ସ୍ୱତନ୍ତ୍ର କୃଷି ବଜେଟ ସତ୍ତ୍ୱେ ଓଡ଼ିଶାରେ କୃଷକଙ୍କ ମାସିକ ଆୟ ଟ.୫୧୧୨, ସରକାର ଆତ୍ମ ସମୀକ୍ଷା କରନ୍ତୁ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆଜି ପାର୍ଲାମେଣ୍ଟରେ ସାଂସଦ ସପ୍ତଗିରି ଉଲାକାଙ୍କ ପ୍ରଶ୍ନର ଉତ୍ତର ଦେଇ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି ଯେ, ଓଡ଼ିଶାରେ ଚାଷୀଙ୍କ ମାସିକ ଆୟ ୫୧୧୨ଟଙ୍କା । କେବଳ ଝାରଖଣ୍ଡ ଓଡ଼ିଶାଠାରୁ ପଛରେ ଅଛି । ଏହାର ଆୟ ମାସକୁ ୪୮୯୫ ଟଙ୍କା । କୃଷକ ମାନଙ୍କର ଆୟ ଦୃଷ୍ଟିରୁ ସବୁଠାରୁ ଆଗରେ ଅଛି ମେଘାଳୟ । ଏହି ରାଜ୍ୟରେ କୃଷକମାନଙ୍କର ମାସିକ ଆୟ ୨୯,୩୪୮ ଟଙ୍କା ଏବଂ ତା ତଳକୁ ପଞ୍ଜାବ ୨୬,୭୦୧ ଟଙ୍କା । ଜାତୀୟ ନମୂନା ସର୍ଭେରେ ପୂର୍ବରୁ ମଧ୍ୟ ଓଡ଼ିଶା ଚାଷୀଙ୍କର ଦୂରାବସ୍ଥା ବିଷୟରେ ପ୍ରକାଶ କରାଯାଇ ସାରିଛି । ଦାରିଦ୍ର୍ୟ କ୍ଷେତ୍ରରେ ଓଡ଼ିଶା ନବକ ସ୍ଥାନରେ । ସରକାର କୃଷକମାନଙ୍କ ପାଇଁ ସ୍ୱତନ୍ତ୍ର କୃଷି ବଜେଟ କରୁଛନ୍ତି । ସ୍ୱତନ୍ତ୍ର କୃଷି ବଜେଟ କରିବାରେ ଦେଶରେ ଓଡ଼ିଶା ତୃତୀୟ ରାଜ୍ୟ । ଏହା ବ୍ୟତୀତ ଚାଷୀଙ୍କୁ ମାଗଣାରେ ମୋବାଇଲ ଫୋନ୍ ମଧ୍ୟ ସରକାର ଦେଇଛନ୍ତି । କାଳିଆ ଓ ବଳରାମ ଯୋଜନାରେ ଚାଷୀଙ୍କୁ ସହଜ କିସ୍ତିରେ ଅନୁଦାନ ରାଶି ଓ ଋଣ ଯୋଗାଇ ଦିଆଯାଉଛି । କିନ୍ତୁ ଏସବୁ ସତ୍ତ୍ୱେ ଓଡ଼ିଶାର ଚାଷୀମାନେ ଆର୍ଥିକ ଦୃଷ୍ଟିରୁ ଦେଶର ଚାଷୀମାନଙ୍କ ଠାରୁ ତଳ ଆଡୁ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଚାଷୀମାନଙ୍କ ଏହି ଦୂରାବସ୍ଥା ରାଜ୍ୟର ସମସ୍ତ ରାଜନୈତିକ ଦଳମାନଙ୍କ ପାଇଁ ଏକ ଆହ୍ୱାନ ସୃଷ୍ଟି କରିଛି । ରାଜ୍ୟ ସରକାରଙ୍କର ଏ ଦିଗରେ ସବୁଠାରୁ ବଡ଼ ଦାୟିତ୍ୱ ଅଛି । ତେଣୁ ସରକାରଙ୍କ ପାଇଁ ଏହି ସର୍ବେକ୍ଷଣ ହେଉଛି ଆତ୍ମସମୀକ୍ଷା ପାଇଁ ଆହ୍ୱାନ । ଯେଉଁ ରାଜ୍ୟର ୭୦ଭାଗ ଲୋକ କୃଷି ଉପରେ ନିର୍ଭର କରନ୍ତି ଏବଂ ସେମାନଙ୍କ ମଧ୍ୟରୁ ୮୪ଭାଗ ହେଉଛନ୍ତି ଭାଗଚାଷୀ, ସେହି ଚାଷୀମାନଙ୍କ ପାଇଁ ସରକାର ଯଦି ସ୍ୱତନ୍ତ୍ର ନୀତି ପ୍ରଣୟନ ନ କରନ୍ତି, ତେବେ ଓଡ଼ିଶାର ଚାଷୀମାନେ ଯେଉଁ ତିମିରକୁ ସେଇ ତିମିରରେ ରହିଯିବେ । ଏପର୍ଯ୍ୟନ୍ତ ଓଡ଼ିଶାରେ ‘ଲଙ୍ଗଳ ଯାହାର, ଜମି ତାହାର’-ଭାଗଚାଷୀ ଆଇନ କାର୍ଯ୍ୟକାରୀ ହୋଇପାରିଲା ନାହିଁ । ବ୍ୟାଙ୍କକୁ ଦୌଡ଼ି ଦୌଡ଼ି ଚାଷୀମାନେ ସହଜରେ ଋଣ ପାଇପାରୁ ନାହାଁନ୍ତି । ଅଧିକାଂଶ ସ୍ଥାନରେ ଚାଷକାର୍ଯ୍ୟ ଆରମ୍ଭ ହୋଇସାରିଲା ପରେ ଚାଷୀଙ୍କୁ ଋଣ ମିଳିବା ଦେଖାଯାଉଛି । ଚାଷୀ ଯାହା ଉତ୍ପାଦନ କରୁଛି ତାହାର ଉପଯୁକ୍ତ ମୂଲ୍ୟ ମଧ୍ୟ ପାଇପାରୁ ନାହିଁ । ଏହା ସାଙ୍ଗକୁ ବନ୍ୟା, ବାତ୍ୟା, ମରୁଡ଼ି ଓ ରୋଗପୋକ ଯୋଗୁ ଓଡ଼ିଶାର ଚାଷୀମାନେ ଦୁର୍ଦ୍ଦିନ ଅବସ୍ଥା ଭିତରେ ଗତି କରୁଛନ୍ତି । କୃଷି କମିଶନଙ୍କ ସୁପାରିଶ ରାଜ୍ୟ ସରକାର କାର୍ଯ୍ୟକାରୀ ମଧ୍ୟ କଲେନାହିଁ । ୧୫ ଦିନ ତଳେ ଅଦିନିଆ ବର୍ଷା ଯୋଗୁ ପାଚିଲା ଧାନ ଓ ପନିପରିବା ନଷ୍ଟ ହୋଇଯାଇଥିଲା । ଯେତିକି ବଞ୍ôଚକି ଥିଲା ଆଗାମୀ ୩ ଓ ୪ ତାରିଖ ଦିନ ଆସୁଥିବା ବର୍ଷା ଓ ବାତ୍ୟା ଯୋଗୁ ଧାନ ଓ ପନିପରିବା ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି । ତେଣୁ ଚାଷୀର ଆୟ ବଢିବ କେମିତି? ଏ ଦିଗରେ ସରକାର ତୁରନ୍ତ ଏକ ବିଶେଷଜ୍ଞ କମିଟି, କୃଷକ ସଂଗଠନ ଓ ବିଭିନ୍ନ ରାଜନୈତିକ ଦଳମାନଙ୍କୁ ନେଇ ଏକ ବୈଠକ କରିବା ସହିତ ଚାଷୀ ସମସ୍ୟା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଠୋସ୍ ପଦକ୍ଷେପ ନେବାକୁ ସମାଜବାଦୀ ପାର୍ଟି ଦାବି କରୁଛି । ଏହା ସହିତ କୃଷିର ଆନୁସଙ୍ଗିକ ଦୁଗ୍ଧ ଉତ୍ପାଦନ, ମତ୍ସ୍ୟ ଉତ୍ପାଦନ, ଆଖୁଚାଷ ଓ ଆନୁସଙ୍ଗିକ ଶିଳ୍ପ ପ୍ରତିଷ୍ଠ ଦିଗରେ ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେବା ସଙ୍ଗେ ସଙ୍ଗେ ଚାଷୀର ଉତ୍ପାଦନ ବିକ୍ରି କରିବା ପାଇଁ ବଜାର ବ୍ୟବସ୍ଥାକୁ ସୁସଂହତ ନକଲେ ଚାଷୀର ଅର୍ଥନୈତିକ ଅବସ୍ଥାର ଉନ୍ନତି ହେବ ନାହିଁ ବୋଲି ପାର୍ଟିର ସଭାପତି ରବି ବେହେରା ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି । ତେଣୁ ଅଣ୍ଡା ଫୋପଡ଼ା ରାଜନୀତି ଛାଡ଼ି ରାଜନୈତିକ ଦଳମାନେ ଓ ସରକାର ଚାଷୀଙ୍କର ଅର୍ଥନୈତିକ ପ୍ରଗତି ଓ ମାସିକ ରୋଜଗାରକୁ ବୃଦ୍ଧି କରିବା ଦିଗରେ ଠୋସ୍ ପଦକ୍ଷେପ ନେବାକୁ ଶ୍ରୀ ବେହେରା ଦାବି କରିଛନ୍ତି ।