ସ୍ବପ୍ନ ପୂରଣର ଅଭିଳାଷ
ଆଜିକାଲି ରାଜନୀତିରେ ଜେଜେବାପା, ବାପାଙ୍କର ସ୍ବପ୍ନ ପୁରଣର ଆକାଶଛୁଆଁ ଅଭିଳାଷ ରାଜନୈତିକ ପରିବାର ଭିତରେ । ସତରେ କିଏ କେତେ ସ୍ବପ୍ନ ଦେଖିଥିଲେ ଆଉ ସେ ସ୍ବପ୍ନ ସବୁ କେଉଁଠି ଲିପିବଦ୍ଧ ହୋଇ ରହିଛି, ସେକଥା ବି କାହାକୁ ଜଣାନାହିଁ । ସ୍ବପ୍ନ ଦେଖିବାକୁ କାହାକୁ ମନା ନାହିଁ, କିନ୍ତୁ ଜେଜେବାପା ଆଉ ବାପା ଜିଇଁଥିବା ବେଳେ କେତେ ନିଜ ସ୍ବପ୍ନ ସାକାର କରିଛନ୍ତି ଓ ଲୋକମାନଙ୍କର , ସମାଜର,ଦେଶର କେତେ ସ୍ବପ୍ନ ପୁରଣ କରିଛନ୍ତି, ସେକଥା ସମୟ ଜାଣିଛି । “ବ୍ରାହ୍ମଣ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ” ନ୍ୟାୟରେ ଚାଲିଛି ଶାସନ । ଏମିତି ଭାବନା ଆଗରୁ ଥିଲା ଆଉ ଏବେବି ଅଛି ଆମ ମାନସିକତାରେ । ବେଳେ ବେଳେ ସମୟ ମିଳିଲେ ମୋତେ ମୋ ଜେଜେବାପା ବୟସର ଲୋକଙ୍କ ସହିତ ଗପିବାକୁ ଭାରି ଭଲଲାଗେ । ବୟସ୍କ ବିଜ୍ଞ ବ୍ୟକ୍ତି ମାନଙ୍କ ସହିତ କଥା ହୋଇ ସେମାନେ ଅତୀତରେ ଦେଖିଥିବା ସମୟ, ବର୍ତ୍ତମାନର ସମୟ, ତାଙ୍କ ମନର ଭାବନା ଓ ସ୍ବପ୍ନକୁ ଜାଣିବା ପାଇଁ ଭାରି ଇଚ୍ଛା ହୁଏ । ନିକଟରେ ସୁଯୋଗ ମିଳିଥିଲା ଏମିତି ଜଣେ ଅଳ୍ପ ପାଠ ପଢିଥିବା ବୟସ୍କ କିନ୍ତୁ ବିଜ୍ଞ ବ୍ୟକ୍ତିଙ୍କ ସହିତ କଥା ହେବାର । ସମ୍ମାନସ୍ପଦ ମଉସା ଜଣଙ୍କ ତାଙ୍କ ମନର ଭାବନା ଓ ସ୍ବପ୍ନକୁ ବଖାଣି ଥିଲେ ବେଶ୍ ସୁନ୍ଦର ଭାବରେ ଯାହା ମୁଁ ଆପଣମାନଙ୍କ ଆଗରେ ଉପସ୍ଥାପନା କରୁଛି । “ମୁଁ ଏମିତି ଏକ ସମାଜ ଦେଖିବାକୁ ଚାହୁଁଛି, ଯେଉଁଠି ନଥିବ ଈର୍ଷା, ଦ୍ୱେଷ, କ୍ରୋଧ, ଅହଂଙ୍କାର,ଅହମିକା, ପାପ, ବ୍ୟଭିଚାର, ଶୋଷଣ, ଅତ୍ୟାଚାର ଓ ପରଶ୍ରୀକାତରତା । ଏମିତି ଏକ ସୁସ୍ଥ ସୁନ୍ଦର ସମାଜର ସ୍ବପ୍ନ ମୁଁ ଦେଖୁଛି ଯେଉଁଠି ନଥିବ ଭୋକର ବିକଳ ଭୂଗୋଳ ନଗଡାର ଚିତ୍ର । ସବୁ ଲୋକମାନଙ୍କ ପାଖରେ ବଂଚିବାର, ଜୀବନ ଜିଇଁବାର ସର୍ବନିମ୍ନ ଆବଶ୍ୟକତା ଥିବ । ଖାଦ୍ୟ ବସ୍ତ୍ର ବାସଗୃହର ଅଭାବ ନଥିବ ଓ ମାଗଣାରେ ମିଳୁଥିବ ସମସ୍ତ ସ୍ବାସ୍ଥ୍ୟସେବା ଓ ଶିକ୍ଷା । ବିଦ୍ୟାଳୟ ଠାରୁ ବିଶ୍ବବିଦ୍ୟାଳୟର ପର୍ଯ୍ୟନ୍ତ ସବୁ ଶିକ୍ଷାନୁଷ୍ଠାନ ହେଇଥିବ ସୁନ୍ଦର ଆକର୍ଷଣୀୟ ଓ ପ୍ରତି ଶିକ୍ଷାନୁଷ୍ଠାନରେ ଥିବେ ଭଦ୍ର ,ମାର୍ଜିତ, ସମାୟନୁବର୍ତ୍ତୀତାକୁ ଭଲପାଉଥିବା ଦେଶପ୍ରେମୀ ଉଚ୍ଚ ଶିକ୍ଷିତ ଶିକ୍ଷକ ଯେଉଁମାନଙ୍କ ଭିତରେ ଥିବ କର୍ତ୍ତବ୍ୟ ପରାୟଣତା ପ୍ରତି ଗଭୀର ନିଷ୍ଠା । ପ୍ରତିଟି ଶିକ୍ଷାର ମନ୍ଦିରରେ ସିଲାବସ୍ ଅନୁସାରେ ପାଠ ପଢ଼ା ସହିତ, ଶାରିରୀକ ଶିକ୍ଷା,ନୀତି ନୈତିକତା , ଦେଶପ୍ରେମ ,ମଣିଷ ପଣିଆ, ସେବା ମନୋଭାବ, ସଂସ୍କୃତି ,ସଂସ୍କାର ଓ ସଭ୍ୟତା ବିଷୟରେ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ପ୍ରଦାନ କରାଯାଉଥିବ । ସେହି ଶିକ୍ଷାନୁଷ୍ଠାନ ମାନଙ୍କରୁ ଖାଲି ଟଙ୍କା ତିଆରି ମେସିନ୍ ବାହାରିବା ବଦଳରେ ବାହାରିବେ ହଜାର ହଜାର ସଂଖ୍ୟକ ଦେଶପ୍ରେମୀ ଶୁଶିକ୍ଷିତ ଯୁବକ ଯୁବତୀ ଯେଉଁମାନେ ଦେଶର ଉନ୍ନତି ଓ ପ୍ରଗତିରେ ହେବେ ବାହାକ । ସେମାନଙ୍କ ଭିତରେ ଖୁନ୍ଦି ହୋଇ ରହିଥିବ ଦୃଢ଼ ମନୋବଳ, ଅସୀମ ଇଚ୍ଛାଶକ୍ତି ଓ ଅଟଳ ଆତ୍ମ ବିଶ୍ବାସ ଯାହା ଜୀବନ ରାସ୍ତାରେ ଆସୁଥିବା ପ୍ରତ୍ୟେକ ସମସ୍ୟାକୁ ସହଜରେ ସାମ୍ନା କରିବାକୁ ତାଙ୍କୁ ସାହାଯ୍ୟ କରୁଥିବ । ପ୍ରତି ଡାକ୍ତରଖାନାରେ ଥିବେ ଆବଶ୍ୟକତା ମୂତାବକ ଡାକ୍ତର ଓ ଆଧୁନିକ ଚିକିତ୍ସା ପଦ୍ଧତିରେ ରୋଗ ନିରୁପଣ ଓ ନିରାକରଣର ସମସ୍ତ ସୁବିଧା । ଏହି ଶିକ୍ଷା ଓ ସ୍ବାସ୍ଥ୍ୟସେବା ବ୍ୟତିତ ଆଉ କୋୖଣସି ଲୋଭନୀୟ ସେବା ମାଗଣାରେ ଲୋକଙ୍କୁ ଦିଆଯିବ ନାହିଁ । ପ୍ରତିଟି ଗାଁକୁ ଥିବ ଯୋଗାଯୋଗ ଓ ଗମନାଗମନର ଭଲ ବ୍ୟବସ୍ଥା । ଗାଁ ଓ ସହର ଭିତରେ ଥିବା ତାରତମ୍ୟକୁ କମେଇବା ପାଇଁ ସମୟାନୁସାରେ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନିଆ ଯାଉଥିବ । ଯେହେତୁ ଗାଁରେ ଅଧିକ ଲୋକ ରହୁଛନ୍ତି ଓ ସେମାନେ କୃଷି ଉପରେ ପ୍ରାୟତଃ ନିର୍ଭରଶୀଳ, କୃଷି ଓ କୃଷକର ଉନ୍ନତି ପାଇଁ ଯାହା ଯାହା ପଦକ୍ଷେପ ନିଆଯିବା କଥା, ସେ ସମସ୍ତ ପଦକ୍ଷେପ ତୁରନ୍ତ ନିଆଯିବା ଦରକାର । ଜମିକୁ ଜଳସେଚନର ବ୍ୟବସ୍ଥା ସହିତ ଅତ୍ୟାଧୁନିକ ବୈଷୟିକ ଓ ବୈଜ୍ଞାନିକ ଜ୍ଞାନ କୌଶଳରେ କୃଷକ କେମିତି ଚାଷକାମ କରି ପାରିବ ଓ କୃଷିକ୍ଷେତ୍ରରୁ ଉତ୍ପାଦିତ ସାମଗ୍ରୀକୁ ଉଚିତ୍ ମୂଲ୍ୟରେ ବିକ୍ରୟ କରି ଲାଭବାନ ହେବ ସେ ଦିଗରେ ଯଥେଷ୍ଟ ଦ୍ଧାନ ଦେବାର ଅଛି । ଧାନ ଚାଷ ସହିତ,ବାଜରା,ଗହମ,ମକା, ମାଣ୍ଡିଆ, ସୋରିଷ,ଆଳୁ , ପିଆଜ ଓ ବିଭିନ୍ନ ପରିବା ଆଦି ଚାଷ ଉପରେ ବି ଗୁରୁତ୍ୱ ଦିଆଯିବା ଦରକାର । କୁକୁଡା ଚାଷ, ମତ୍ସ୍ୟ ଚାଷ,ଗୋପାଳନ ଇତ୍ୟାଦି ଉପରେ ଗୁରୁତ୍ୱ ଦେଇ କୃଷକର ମେରୁଦଣ୍ଡକୁ ଅଧିକ ମଜଭୁତ କରିବାର ଅଛି କାରଣ ଓଡ଼ିଶାର ହେଉ କି ଭାରତର, ସତୁରି ଭାଗରୁ ଅଧିକ ଲୋକ କୃଷିଭିତ୍ତିକ ଜିବିକା ଉପରେ ନିର୍ଭରଶୀଳ । ତେଣୁ କୃଷି ଓ କୃଷକର ଉନ୍ନତି ଅର୍ଥ ଦେଶର ପ୍ରଗତି । ଅନ୍ତତଃ ପ୍ରତି ବ୍ଲକ୍ ସ୍ତରରେ ଗୋଟିଏ ଲେଖାଏଁ କୋଲ୍ଡ ଷ୍ଟୋରେଜ ରହିବାର ବନ୍ଦୋବସ୍ତ ହେବା ଦରକାର ଯେଉଁଠି ଚାଷୀମାନେ ସେମାନଙ୍କର ଉତ୍ପାଦିତ ବଳକା ସାମଗ୍ରୀକୁ ଆଇନ୍ ଅନୁସାରେ ଧାର୍ଯ୍ୟ ମୂଲ୍ୟ ଦେଇ ରଖି ପାରିବେ । ଓଡ଼ିଶା ଓ ଭାରତରେ ଜଳ, ଖଣି ଖାଦାନର ଅଭାବ ନାହିଁ । ନୂତନ ଟେକ୍ନୋଲୋଜିର ଉଦ୍ଭାବନ ଓ ବିଜ୍ଞାନ ଦ୍ରୁତ ଗତିରେ ଅଗ୍ରସର ହେଇ ଚାଲିଛି । ତେଣୁ ପରିବେଶର ସନ୍ତୁଳନତା ରକ୍ଷାକରି ଯେତେଦୂର ସମ୍ଭବ ନୂଆ କଳକାରଖାନା ପ୍ରତିଷ୍ଠା ହେଉ ଯେଉଁଠି ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ନିଯୁକ୍ତିର ସୁଯୋଗ ମିଳିବ । କୋଇଲା, ଲୁହାପଥର ବିଦେଶକୁ ରପ୍ତାନୀ କରି ଯେତେ ଲାଭ ମିଳୁଛି, ତାକୁ ନିଜ ଦେଶରେ ଯଦି କଳକାରଖାନା ତିଆରି କରି ବ୍ୟବହାର କରାଯାଇ ପାରନ୍ତା, ତାହେଲେ ବହୁ ଗୁଣରେ ଦେଶର ଲାଭ ହୁଅନ୍ତା । ବେକାରୀ ସମସ୍ୟାର ସମାଧାନ ହେବା ସହିତ ଦେଶର ଦ୍ରୁତ ଅର୍ଥନୈତିକ ବିକାଶ ଆସି ପାରନ୍ତା । କଳକାରଖାନାରୁ ବାହାରୁଥିବା ଧୂଳିକଣା, ଧୂଆଁ ଓ ବିଷାକ୍ତ ଗ୍ୟାସ ସମସ୍ୟାର ସମାଧାନ ପାଇଁ ପୁରୁଣା ଜଙ୍ଗଲର ସୁରକ୍ଷା ସହିତ ଯେତେ ସମ୍ଭବ ନୁଆ ଜଙ୍ଗଲ ସୃଷ୍ଟି ଉପରେ ଗୁରୁତ୍ୱ ଦେବା ନିହାତି ଜରୁରୀ । ମୋତେ ବାବା, ନବେ ବର୍ଷ ପାଖାପାଖି ହେଲାଣି । ମୋ ହେତୁ ହେବା ଦିନଠାରୁ ମୁଁ ଏ ପବିତ୍ର ଭାରତବର୍ଷର ନେତାମାନଙ୍କୁ ଦେଖି ଆସୁଛି ଯେଉଁମାନଙ୍କ ଭିତରୁ ଅଧିକାଂଶ ନିଜର ସ୍ବାର୍ଥ, ଦଳୀୟ ସ୍ବାର୍ଥ ଆଗ ବିଚାର କରନ୍ତି , ଦେଶର ହିତ ଓ ଦେଶର ଉନ୍ନତି ସେମାନଙ୍କ ପାଇଁ ପଛ । ସାଧୁତା ଓ ଦୃଢ଼ ରାଜନୈତିକ ଇଚ୍ଛାଶକ୍ତିର ଅଭାବ, ଦୂରଦୃଷ୍ଟିର ଅଭାବ ପାଇଁ ଏ ଦେଶ ଏକ ବିକାଶଶୀଳ ଦେଶ ଭାବରେ ଗଣା ହେଉଛି । କେଉଁଥିରେ ଅଭାବ ନଥାଇ ଶସ୍ୟଶ୍ୟାମଳାପୂର୍ଣ୍ଣ ଏ ଦେଶ କାହିଁକି ପଛରେ ରହିବ । ସ୍ବାଧୀନତା ପ୍ରାପ୍ତିର ପାଖାପାଖି ଆଠ ଦଶନ୍ଧି ପରେ ବି ବହୁତ ଲୋକଙ୍କ ପାଖରେ ରହିବା ପାଇଁ ଘର ଖଣ୍ଡେ ନାହିଁ । ସ୍ବଚ୍ଛ ପାନୀୟ ଜଳର ବ୍ୟବସ୍ଥା ନାହିଁ । ନାହିଁ ନାହିଁରେ ଚାଲିଛି ଜୀବନ ଧକେଇ ଧକେଇ । କାହିଁକି ମୋ ରାଜ୍ୟ ଓଡ଼ିଶାର ଲୋକମାନେ ଅନ୍ୟ ରାଜ୍ୟକୁ ଦାଦନ ଶ୍ରମିକ ହୋଇ ଯିବେ ଓ ଅତ୍ୟାଚାରର ଶିକାର ହେବେ ??? ଗରୀବ୍ ହଟାଓ ଅଭିଜାନ ନାରାର ଅନ୍ତ ହେଉନି । ବୋଧହୁଏ ଗରୀବ୍ ହଟିଗଲେ, ଲୋକମାନେ ଶିକ୍ଷିତ ଓ ଦେଶପ୍ରେମୀ ହେଲେ, ନେତାମାନେ ଆଉ ଲୋକମାନଙ୍କୁ ସହଜରେ ଭକୁଆ ବନେଇ ପାରିବେନି । ଗରୀବ୍ ହଟାଇବା ଅଭିଜାନ ନାମରେ ବିଭିନ୍ନ ଯୋଜନା କରି ନିଜ ପକେଟ୍ ଭରିବାର ସୁଯୋଗ ପାଇବେନି । ଭଗବାନ ଜାଣନ୍ତି ଆହୁରି କେତେ ବର୍ଷ ଲାଗିବ ଏ ଦେଶରୁ ଦାରିଦ୍ର୍ୟ ଦୂରୀକରଣ ପାଇଁ । ଅନେକ ବିଦେଶୀ ଶକ୍ତି ଏ ଦେଶକୁ ବାରମ୍ବାର ଲୁଣ୍ଠନ କରିଛନ୍ତି । ଏବେବି କିଛି ଲୋକ ସେହି ବିଦେଶୀ ଲୁଣ୍ଠନକାରୀ , ଅତ୍ୟାଚାରୀ ପଶୁଙ୍କର ବଂଶଧର ଭଳିଆ ଆଚରଣ ପ୍ରଦର୍ଶନ କରୁଛନ୍ତି ଯାହା ମୁଁ ଟିଭିରେ ଦେଖୁଛି ଓ ଖବରକାଗଜରେ ପଢୁଛି । ଏଭଳି ଲୋକଙ୍କୁ ଜେଲ୍ ର ଅନ୍ଧାର ସେଲ୍ ଭିତରେ ରଖି ଖଟେଇ ଖଟେଇ ମାରିବା କଥା । ମୋର ସ୍ବପ୍ନ ଆକୁମାରୀ ହିମାଚଳ ଏ ବିଶାଳ ଦେଶରେ ଶାନ୍ତି ଓ ପ୍ରଗତିର ବିଜୟ ଧ୍ବଜା ଉଡୁ । ଧର୍ମ ଆଧାରରେ ଏ ଦେଶ ଭାଗ ଭାଗ ହୋଇଛି ହାତ ଗଣତି କେଇଜଣ ମୁଷ୍ଟିମେୟ ମଣିଷ ମାନଙ୍କ ସ୍ବାର୍ଥ ପାଇଁ । ଯାହା ହୋଇଛି ତ ହୋଇଛି , ଆଉ ନୁହେଁ । ଯେଉଁମାନେ ଏ ଦେଶର ଚିକେନ ନେକ୍ କାଟିବା କଥା କହୁଛନ୍ତି, ବେଳେ ବେଳେ ଉଦ୍ଭ୍ରାନ୍ତ ହୋଇ ଦେଶ ବିରୋଧରେ ନାରାବାଜି କରୁଛନ୍ତି , ସେମାନଙ୍କୁ ଓ ସେମାନଙ୍କର ପୃଷ୍ଠପୋଷକ ମାନଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିବାର ତୁରନ୍ତ ବ୍ୟବସ୍ଥା କରାଯାଉ । ଏଭଳି ଅମଣିଷ ପଶୁ ମାନଙ୍କ ପାଇଁ କୋୖଣସି ଦୟା କ୍ଷମା ନାହିଁ । ଭୋଟ୍ ପାଇଁ ଯେଉଁମାନେ ସେମାନଙ୍କ ପାଇଁ ଓକିଲାତି କରୁଛନ୍ତି, ସେମାନେ ତାଙ୍କ ଦେଶଭକ୍ତିର ପରିଚୟ ଦେଉଛନ୍ତି । ଧିକ୍ ସେମାନଙ୍କ ମଣିଷ ପଣିଆ କୁ ।ଗୋଟେ ଦେଶର ଉନ୍ନତି ପ୍ରଗତି, ସାହିତ୍ୟ, ସଂସ୍କୃତି, ସଂସ୍କାର ସଭ୍ୟତା, ଶାନ୍ତି ଓ ସୁରକ୍ଷା ବହୁତ ବଡ଼ କଥା । ଏ ଦଶକୁ ଯେଉଁମାନେ ଏକ ଅନାଥାଶ୍ରମ ଭାବି ଲୁଚି ଛପି ବେଧଡକ ପଶି ଆସୁଛନ୍ତି ଓ ସେମାନଙ୍କୁ ଭୋଟର କାର୍ଡ,ରେସନ କାର୍ଡ,ଆଧାର କାର୍ଡ ଇତ୍ୟାଦି ଯୋଗେଇ ଦେଇ ଭୋଟ୍ ପାଇଁ ଯେଉଁମାନେ ଯାତ୍ରା କରୁଛନ୍ତି , ସିଏଏ ଓ ଏନଏଆରସି କୁ ବିରୋଧ କରିବା ନାମରେ ବିରୋଧ କରୁଛନ୍ତି , ସେମାନେ ନିଜର ବିବେକକୁ ଥରେ ପଚାରିବା ଦରକାର, ସେମାନେ କାହା ସ୍ବାର୍ଥ ପାଇଁ ଏମିତି କରୁଛନ୍ତି । ସେମାନଙ୍କ ପାଇଁ ଦେଶର ସ୍ବାର୍ଥ ବଡ଼ ନା ବ୍ୟକ୍ତିଗତ ସ୍ବାର୍ଥ ଓ ଦଳୀୟ ସ୍ବାର୍ଥ ବଡ଼ ??? ଏହି ଇନଫିଲିଟ୍ରେଟରସ୍ ମାନେ ଦେଶର ଡେମୋଗ୍ରାଫିକୁ ପରିବର୍ତ୍ତନ କରିବାରେ ବ୍ୟସ୍ତ । ଏହିମାନେ ବି ବିଭିନ୍ନ ଚୋରି ଡକାୟତି ଅପରାଧରେ ସଂପୃକ୍ତ । ଆରେ ଦେଶ ସିନା ଆଗ ସୁରକ୍ଷିତ ରହିବା ଦରକାର । ଦେଶର ସାର୍ବଭୌମତ୍ୱ, ଅଖଣ୍ଡତା ଓ ସୁରକ୍ଷା ଉପରେ ଗଭୀର ଭାବରେ ଚିନ୍ତା କରିବାର ଅଛି । ଗୋଟେ ଗୋଟେ ନିର୍ବାଚନ ମଣ୍ଡଳୀରେ ତିନି ପୁରୁଷ ଧରି ଗୋଟିଏ ଗୋଟିଏ ପରିବାର ନିଜର ଆଧିପତ୍ୟ ଜାହିର କରି ଚାଲିଛନ୍ତି । ଜେଜେବାପା, ବାପା ଆଉ ଏବେ ନାତି । ଜେଜେବାପା ଓ ବାପା ଏତେଦିନ କ୍ଷମତାରେ ରହିବା ଭିତରେ ଦେଖିଥିବା ସ୍ବପ୍ନ ପୁରଣ କରି ପାରିଲେନି । ସେମାନେ ଦେଖିଥିବା ସ୍ୱପ୍ନକୁ ପୁଅ କିମ୍ବା ନାତି ପୂରଣ କରିବ । କେବଳ ରାଜନୈତିକ ବ୍ୟକ୍ତିମାନେ ଓ ତାଙ୍କ ପରିବାରର ଲୋକମାନେ ସ୍ବପ୍ନ ଦେଖନ୍ତି । ବାଃ, କି ଚମତ୍କାର !!! ସେମାନେ କାହା ସ୍ବପ୍ନ ପୁରଣ କରନ୍ତି ସତରେ, ନିଜର ନା ଯେଉଁମାନେ ସେମାନଙ୍କୁ ଭୋଟ୍ ଦେଇ ନିର୍ବାଚିତ କରିଥାନ୍ତି । ଆଉ ଆମ ଲୋକମାନେ ବି ଭକୁଆ । କେଇଖଣ୍ଡ କାଗଜ କୁକୁଡା,ମିଛ ଆଶ୍ୱାସନା, ମଦିରା ଓ ମାଉଁସ ଭୋଜିଭାତରେ ଭଳି ଯାଇ ବିବେକକୁ ବଳୀ ପକେଇ ଦିଅନ୍ତି । ମାଗଣାର ଲୋଭ ସେମାନଙ୍କୁ ଭୁଲ୍ ବାଟରେ ନିଏ ,କର୍ମ କୁଢୀ କରିଦିଏ । ଶିକ୍ଷା ଓ ସ୍ବାସ୍ଥ୍ୟସେବା କୁ ଛାଡି ଆଉ କୋୖଣସି ମାଗଣା ଯୋଜନା ହେବା ଅର୍ଥ ଦେଶର ଅବନତି । ମାଗଣା ଯୋଜନାରେ ଖର୍ଚ୍ଚ ହେଉଥିବା ଟଙ୍କା ଗଛରେ ଫଳେନି । ସେହି ଟଙ୍କା ବିଭିନ୍ନ ଉପାୟରେ ଲୋକ ମାନଙ୍କ ପକେଟରୁ ଯାଏ । ମାଗଣା ଦେଇ ଲୋକମାନଙ୍କର ଉନ୍ନତି କେବେ ସମ୍ଭବ ନୁହେଁ । ମାଗଣା ଯୋଜନା ପାଇଁ ବିଶ୍ବରେ କିଛି ଦେଶ ଦେବାଳିଆ ହେବା ଓ ଭୟଙ୍କର ଅର୍ଥନୀତିର ସାମ୍ନା କରିବା କ’ଣ ଆମ ଦେଶର ନେତାମାନେ ଦେଖି ପାରୁ ନାହାଁନ୍ତି ନା ଦେଖିବି ଅନ୍ଧ ଧୃତରାଷ୍ଟ୍ରର ଅଭିନୟ କରୁଛନ୍ତି ନିଜର ସ୍ବାର୍ଥ ପାଇଁ । ମାଗଣା ଚାଉଳ ଯୋଜନା, ଛତା ଯୋତା କମ୍ବଳ ଯୋଜନା, ମଝିରେ ମଝିରେ ହଜାରେ ଦୁଇ ହଜାର ଟଙ୍କା ପ୍ରଦାନ, ଏସବୁର ମାନେ କିଛି ନାହିଁ । ଶିକ୍ଷିତ ଯୁବକମାନଙ୍କୁ ବେକାରୀ ଭତ୍ତାର ଲୋଭ ଦେଖେଇ ବାଟବଣା କରିବା ଏକ ଧର୍ତ୍ତବ୍ୟ ଅପରାଧ ସଦୃଶ । ଯୁବକ ଯୁବତୀ ମାନେ ଦୟାର ପାତ୍ର ହେବାକୁ ଚାହାଁନ୍ତିନି, ସେମାନେ ନିଜ ଗୋଡ଼ରେ ଠିଆ ହେବାକୁ ଚାହାଁନ୍ତି , ଆତ୍ମ ନିର୍ଭର ହେବାକୁ ଚାହାଁନ୍ତି । ଖାଲି ଭୋଟ୍ ପାଇଁ ପ୍ରହସନ କରି ସେମାନଙ୍କ ଭବିଷ୍ୟତ ଅନ୍ଧାର କରିବାର କୁତ୍ସିତ ପ୍ରୟାସ ବନ୍ଦ ହେବା ଜରୁରୀ । ପ୍ରତିଟି ଅସହାୟ ପରିବାରକୁ ଖାଦ୍ୟ ବସ୍ତ୍ର ବାସଗୃହ ଯୋଗେଇ ଦେବା, କର୍ମ ନିଯୁକ୍ତିର ଯଥେଷ୍ଟ ସୁଯୋଗ ସୃଷ୍ଟି କରିବା ,ଦେଶର ପ୍ରଗତି, ଶାନ୍ତି ଓ ସୁରକ୍ଷା ଉପରେ ଗୁରୁତ୍ୱ ଦେବା, ଆଇନ୍ କୁ ଠିକ୍ ରାସ୍ତାରେ ଯିବାକୁ ଦେବା ହିଁ ଶାସନ ବ୍ୟବସ୍ଥାରେ ଥିବା ଲୋକର ପ୍ରକୃତ ରାଜଧର୍ମ “।
ମଉସାଙ୍କ ମୁହଁରୁ ଏମିତି କଥା ଶୁଣିବା ପରେ ମୁଁ ଭାବୁଥିଲି ଜଣେ ଅଧା ପାଠୁଆର ମନ ଓ ମସ୍ତିଷ୍କ ଯେଉଁ ସ୍ବପ୍ନ ଦେଖିଛି, ସେମିତି ସ୍ବପ୍ନ ବୋଧହୁଏ ଆଉ କେହି ଦେଖି ନଥିବେ । ସତରେ କ’ଣ ଏହି ମଉସାଙ୍କ ହ୍ରୁଦୟରୁ ବାହାରୁଥିବା କଥା ସତ୍ୟ ହେବ ??? ଯଦି ହେବ ଆଉ କେତେ ଦଶନ୍ଧି ପରେ ? ଯେଉଁମାନେ ବାପା ଜେଜେବାପାର ସ୍ବପ୍ନ ପୁରଣ କରିବା ନାମରେ ଭୋଟ୍ ରାଜନୀତିରେ ଅନୁକମ୍ପା ମୂଳକ ଭୋଟ୍ ପାଇ ଜିତିକି ଆସୁଛନ୍ତି, ସେମାନଙ୍କର ପାରିବା ପଣିଆ ବିଷୟରେ କହିବାର କିଛି ନାହିଁ । ଅବଶ୍ୟ ବେଳେ ବେଳେ ନିପୋଟିଜିମ୍ ଓ ଅନୁକମ୍ପା ଯୋଗୁଁ କିଛି ଭଲ ଯୁବନେତା ମୈଦାନକୁ ଆସୁଛନ୍ତି ଯଦିଓ ସେମାନଙ୍କ ସଂଖ୍ୟା ବହୁତ ନଗଣ୍ୟ । ଉପକୂଳ ଓଡିଶାରୁ ଜଣେ ଯୁବନେତା ତାଙ୍କ ବାପାଙ୍କର ଦେହାନ୍ତ ପରେ ଟିକେଟ ପାଇ ଅନୁକମ୍ପା ମୂଳକ ଭୋଟ୍ ପାଇ ଜିତିଲେ । କିନ୍ତୁ ସେହି ଯୁବନେତାଙ୍କ ନାମରେ କିଛି ଯୁବତୀଙ୍କ ସହିତ ଦୈହିକ ସମ୍ପର୍କ ଓ ଧୋକ୍କା ବାଜିର ଖବର ହାଟରେ ପଡ଼ି ଦାଣ୍ଡରେ ଗଡୁଛି । ଜେଜେବାପା ପରେ ପୁଅ, ପୁଅ ପରେ ନାତି,ବାପା ପରେ ଝିଅ , ସ୍ବାମୀ ପରେ ସ୍ତ୍ରୀ,ଏମିତି ରାଜନୀତିରେ ପରିବାରବାଦକୁ ପ୍ରୋତ୍ସାହନ ମିଳୁଛି । ସତେ ଯେମିତି ସେହିମାନେ ନେତା ହେବା ପାଇଁ ଉପରୁ ଲାଇସେନ୍ସ ଧରି ଆସିଛନ୍ତି । ଏଇଟା ଗଣତନ୍ତ୍ର ଭିତରେ ଏକ ପ୍ରକାର ରାଜତନ୍ତ୍ର ନୁହେଁ କି ? ପ୍ରତିବର୍ଷ ଜଣେ ନିର୍ବାଚିତ ଲୋକ ପ୍ରତିିନିଧି ତାଙ୍କ ନିର୍ବାଚନ ମଣ୍ଡଳୀରେ କ’ଣ କ’ଣ ସବୁ ମହତ୍ୱପୂର୍ଣ୍ଣ କାମ କରିଛନ୍ତି, ତାହା ସାର୍ବଜନୀନ ହେବା ଦରକାର ଲୋକଙ୍କ ଜାଣିବା ପାଇଁ । ଅପରାଧୀ ଓ ଅପରାଧ ପୃଷ୍ଠଭୂମି ଥିବା କୋୖଣସି ଲୋକଙ୍କୁ ରାଜନୈତିକ ମୈଦାନକୁ ଆସିବାର ସୁଯୋଗ କୋୖଣସି ରାଜନୈତିକ ଦଳ ନଦିଅନ୍ତୁ । ସରକାରୀ ଚାକିରିଆ ଜଣେ ଷାଠିଏ ବର୍ଷ ଛୁଇଁଲେ ଅବସର ନେଉଛି କିନ୍ତୁ ଜଣେ ରାଜନେତା ପାଇଁ ରାଜନୀତିରୁ ଅବସର ନେବାର କୋୖଣସି ବୟସ ସୀମା ଅଛିକି ? ଜଣେ ସରକାରୀ ଚାକିରିଆ ପାଇଁ ଅବସର ପରେ ପେନସନ୍ ନାହିଁ କିନ୍ତୁ ଜଣେ ବ୍ୟକ୍ତି ଉପରେ ଥରେ କେଇ ମାସ ବା ବର୍ଷ ପାଇଁ ଏମେଲେଏ ବା ଏମପିର ଷ୍ଟାମ୍ପ ବସିଗଲେ ମରିବା ଯାଏ ବିଭିନ୍ନ ଅର୍ଥନୈତିକ ସୁବିଧା । ଆମ ଭାବନାରେ, ଚିନ୍ତାରେ, ମାନସିକତାରେ ପରିବର୍ତ୍ତନ ଆସିବା ନିହାତି ଦରକାର । ପାଣି ଯେତେ ସ୍ବଚ୍ଛ ନିର୍ମଳ ହେଉ, ଯଦି ରଖିବା ପାତ୍ରଟି ପରିଷ୍କାର ନୁହେଁ, ତାହେଲେ ଜଳର ମୂଲ୍ୟ ନାହିଁ । ଠିକ୍ ସେମିତି ମନ ହ୍ରୁଦୟରେ ଆମେ ଯଦି ଅସ୍ବଚ୍ଛ, ଶାଗୁଣା ପ୍ରକୃତି ଯଦି ଆମ ଭିତରେ ଅଛି, ତାହେଲେ ଦେଶର, ରାଜ୍ୟର, ସାଧାରଣ ଲୋକମାନଙ୍କର ସ୍ବପ୍ନ ପୁରଣ ହେବା ନିଶ୍ଚିତ ଭାବରେ ଅନିଶ୍ଚିତ। ଏବେ ଦେଖିବାକୁ ବାକି ରହିଲା ବୃଦ୍ଧ ମଉସାଙ୍କ ହ୍ରୁଦୟର କଥା କେବେ ସତ ହେଉଛି ଆମ ଦ୍ବାରା ଆଉ ଆମ ରାଜନେତା ଓ ଅଧିକାରୀ ମାନଙ୍କ ଦ୍ବାରା । ଈଶ୍ୱର କରନ୍ତୁ ମଉସାଙ୍କ ସ୍ବପ୍ନ ପୁରଣ ହେଉ ଓ ଆମ ଭିତରେ ସଦବୁଦ୍ଧି ଜାଗ୍ରତ ହେଉ ଓ ଏ ଦେଶ ବିଶ୍ବରେ ଅଦ୍ୱିତୀୟ ରାଷ୍ଟ୍ର ଭାବରେ ପରିଗଣିତ ହେଉ ସବୁ କ୍ଷେତ୍ରରେ ।
ଭାସ୍କର ବାରିକ୍
ବାସୁଦେବପୁର,ଭଦ୍ରକ
ଦୂରଭାଷ ୯୪୩୭୩୨୦୩୫୦


