ସ୍ବପ୍ନ ଦେଖିଥିଲେ କ’ଣ, ହେଲା କ’ଣ : ଚାରିବର୍ଷ ହେଲା ଅଜଣା ରୋଗରେ ପୀଡିତା ଅନିତା 

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):ସ୍ୱପ୍ନ ଦେଖିଥିଲେ ନିଜ ଗରିବ ବାପାମା’ଙ୍କ ସାହାରା ପାଲଟିବେ। ନିଜ ଗୋଡ଼ରେ ଠିଆ ହୋଇ ଆୟ କରି ବାପାମା’ଙ୍କ ମୁହଁରେ ହସ ଫୁଟାଇବେ। ହେଲେ ବିଧିରବିଧାନ ଥିଲା ଅଲଗା। ବାପାମା’ଙ୍କ ସାହାରା ପାଲଟିବା ବଦଳରେ ନିଜେ ଅଜଣା ରୋଗରେ ପଡି ଶଯ୍ୟାଶାୟୀ ହୋଇ ବାପାମା’ଙ୍କ ସାହାରରେ ବଞ୍ଚିବାକୁ ପଡୁଛି। କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି. ଉଦୟଗିରି ଥାନାର ଗଦଗୁଡା ପଞ୍ଚାୟତର ପେନାଲା ଗ୍ରାମର ଅନିତା ନାୟକ ବୟସ ୩୦। ଗରିବ ପରିବାର ତିନି ଭଉଣୀ ଓ ଦୁଇ ଭାଇ। ବାପା ଦିନ ମଜୁରିଆ ଭାବେ କାର୍ଯ୍ୟ କରନ୍ତି। ଅନିତା ସ୍ଥାନୀୟ କଳିଙ୍ଗ ମହାବିଦ୍ୟାଳୟରେ ଯୁକ୍ତ ୨ ପାଠ ପଢିବା ପରେ ନିଜ ଘରର ଅବସ୍ଥା ଭଲ ନଥିବା ଦେଖି ୨୦୧୬ ମସିହାରେ କାମ ଅନ୍ୱେଷଣରେ ଭୁବନେଶ୍ୱର ଚାଲିଗଲେ । ସେଠାରେ ଏକ ହଷ୍ଟେଲରେ କେୟାରଟେକର ଭାବେ କାର୍ଯ୍ୟ କଲେ। କିଛି ମାସ କାମ କରିବା ପରେ ନିଜ ଘରକୁ ଛୁଟିରେ ଆସିଥିଲେ। ଦିନେ ଘରେ ଖାଇବାକୁ ବସିଥିବା ବେଳେ ଆଉ ଉଠିପାରିନଥିଲେ। ତାଙ୍କ ଅଣ୍ଟା ତଳକୁ କିଛି କାମ କଲାନି। ସଙ୍ଗେ ସଙ୍ଗେ ଫୁଲବାଣୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅନିତାଙ୍କୁ ନେଲେ।ହେଲେ ସେଠାରେ ଚିକିତ୍ସା ପରେ ସ୍ୱାସ୍ଥ୍ୟରେ ଉନ୍ନତି ନ ଆସିବାରୁ ଡାକ୍ତର ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ରେଫର କରିଦେଲେ। ସେଠାରେ ମଧ୍ୟ ଚିକିତ୍ସା ହେବା ପରେ ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ ଓ ଘରକୁ ଫେରିଆସିଲେ। ଦୀର୍ଘ ଚାରି ବର୍ଷ ହେଲା ଅନିତା ଶଯ୍ୟାଶାୟୀ।ଏବେ ଶେଯରେ ପଡିରହିଛନ୍ତି ସେ। ତାଙ୍କ ମା ସବୁ ସେବା କରୁଛନ୍ତି। ଅର୍ଥ ଅଭାବରୁ ବାହାରକୁ ଯାଇ ଚିକିତ୍ସିତ ହୋଇପାରୁନାହାନ୍ତି। ଶେଯରେ ପଡିପଡି ଦେହର କିଛି ଅଂଶ ଘା ହେବା ଆରମ୍ଭ ହେଲାଣି। ଅଣ୍ଟାରୁ ତଳକୁ କୌଣସି ଅଙ୍ଗ କାମ କରୁନଥିବା ଯୋଗୁଁ ଜଣେ ତାଙ୍କ ପାଖରେ ଚବିଶି ଘଣ୍ଟା ରହିବାକୁ ପଡୁଛି। ତାଙ୍କୁ ଘରୁ ବାହାରକୁ ନେବା ସମ୍ଭବ ହୋଇପାରିନି। ଏଣୁ ପ୍ରଶାସନ ପକ୍ଷରୁ ଅନିତାଙ୍କ ପାଇଁ ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥା କରିବାକୁ ପରିବାର ପକ୍ଷରୁ ନିବେଦନ କରିଛନ୍ତି। ଏହାସହ ଅନିତାଙ୍କ ଅବସ୍ଥା ଦେଖି ତାଙ୍କୁ ତୁରନ୍ତ ଭତ୍ତା ମଧ୍ୟ ପ୍ରଦାନ ବ୍ୟବସ୍ଥା କରିବାକୁ ସେ ଅନୁରୋଧ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ