ସ୍ଥାନୀୟ ଶୀଳ୍ପରେ କୋଇଲା ସଙ୍କଟକୁ ନେଇ ଏଆଇଇବିଏ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ଓଡ଼ିଶାରେ ଦେଖାଦେଇଥିବା ଉତ୍କଟ କୋଇଲା ସଙ୍କଟ ନେଇ ଆସୋସିଏଶନ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଏଂଟ୍ରପ୍ରିୟୁନରର୍ସ ଅଫ୍ ଭୁବନେଶ୍ୱର (ଏଆଇଇବିଏ) ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ଲୋଡ଼ାଯାଇ ଚିଠି ଲେଖାଯାଇଛି । ଯାହାଦ୍ୱାରା ଆବଶ୍ୟକ ପରିମାଣର କୋଇଲା ଉପଲବ୍ଧ ହୋଇ ପାରିବ । ସାମ୍ପ୍ରତିକ କୋଇଲା ସଙ୍କଟ ଯୋଗୁ ମାନ୍ୟୁଫାକଚରିଂ ସେକ୍ଟର ଅଧିକ ପ୍ରଭାବିତ ହେବାରେ ଲାଗିଛି । ଏହା ଲାଗି ରହିଲେ ରାଜ୍ୟର ଶିଳ୍ପ କାର୍ଯ୍ୟକାରିତା ଉପରେ ସଙ୍କଟ ସୃଷ୍ଟି ହେବାର ଆଶଙ୍କା ରହିଛି । ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଏଆଇଇବିଏ ସଭାପତି ଅଳି କିଶୋର ପଟ୍ଟନାୟକ ଲେଖିଥିବା ଚିଠିରେ କୋଇଲା ଅଭାବ ନେଇ ସରକାରୀ ନୀତିରେ ସଂସ୍କାର ସମ୍ପର୍କରେ ଉଲ୍ଲେଖ କରିଛନ୍ତି । କୋଇଲା ଅଭାବ ଯୋଗୁ ରାଜ୍ୟର ବ୍ୟବସାୟିକ ବିକାଶ, ରାଜସ୍ୱ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଥିବା ଶିଳ୍ପ ସଂସ୍ଥା ଗୁଡ଼ିକୁ ଗୁରୁତର ପ୍ରଭାବିତ କରିବ । ତେଣୁ ଏନେଇ ତୁରନ୍ତ ପଦକ୍ଷେପ ଜରୁରୀ ବୋଲି ଚିଠିରେ ଦର୍ଶାଯାଇଛି । ସେ ଚିଠିରେ ସୂଚିତ କରିଛନ୍ତି ଯେ, ଓଡ଼ିଶାର କ୍ୟାପ୍ଟିଭ୍ ପାୱାରା ପ୍ଲାଂଟ୍ ଶିଳ୍ପସଂସ୍ଥାଗୁଡ଼ିକଙ୍କ ପାଖରେ ନିର୍ଦ୍ଦେଶିତ ୧୫ ଦିନ ବଦଳରେ ମାତ୍ର ୨-୩ ଦିନ ପାଇଁ କୋଇଲା ମହଜୁଦ୍ ରହିଛି । ଏହା ଯୋଗୁ ପାୱାର ସେକ୍ଟରରେ ସଙ୍କଟ ଦେଖାଦେବା ସହିତ ୯ରୁ ୧୦ ଦିନର ଗଚ୍ଛିତ କୋଇଲା ପ୍ରଭାବିତ ହେବାରେ ଲାଗିଛି । କୋଇଲା କ୍ୟାପ୍ଟିଭ୍ ପାୱାର ପ୍ଲାଂଟ୍ର ମୁଖ୍ୟ କଂଚାମାଲ ହୋଇଥିବାରୁ ଏସବୁ ପ୍ଲାଂଟ୍ ସୁଚାରୁରୂପେ କାର୍ଯ୍ୟ କରିବାରେ ସଙ୍କଟ ଦେଖାଦେଇଛି । ଏପରିସ୍ଥଳେ କୋଲ ଇଣ୍ଡିଆ ଲିମିଟେଡ୍/ମହାନଦୀ କୋଲଫିଲ୍ଡ ଲିମିଟେଡ୍ ପୁଣିଥରେ ଚଳିତ ସପ୍ତାହରେ ନିର୍ଦ୍ଦେଶ ଜାରି କରି ସୂଚିତ କରିଛନ୍ତି ଯେ, ନନ୍-ପାୱାର ସେକ୍ଟରରୁ ପାୱାର ସେକ୍ଟରକୁ କୋଇଲା ଯୋଗାଣକୁ ଜାରି ରଖିବା ଆବଶ୍ୟକ । ଫଳରେ ମାନ୍ୟୁଫାକଚରିଂ ସେକ୍ଟର ଭଳି ନନ୍-ପାୱାର ସେକ୍ଟରର ସଙ୍କଟ ବଢ଼ିବାରେ ଲାଗିଛି । ଚିଠିରେ ଉଲ୍ଲେଖ ହୋଇଛି ଯେ, ୨୦୨୧ ଅଗଷ୍ଟଠାରୁ କ୍ୟାପ୍ଟିଭ୍ ପାୱାର ପ୍ଲାଂଟ୍ ଗୁଡିକ ସେମାନଙ୍କର ଆବଶ୍ୟକତାର ମାତ୍ର ୪୦-୫୦ପ୍ରତିଶତ କୋଇଲା ପାଉଛନ୍ତି । ଫଳରେ ୧୫୦୦ ର୍ୟାକ୍ରୁ ଅଧିକ କୋଇଲା ବକେୟା ରହିଛି । ଉପଲବ୍ଧ କୋଇଲାର ଅଧିକାଂଶ ପରିମାଣ କ୍ୟାପ୍ଟିଭ୍ ପାୱାର ପ୍ଲାଂଟ୍ ଠାରୁ ଦୂରେଇ ଦିଆଯାଉଛି । ଫଳରେ ପାୱାର ପ୍ଲାଂଟ୍ର ଉତ୍ପାଦନ ବହୁ ପରିମାଣରେ କମିବାରେ ଲାଗିଛି । ଏହା ଦ୍ୱାରା ଗୁରୁତର ସ୍ଥିତି ଘନେଇବାରେ ଲାଗିଛି । ଏଆଇଇବିଏ ମୁଖ୍ୟ ଚିଠିରେ ଦର୍ଶାଇଛନ୍ତି ଯେ, ମାନ୍ୟୁଫାକଚରିଂ ସେକ୍ଟର ଓଡ଼ିଶାର ସାମାଜିକ-ଆର୍ଥିକ ବିକାଶ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ମାତ୍ର ସାମ୍ପ୍ରତିକ ସ୍ଥିତି ଯୋଗୁ ଉତ୍ପାଦନ ପ୍ରଭାବିତ ହେବା ସହିତ ଏହାର ପ୍ରତିଫଳନ ଉପଭୋକ୍ତାଙ୍କ ଉପରେ ଅନୁଭୁତ ହେବାରେ ଲାଗିଛି । ଏହା ଯୋଗୁ ରାଜ୍ୟର ସ୍ଥାନୀୟ ଶିଳ୍ପ ପାଇଁ ସଙ୍କଟ ଦେଖାଦେଇଛି । ଫଳରେ ଏମଏସଏମଇ କ୍ଷେତ୍ରରେ ଏକ ନିୟୁତରୁ ଅଧିକ ଲୋକ ନିଯୁକ୍ତି ହରାଇ ବେକାର ହେବାର ଆଶଙ୍କା ସୃଷ୍ଟି ହୋଇଛି । ସେହିପରି ରପ୍ତାନୀ କ୍ଷେତ୍ରରେ କ୍ଷତି ଯୋଗୁ ୧୫,୦୦୦ କୋଟି ଟଙ୍କାର ଫରେକ୍ସ ହାନୀ ହେବା ସହିତ ବିଶ୍ୱସ୍ତରୀୟ ନିବେଶକଙ୍କ ପାଇଁ ବାଧା ସୃଷ୍ଟି କରିଛି । ତେଣୁ ଏକ୍ଷେତ୍ରରେ ସରକାରୀ ହସ୍ତକ୍ଷେପ ଅପରିହାର୍ଯ୍ୟ ହୋଇପଡ଼ିଛି ବୋଲି ଏଆଇଇବିଏ ସଭାପତି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦ୍ୱାରା ଓଡ଼ିଶାର କ୍ୟାପ୍ଟିଭ୍ ପାୱାର ପ୍ଲାଂଟ୍କୁ କୋଇଲା ଯୋଗାଣ ୧୦୦ ପ୍ରତିଶତ କରାଇବା ଆବଶ୍ୟକ । ସ୍ଥାନୀୟ ଶିଳ୍ପସଂସ୍ଥାଗୁଡ଼ିକର ଦାବିକୁ ପ୍ରାଥମିକତା ସହିତ ଗ୍ରହଣ କରିନେଇ ରାଜ୍ୟର କୋଇଲା ଉତ୍ପାଦନର ସିଂହ ଭାଗ ଯୋଗାଣ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ଉପଯୁକ୍ତ ପଦକ୍ଷେପ ଗ୍ରହଣ ଦ୍ୱାରା ରାଜ୍ୟର ରାଜସ୍ୱ ବୃଦ୍ଧି ପାଇବା ସହିତ ରାଜ୍ୟରେ ବହୁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ।


