ସ୍ଥାୟୀ ବିସର୍ଜନ କୁଣ୍ଡ ନିର୍ମାଣ ପାଇଁ ଉଠିଲା ଦାବୀ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଦିନକୁ ଦିନ ସ୍ମାର୍ଟ ନଗରୀ ଭୁବନେଶ୍ୱର ମଧ୍ୟରେ ରହିଥିବା ନଦୀ, ପୁଷ୍କରିଣୀ ଏବଂ ଅନ୍ୟାନ୍ୟ ଜଳାଶୟ ଗୁଡ଼ିକ ଧୀରେ ଧୀରେ ପ୍ରଦୂଷିତ ହେବାରେ ଲାଗିଛି । ଏ ନେଇ ସରକାର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇ ପୁନଃରୁଦ୍ଧାର କାର୍ଯ୍ୟ ଜାରି ରଖିଥିଲେ ସୁଦ୍ଧା କ’ଣ ହେବ । ଯଥା ପୂର୍ବଂ ତଥା ପରଂ । ଯାହାକୁ ତାହା । ଲକ୍ଷ୍ୟ କଲେ ଜଣାପଡ଼େ, ଏଠି ପ୍ରତ୍ୟେହ ଲୋକମାନେ ନଦୀ, ପୁଷ୍କରିଣୀ ଇତ୍ୟାଦି ଗର୍ଭ ମଧ୍ୟକୁ ବିସର୍ଜନ ନାଁରେ ବିଷଯୁକ୍ତ ବର୍ଜ୍ୟ ଫୋପାଡ଼ି ଚାଲିଥିଲେ ମଧ୍ୟ ନା ଏଥିପାଇଁ କୌଣସି ତାଗିଦ୍ ଅଛି ନା କଟକଣା ଅଛି ନା ରହିଛି କିଛି ସ୍ଥାୟୀ ବ୍ୟବସ୍ଥା । କେଉଁଠି କେଉଁଠି ଜଳ ବି ଜହର ପାଲଟି ଗଲାଣି । ଏ ନେଇ ପରିବେଶବିତ୍ ସୁଶାନ୍ତ ସାହୁ ଚିନ୍ତା ପ୍ରକଟ କରିବା ସହ ଭୁବନେଶ୍ୱର ମହାନଗର ନିଗମର କମିଶନର ବିଜୟ ଅମୃତ କୁଲାଙ୍ଗେଙ୍କୁ ପତ୍ର ମାଧ୍ୟମରେ ନଦୀ, ପୁଷ୍କରିଣୀ ନିକଟରେ ସ୍ଥାୟୀ ଭାବରେ ବିସର୍ଜନ କୁଣ୍ଡ ନିର୍ମାଣ ଲାଗି ପ୍ରସ୍ତାବ ରଖିଛନ୍ତି । ଶ୍ରୀ ସାହୁ ପତ୍ରରେ ଉଲ୍ଲେଖ କରିଛନ୍ତି ରାତି ପାହିଲେ ଜନସାଧାରଣ ଠାକୁରଙ୍କ ପୂଜାପାଠ ଓ କର୍ମକାଣ୍ଡ ପରେ ବାହାରୁଥିବା ବର୍ଜ୍ୟ ଯଥା-ପଲିଥିନ୍, ପ୍ଲାଷ୍ଟିକ, ରାସାୟନିକଯୁକ୍ତ ରଙ୍ଗର ଦେବାଦେବୀଙ୍କ ମୂର୍ତ୍ତି, କାଚବନ୍ଧେଇ ଯୁକ୍ତ ଠାକୁରଙ୍କ ଫଟୋ, ଫୁଲ, ଫଳ, ଡ଼ାଳ, କାଠ, ଥର୍ମୋକୁଲ, କପଡ଼ା, ବାଲି, ମାଟି, ଗୋବର ଇତ୍ୟାଦି ଗୁଡ଼ିକୁ ବିଭିନ୍ନ ଜଳାଶୟରେ ବିଜର୍ସନ ନାଁରେ ଫିଙ୍ଗି ଦେଇ ଚାଲି ଆସିଥାନ୍ତି । ଏଥିପାଇଁ ବିଶେଷକରି ବ୍ରାହ୍ମଣ, ପୁରୋହିତ ବା ପୂଜକମାନେ ପରାମର୍ଶ ଦେଇଥାନ୍ତି । ଲୋକେ ଏହାକୁ ଅକ୍ଷରେ ଅକ୍ଷରେ ପାଳିଥାନ୍ତି । ଏହାର ପ୍ରଭାବ ପରିବେଶ, ଜଳ ଓ ଜଳଚର ଜୀବମାନେ କିଭଳି ରୂପେ କ୍ଷତିଗ୍ରସ୍ତ ହୋଇଥାନ୍ତି ତାହା ଟିକିଏ ବି କେହି ଚିନ୍ତା କରନ୍ତି ନାହିଁ । ଯଦ୍ୱାରା ଜଳର ଗୁଣ ଓ ମାନ ସବୁ କିଛି ନଷ୍ଟ ହୋଇଯାଏ । ଶେଷରେ କିଛି ବର୍ଷ ମଧ୍ୟରେ ଏହା ପୋତି ହୋଇଯାଏ । ଯଦି ପ୍ରତ୍ୟେହ ଏପରି ଚାଲେ ପ୍ରଥମତଃ ପିଇବା ପାଇଁ ପାନୀୟ ଜଳ ବି ମିଳିବ ନାହିଁ । ଦ୍ୱିତୀୟରେ ଜଳ ହୋଇଯିବ ଜହର! ଜନସାଧାରଣଙ୍କ ଦ୍ୱାରା ପ୍ରତ୍ୟେହ ନଦୀ, ପୁଷ୍କରିଣୀ ଇତ୍ୟାଦି ମଧ୍ୟକୁ ବିଜର୍ସନ ନାଁରେ ବିଷ ପରି ବର୍ଜ୍ୟ ଫିଙ୍ଗା କାର୍ଯ୍ୟକୁ ରୋକିବାକୁ ହେଲେ ସ୍ଥାୟୀ ବିସର୍ଜନ କୁଣ୍ଡ ନିର୍ମାଣର ଯଥେଷ୍ଟ ଆବଶ୍ୟକତା ରହିଛି । ଏ ନେଇ ଜନସାଧାରଣଙ୍କୁ ସଚେତନ କରିବା ସହ ବିଭାଗୀୟ କର୍ତ୍ତୃପକ୍ଷ ଏ ନେଇ ମାର୍ଗଦର୍ଶିକା ଜାରି କରନ୍ତୁ ବୋଲି ଶ୍ରୀ ସାହୁ କହିଛନ୍ତି ।