ସ୍ମାର୍ଟ ମିଟର କୁ ନେଇ କୁହୁଳୁଛି ଅସନ୍ତୋଷ
ଶେରଗଡ, (ଯୁଗାବ୍ଦ ନ୍ୟୁଜ):ଗତ କିଛି ମାସ ହେଲା ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ମାର୍ଟ ମିଟର ଲଗାଯିବା ଆରମ୍ଭ ହୋଇଛି। ବହୁ ଜାଗାରେ ସ୍ମାର୍ଟ ମିଟର ବିଭିନ୍ନ ଗୃହରେ ଲଗାଈବାକୁ ଯିବା ବେଳେ କର୍ମଚାରୀ ମାନେ ଗ୍ରାହକଙ୍କ ବିରୋଧ ର ର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। ଗତ ସରକାର ସମୟରେ ଟାଟା ପାବାର ହାତକୁ ବିଦ୍ୟୁତ ବିଭାଗ ଦାୟିତ୍ୱ ହସ୍ତାନ୍ତର କରିଥିଲେ। ଉତ୍ତମ ସେବା ପାଈବା ବଦଳରେ ଗ୍ରାହକମାନେ ଏବେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଥିବା ସବୁବେଳେ ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରକାଶ ପାଉଛି। ଗତ ୨୦୨୦ ମସିହା ରେ ଟାଟା ପାବାର ଗୋଟେ ଚିଠି ମାଧ୍ୟମରେ ସ୍ମାର୍ଟ ମିଟର ଲଗାଈବା ଲାଗି ଅନୁମତି ପାଈଥିଲା। ଦୀର୍ଘ ୪ ବର୍ଷ ପରେ ଏବେ ଟାଟା ପାବାର ସ୍ମାର୍ଟ ମିଟର ଲଗାଈବାକୁ କାହିଁକି ବ୍ୟଗ୍ରତା ଦେଖାଉଛି ତାହାକୁ ନେଇ ଚାରି ଆଡେ ଚର୍ଚ୍ଚା ର ବିଷୟ ପାଲଟିଛି। ଯଦି ସ୍ମାର୍ଟ ମିଟର ସଂଯୋଗ ଲାଗି ନିର୍ଦ୍ଦେଶ ଥିଲା ତେବେ ଗତ ଦୁଇ ବର୍ଷ ହେଲା ବହୁ ଗ୍ରାହକଙ୍କ ଗୃହରେ ନୂତନ ମିଟର କାହିଁକି ସଂଯୋଗ କରାଯାଇଥିଲା। ଏବେ ପୁଣି ସେହି ମିଟର ଗୁଡିକୁ ବଦଳାଇ ସ୍ମାର୍ଟ ମିଟର ସଂଯୋଗ କରିବାକୁ ଗ୍ରାହକ ସହଜରେ ଗ୍ରହଣ କରିପାରୁନାହାନ୍ତି। ଲୋକମାନେ ଏବେ ସ୍ଥାନୀୟ ନେତା ମାନଙ୍କୁ ଗୁହାରି କରିବା ଆରମ୍ଭ କରିଦେଈଛନ୍ତି। କେତେକ ନେତା ଏବେ ଟାଟା ପାବାର ର ଅଧିକାରୀ ମାନଙ୍କୁ ସିଧା ତାଗିଦ କରି ସ୍ମାର୍ଟ ମିଟର ସଂଯୋଗ କୁ ବାରଣ କରୁଥିବା ଦେଖିବାକୁ ମିଳିଛି। ଏବେ ଯେଉଁ ମିଟର ସଂଯୋଗ କରାଯାଉଛି ସେ ମିଟରରେ ମାତ୍ରାଧିକ ମାସିକ ଦେୟ ଦେବାକୁ ପଡୁଛି ବୋଲି ମଧ୍ୟ ରୀତିମତ ଅଭିଯୋଗ ହେଉଛି। ଏପଟେ ବିଜେଡି ମାଗଣାରେ କିଛି ୟୁନିଟ ବିଦ୍ୟୁତ ଦେବ ବୋଲି ଈସ୍ତାହାର ରେ ଦେଈ ବିରୋଧୀ ଦଳରେ ବସିଛି। ମଙ୍ଗଳବାର ସ୍ମାର୍ଟ ମିଟର ଠିକାଦାରୀ ଦେଈଥିବା ଠିକାଦାର ର କର୍ମଚାରୀ ମାନେ ଶେରଗଡ ଅଞ୍ଚଳରେ ଉପଭୋକ୍ତା ଙ୍କ ଅନିଚ୍ଛା ସତ୍ତ୍ୱେ ଭଲଥିବା ମିଟର ଗୁଡିକୁ ଅଯଥାରେ ବାହାର କରି ଏହି ସ୍ମାର୍ଟ ମିଟର ବସାଈବାକୁ ଆସିଥିବା ବେଳେ ଅଞ୍ଚଳ ବାସୀ ବିରୋଧ କରୁଥିବା ଦେଖିବାକୁ ମିଳିଛି। ଏନେଇ ଉପଭୋକ୍ତା ମାନେ ମିଟର ଲଗାଈବା ଲାଗି ଆସିଥିବା କର୍ମଚାରୀ ମାନଙ୍କୁ ନବୁଝିଶୁଝି କୌଣସି ମତେ ସ୍ମାର୍ଟ ମିଟର ଲଗାଈବାକୁ ମନା କରୁଛନ୍ତି। ଶେରଗଡ ରେ ଯଦି ଆଗାମୀ ଦିନରେ ଏହି ମିଟର ଜୋର ଜବରଦସ୍ତ ଲଗାଈବାକୁ ବାଧ୍ୟ କରାଯାଏ ଏହାର ପ୍ରତିବାଦରେ ଶେରଗଡ ତଥା ଅଞ୍ଚଳ ବାସୀ ରାଜରାସ୍ତାକୁ ଓହ୍ଲାଈବେ ବୋଲି ସତର୍କ ବାଣୀ ଶୁଣାଈଛନ୍ତି।