରି ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସରକାରଙ୍କ ତରଫରୁ ପିପି ପ୍ରଦୀପ କୁମାର ଦାସ ମାମଲା ପରିଚାଳନା କରୁଥିଲେ ।