ସ୍ବାସ୍ଥ୍ୟ କର୍ମଚାରୀଙ୍କ ଦରମା ହେଲା ଦୁଇ ଗୁଣା
ଚଣ୍ଡିଗଡ଼ : ସମ୍ପ୍ରତି କରୋନା ଲଢେଇରେ ମୁଖ୍ୟ ଯୋଦ୍ଧା ସାଜିଛନ୍ତି ସ୍ବାସ୍ଥ୍ୟ କର୍ମଚାରୀ। ସେମାନଙ୍କୁ ଉତ୍ସାହିତ ସେମାନଙ୍କର ବେତନ ଦୁଇଗୁଣ କରି ଦେଇଛନ୍ତି। ଏ ସମ୍ପର୍କରେ ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟାର କହିଛନ୍ତି ଯେ, ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଡାକ୍ତର ତଥା ପାରାମେଡିକାଲ୍ କର୍ମଚାରୀଙ୍କ ପାଇଁ ଏହି ସୁବିଧା ଲାଗୁ ହେବ। ଏହାଛଡ଼ା, ରାଜ୍ୟରେ କୋଭିଡ୍-୧୯ ସଂକ୍ରମଣ ରୋକିବା ନିମନ୍ତେ ପ୍ରତ୍ୟକ୍ଷ ଭାବେ ଲଢ଼େଇରେ ନିୟୋଜିତ ପୁଲିସ କର୍ମଚାରୀଙ୍କର ମୃତ୍ୟୁ ହେଲେ ତାଙ୍କ ପରିବାର ୩୦ ଲକ୍ଷ ଟଙ୍କା ପାଇବେ ବୋଲି ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି। ହରିୟାଣାର ପୁଲିସ ମହାନିର୍ଦ୍ଦେଶକ ମନୋଜ ଯାଦବ କହିଛନ୍ତି ଯେ କରୋନାଭାଇରସ୍ ସଂକ୍ରମଣ ପ୍ରତିହତ କରିବାରେ, ବିଶେଷତଃ ଲକଡାଉନ ଜାରି କରାଇବାରେ ପୁଲିସ କର୍ମଚାରୀମାନେ ସକ୍ରିୟ ଭୂମିକା ନିର୍ବାହ କରୁଛନ୍ତି। ସେ କହିଛନ୍ତି ଯେ ଏହି ଲଢ଼େଇରେ ଶତ୍ରୁର ଅତି ନିକଟରେ ଅଛନ୍ତି ଆମର ଅଧିକାରୀ ଓ ଯବାନମାନେ। ଏହି ରୋଗ ବିରୋଧରେ ଲଢ଼ିବା ନିମନ୍ତେ ସେମାନେ ସିଧାସଳଖ ଜନତାଙ୍କ ସଂସ୍ପର୍ଶରେ ଆସୁଛନ୍ତି। କ୍ବାରେଣ୍ଟିନରେ ଥିବା ଅନେକ କୋଭିଡ୍-୧୯ ରୋଗୀଙ୍କର ମଧ୍ୟ ସେମାନେ ତତ୍ତ୍ବ ନେଉଛନ୍ତି।


