ସ୍ବଚ୍ଛତା ଓ ପରିମଳ ଉପରେ  ଗୁରୁତ୍ବ ଦେବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଛତ୍ରପୁର,(ଦେବଦତ୍ତ ମହାରଣା): ଓଡିଶାକୁ ୧୯୨୧ ମସିହାମାର୍ଚ୍ଚ ମାସ ୨୩ ତାରିଖରେ ସର୍ବ ପ୍ରଥମେ ଗସ୍ତ ରେ ଆସିଥିଲେ ଜାତିର ପିତା ମହାତ୍ମା ଗାନ୍ଧିଜୀ  । ତାଙ୍କର ଏହି ଗସ୍ତକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଓଡିଶାର ମୁଖ୍ୟମନ୍ତ୍ରୀ ସ୍ବଚ୍ଛ ସୁନ୍ଦର ସହର ପୁରସ୍କାର ପ୍ରଦାନ କରିବାକୁ ଯାଉଛନ୍ତି  । ଏହି ନିର୍ମଳ ସହର ପୁରସ୍କାର ଜିଲ୍ଲାର ପ୍ରତିଟି ଅଞ୍ଚଳ ଯେମିତି ପାଇବ ସେ ନେଇ ପୂର୍ବରୁ ଚାଲିଥିବା ସହରୀ ବିକାଶ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବା ସକାଶେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋର୍ ଦେଇଛନ୍ତି  । ସହରାଞ୍ଚଳ ବିକାଶ ଯୋଜନା କାର୍ଯ୍ୟରେ ପରିମଳ ବ୍ୟବସ୍ଥା ଓ ସଫେଇ କାର୍ଯ୍ୟକୁ ଯେପରି ଠିକ୍ ରୂପେ କରାଯାଇ ସମସ୍ତ ଆବର୍ଜନା, ବର୍ଜ୍ୟବସ୍ତୁ ପରିଚାଳନା ଟ୍ରିଟମେଣ୍ଟ  ପ୍ଲାଣ୍ଟକୁ ଯିବ ସେଦିଗରେ ଦୃଷ୍ଟି ଦେବାକୁ ସମସ୍ତ କାର୍ଯ୍ୟନିର୍ବାହୀ ଅଧିକାରୀଗଣଙ୍କୁ ନିର୍ଦ୍ଦେଶ ଦେଇଛନ୍ତି  । ଶୁକ୍ରବାର ଅନୁଷ୍ଠିତ ସମୀକ୍ଷା ବୈଠକରେ ସହରାଞ୍ଚଳ ଗୁଡିକର ପରିମଳ ବ୍ୟବସ୍ଥା,ଚଢାଉ,ବସ୍ତି ଅଞ୍ଚଳ ଗୁଡିକର ପ୍ରଗତି, ପରିଚୟ ଓ ମିଶନ୍ ଶକ୍ତି ଗୃହ,ସ୍ବଚ୍ଛ ସର୍ବେକ୍ଷଣ, ମୋ ଖତପ୍ରସ୍ତୁତି ଓ ବିକ୍ରିବଟା, ବିଜ୍ଞାପିତ ଅଞ୍ଚଳ ପରିଷଦ ସୌନ୍ଦର୍ଯ୍ୟକରଣ, ଆଧୁନିକ ପାର୍କ, ଆଧୁନିକ ଶବଦାହ କେନ୍ଦ୍ର, ସର୍ବ ସାଧାରଣ ଶୌଚାଳୟ ଇତ୍ୟାଦି ସମସ୍ତ ବିଷୟ ନେଇ ଆଲୋଚନା କରିଥିଲେ  । ମୋ ଓ୍ବାର୍ଡର ଶତକଡା ୭୮ ପ୍ରତିଶତ କାର୍ଯ୍ୟ ସଫେଇ ନିମନ୍ତେ ଦୃଷ୍ଟି ଦେବାକୁ କୁହାଯାଇଛି  । ବଳକା ୨୨ ପ୍ରତିଶତ କାର୍ଯ୍ୟ ରାସ୍ତା ଆଲୋକୀକରଣ ଏବଂ ଅନ୍ୟାନ୍ୟ ଆନୁସଙ୍ଗୀକ ଉନ୍ନୟନ  କାର୍ଯ୍ୟ ହେବା ନିୟମ ରହିଛି  । ଏଣୁକରି ସଫେଇ   ଦିଗରେ ଅଧିକ ଧ୍ୟାନ ଦେବାକୁ ବୈଠକରେ କୁହାଯାଇଥିଲା  । ପ୍ରତ୍ୟେକ ଗୃହକର୍ତ୍ତା ଓ ଦୋକାନୀ ମାଲିକଗଣ ସେମାନଙ୍କ ଗୃହ ବା ଦୋକାନ ସମ୍ମୁଖରାସ୍ତା ୫ ମିଟର ପର୍ଯ୍ୟନ୍ତ ସଫେଇ ସେମାନେ ନିଜ ଦାୟୀତ୍ବରେ କରିବେ  । ରାସ୍ତାରେ ମଇଳା ପକାଇବା ବାରଣ କରାଯାଇଛି  । ଯାହା ମଇଳା ନିର୍ଗତ ହେଉଛି ସେଗୁଡିକ ଡଷ୍ଟବିନ୍ ରେ  ରଖି ମଇଳା ସଂଗ୍ରହ ଗାଡି ଆସିଲେ ସେସବୁ ଜିମା ଦେବେ  । ପ୍ଲାଷ୍ଟିକ୍ ବ୍ୟାଗ୍ ସମ୍ପୂର୍ଣ୍ଣ ବାରଣ କରାଯାଇଛି  । ପେପର ବ୍ୟାଗ୍ କିମ୍ବା ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ବାରା ପ୍ରସ୍ତୁତ ବ୍ୟାଗ୍ ବ୍ୟବହାର କରିବା ନେଇ ସଚେତନତା କରିବାକୁ କୁହାଯାଇଛି  । ରାସ୍ତା ପାର୍ଶ୍ବରେ ବୃକ୍ଷ ରୋପଣ କରାଯାଇ ବୃକ୍ଷର ଯତ୍ନ ନିମନ୍ତେ ବ୍ୟବହାର କରୁଥିବା ପ୍ରୋଟେକସନ୍ ଜାଲିରେ କେହି ପୋଷ୍ଟର ଲଗାଇବେ ନାହିଁ  । ନବବର୍ଷର ଶୁଭେଚ୍ଛା ଜଣାଇବା ସକାଶେ ରାସ୍ତା ପାର୍ଶ୍ବ ରେ ଟଙ୍ଗାଯାଇଥିବା ଫ୍ଲେକ୍ସ ଉଚ୍ଛେଦ କରାଯିବ  । ସେହିଭଳି ଶୁଭେଚ୍ଛା ପ୍ରଚାର ଫ୍ଲେକ୍ସ ଲଗାଇବା ନିମନ୍ତେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଠାରୁ ନିର୍ଦ୍ଦିଷ୍ଟ ଦିନ ପର୍ଯ୍ୟନ୍ତ ଲଗାଇବାକୁ ଅନୁମତିପତ୍ର ଗ୍ରହଣ କରିବେ ଏବଂ ନିର୍ଦ୍ଧାରୀତ ଦିନ ପରେ ସେଗୁଡିକ ସଂପୃକ୍ତ ବ୍ୟକ୍ତି ବିଶେଷ ହଟାଇବେ  । ସହରବାସୀ ବା ଦୋକାନୀ ଗଣ ନିଜଗୃହ ବା ଦୋକାନକୁ ଯେତେ ପରିମିଣରେ ମଇଳା ବା ଆବର୍ଜନା ବାହାରୁଛି ତାହାକୁ ଆଧାର କରି ସେହିପରିମାଣର ଡଷ୍ଟବିନ୍ ବ୍ୟବହାର କରିବାକୁ ଜିଲ୍ଲାପାଳ ଜଣାଇଥିଲେ  । କୌଣସି ଦୋକାନ ବିନା ଡଷ୍ଟବିନ୍ ରେ ରହିବ ନାହିଁ  ସେ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ  । ପ୍ରତ୍ୟେକ କାର୍ଯ୍ୟ ନିର୍ବାହୀ ଅଧିକାରୀ ସଫେଇ କାର୍ଯ୍ୟର ତଦାରଖ ନିଜେ କରନ୍ତୁ ତେବେଯାଇ ସଫେଇ କାର୍ଯ୍ୟର ପରିଚାଳନା ଠିକ୍ ରୂପେ ହୋଇପାରିବ  । ଜିଲ୍ଲାର ସମସ୍ତ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ପୁରୀ ପରିଦର୍ଶନ ନିମନ୍ତେ ନିଆଯିବ  । ପୁରୀଠାରେ ମଇଳା/ଆବର୍ଜନା ଓ ସଫେଇ କାର୍ଯ୍ୟ କିଭଳି ଚାଲିଛି ତାହା ଦେଖିବେ  । ରାସ୍ତାରେ କୌଣସି ଗୃହ ନିର୍ମାଣ ସାମଗ୍ରୀ ଗଚ୍ଛିତ କରାଯିବ ନାହି  । ସେଥି ସକାଶେ ଚଢାଉ କାର୍ଯ୍ୟକୁ ଯୋରଦାର କରି ଜୋରିମାନା ଆଦାୟ କରିବାକୁ କୁହାଯାଇଛି  । ଖୋଲା ସ୍ଥାନ କିମ୍ବା ଖାଲି ରହିଥିବା ସ୍ଥାନ ଗୁଡିକର ସଫେଇ ଦିଗରେ ପଦକ୍ଷେପ ଗ୍ରହଣ କରନ୍ତୁ  । ଯଦି ତାହା ଘରେଇ ଲୋକଙ୍କର ସ୍ଥାନ ହୋଇଥାଏ ତେବେ ସେମାନଙ୍କୁ ସେହିସ୍ଥାନ ସଫେଇ କରିରଖିବାକୁ ପ୍ରବର୍ତ୍ତାଇବାକୁ କୁହାଯାଇଛି  । ଗାଈ ଯେପରି ରାସ୍ତାରେ ରହିବେ ନାହିଁ ସେ ଦିଗରେ ପଦକ୍ଷେପ ଗ୍ରହଣ କରନ୍ତୁ  । ବସ୍ତି ଅଞ୍ଚଳକୁ ରାସ୍ତା, ଆଲେକୀ କରଣ, ଜଳଯୋଗାଣ କ୍ଷେତ୍ରରେ ଦେଖାଯାଉଥିବା ସମସ୍ୟା ସଂପୃକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା କରିବାକୁ କୁହାଯାଇଛି  । ନାଳ ନର୍ଦ୍ଦମାରେ ମଇଳା ପକାଇବାକୁ ବାରଣ କରାଯାଇଛି  । ନାଳ ଗୁଡିକ ସଫେଇ କରି ମଇଳା ସେହିଠାରେ ଶୁଖାଇବାପାଇଁ ନ ରଖି ତୁରନ୍ତ ସେସବୁ ମଇଳା ଗାଡିରେ ଉଠାଇବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ  । ସହରରୁ ସଂଗୃହୀତ ମଇଳାରୁ ପ୍ରୋସେସିଂ କରି ସଂଗୃହୀତ ହେଉଥିବା ମୋଖତ ଜିଲ୍ଲାସ୍ତରରେ ବ୍ରାଣ୍ଡିଂ କରି ବିକ୍ରି କରିବା ନିମନ୍ତେ ପଦକ୍ଷେପ ନେବାକୁ କୁହାଯାଇଥିଲା  । ବୈଠକରେ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଡୁଡାର ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଜିଲ୍ଲାଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତି ଶଂକର ରାୟ, ବ୍ରହ୍ମପୁର ଉନ୍ନୟନ ପରିଷଦ ସଚ୍ଚିବ ସମ୍ବିତ୍ ରାଉତ ପ୍ରମୁଖ ଉପସ୍ଥିତ ଥିଲେ  ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ