ସ୍ବାମୀର ଛୁରା ମାଡ଼ରେ ପ୍ରେମିକ ମୃତ
କୋରାପୁଟ, (ଡଃ ଶିବ ନାରାୟଣ ପାତ୍ର) : କୋରାପୁଟ ଜିଲ୍ଲା ସେମିଳିଗୁଡା ସହରରେ ଘଟିଯାଇଛି ଛୁରାମାଡ ଘଟଣା। ଯଦି କାହାର ବୈବାହିକ ଜୀବନ ଅଶାନ୍ତି ହୁଏ ତାହାହେଲେ ସେ ମଣିଷ ଜୀବନ ନେବାକୁ ମଧ୍ୟ ପଛାଇବ ନାହିଁ। ଠିକ୍ ଏହିଭଳି ଏକ ଘଟଣା ସେମିଳିଗୁଡା ଅଂଚଳରେ ଘଟିଯାଇଛି। ସ୍ବାମୀର ଛୁରା ମାଡ଼ରେ ସ୍ତ୍ରୀର ପ୍ରେମିକର ଜୀବନ ଚାଲିଯାଇଛି । ସୂଚନାରୁ ପ୍ରକାଶ ଯେ ସେମିଳିଗୁଡା ଥାନା ଅନ୍ତର୍ଗତ ମାନିଆ ପଂଚାୟତର ଯୁବକ କୁନୁ ଗୋଲୋରୀ ନିଜ ପତ୍ନୀ ଗୌରୀ ଗୋଲରୀ ଓ ଦୁଇ ପିଲାଙ୍କ ସହ ବେସ ହସ ଖୁସିରେ ସଂସାର ଗଢ଼ିଥିଲେ। ଲୁଙ୍ଗୁରୀ ଗ୍ରାମର ଦେବେନ୍ଦ୍ର କୁନ୍ଦୁରିଆ (୩୫) ଙ୍କ ସହ ତାଙ୍କର ବନ୍ଧୁତା ରହିଥିଲା ଏପରିକି ଦେବେନ୍ଦ୍ର କୁନୁ ଘରକୁ ଯିବା ମଧ୍ୟ ଆସିବା କରୁଥିଲେ।ଏହି ସମୟ ମଧ୍ୟରେ ଗୌରୀ ଓ ଦେବେନ୍ଦ୍ରଙ୍କ ମଧ୍ୟରେ ଅନୈତିକ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏପରିକି ଗୌରୀ କୁନୁଙ୍କୁ ଛାଡି ଦେବେନ୍ଦ୍ରଙ୍କ ନିକଟକୁ ଚାଲି ଆସିଥିଲେ କିନ୍ତୁ ଆପୋଷ ବୁଝାମଣା ପରେ କୁନୁ ପତ୍ନୀଙ୍କୁ ନିଜ ପାଖକୁ ଫେରାଇ ଆଣିଥିଲେ ଏହି କଥାକୁ ନେଇ କୁନୁ ଓ ଦେବେନ୍ଦ୍ରଙ୍କ ମଧ୍ୟରେ ବିବାଦ ଲାଗି ରହିଥୁଲା ତେବେ ଅଳ୍ପ କିଛି ଦିନ ତଳେ ଗୌରୀ ପୁଣି ଥରେ ଦେବେନ୍ଦ୍ର ପାଖକୁ ଚାଲି ଆସିବାରୁ କୁନୁ ମାନସିକ ଦୁଶ୍ଚିନ୍ତା ମଧ୍ୟରେ ଗତି କରୁଥିଲେ। ଗତ ୧୯ ଜୁନ ରାତି ପ୍ରାୟ ୯ଟା ସମୟରେ ଦେବେନ୍ଦ୍ର ସେମିଳିଗୁଡା ତହସିଲ କାର୍ଯ୍ୟାଳୟ ରାସ୍ତାରେ ବସି ଥିବା ବେଳେ କୁନୁ ନିଜ ଦୁଇ ବନ୍ଧୁଙ୍କ ସହ ଏକ ବାଇକ ଯୋଗେ ସେହି ରାସ୍ତା ଦେଇ ଯାଉଥିଲେ ସେଠାରେ ଦେବେନ୍ଦ୍ରଙ୍କ ସାଙ୍ଗରେ ତାଙ୍କର ବଚସା ହୋଇଥିଲା। ସେଠାରେ ଉପସ୍ଥିତ ଥିବା ଥିବା ଅନ୍ୟ ଲୋକ ମାନେ ଉଭୟଙ୍କୁ ବୁଝା , ସୁଝା କରି ସେଠାରୁ ପଠାଇ ଦେଇଥିଲେ। ଦେବେନ୍ଦ୍ର ଅଳ୍ପ ବାଟ ଚାଲି, ଚାଲି ଆସୁଥିବା ବେଳେ କୁନୁ ହଠାତ ଏକ ଛୁରୀ ଯୋଗେ ଦେବେନ୍ଦ୍ରଙ୍କୁ ଆକ୍ରମଣ କରିଥିଲେ, ଛୁରା ମାଡ଼ରେ ଆଘାତ ପ୍ରାପ୍ତ ହୋଇ ଦେବେନ୍ଦ୍ର ଗୁରୁତର ଅବସ୍ଥାରେ ତଳେ ପଡିଯାଇଥିଲେ ତେବେ କୁନୁ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଏହାପରେ ସ୍ଥାନୀୟ ଲୋକେ ଦେବେନ୍ଦ୍ରଙ୍କୁ ଉଦ୍ଧାର କରି ସେମିଳିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ସେମିଳିଗୁଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଘଟଣାକୁ ନେଇ ସେମିଳିଗୁଡା ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।
ସେମିଳିଗୁଡା ପୋଲିସ ଘଟଣାର ତଦନ୍ତ କରି କୁନୁ ଗୋଲରୀ ଓ ତାଙ୍କର ଦୁଇ ସହଯୋଗୀଙ୍କୁ ଗିରଫ କରିଛି ଏବଂ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ସେମିଳି ଗୁଡା ପୋଲିସ୍ ସୂଚନା ଦେଇଛନ୍ତି।