ସାବରମତୀ ଆଶ୍ରମ ପୁନଃନିର୍ମାଣ ପ୍ରକଳ୍ପକୁ ବନ୍ଦ କରିବା ପାଇଁ ସଂସଦର ହସ୍ତକ୍ଷେପ ଦାବିରେ ଗଣଧାରଣା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ପ୍ରତିଷ୍ଠିତ ସାବରମତୀ ଆଶ୍ରମର ପୁନଃ ନିର୍ମାଣ ପାଇଁ ଗୁଜୁରାଟ ସରକାର ଓ କେନ୍ଦ୍ର ସରକାର ୧୨୪୬ କୋଟି ଟଙ୍କା ବ୍ୟୟରେ ଯେଉଁ ପ୍ରକଳ୍ପ କରିବାକୁ ଯାଉଛନ୍ତି, ଏହା ଗାନ୍ଧିଜୀଙ୍କ ଐତିହ୍ୟକୁ ସବୁଦିନ ପାଇଁ ଲୋପ କରିଦେବାର ଏକ ଷଡ଼ଯନ୍ତ୍ର ବୋଲି ଅଭିହିତ କରି ଏହା ବିରୁଦ୍ଧରେ ସାବରମତୀ ବଞ୍ଚାଅ ଅଭିଯାନ, ଓଡ଼ିଶା ପକ୍ଷରୁ ଆଜି ସ୍ଥାନୀୟ ଜନତା ମଇଦାନସ୍ଥିତ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଏକ ପ୍ରତିବାଦ ଧାରଣା ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ବିଭିନ୍ନ ଶ୍ରେଣୀର ନାଗରିକମାନଙ୍କୁ ନେଇ ଅନୁଷ୍ଠିତ ଏହି ପ୍ରତିବାଦ ଧାରଣାରେ ବିଶିଷ୍ଟ ଗାନ୍ଧିବାଦୀ ବୁଦ୍ଧିଜୀବୀ ଡଃ ଭଗବାନ ପ୍ରକାଶ ଅଧ୍ୟକ୍ଷତା କରି ଏହି ପ୍ରକଳ୍ପର ସମାଲୋଚନା କରିବା ସହିତ କହିଥିଲେ ଯେ, ଗାନ୍ଧିଜୀଙ୍କର ପଦଚିହ୍ନକୁ ଆଗାମୀ ପିଢିଠାରୁ ଦୂରେଇ ଦେବା ପାଇଁ ବିଜେପି ଓ ଏନ୍ଡ଼ିଏ ସରକାର ଯେଉଁ ଷଡ଼ଯନ୍ତ୍ର କରୁଛନ୍ତି, ଏହି ପ୍ରକଳ୍ପ ହେଉଛି ତାହାର ଏକ ଅଂଶବିଶେଷ । ତେଣୁ ଗାନ୍ଧୀଙ୍କ ବିଚାରଧାରରେ ବିଶ୍ୱାସ ରଖୁଥିବା ପ୍ରତ୍ୟେକଟି ବ୍ୟକ୍ତି ଏହି ପ୍ରକଳ୍ପକୁ ବିରୋଧ କରିବାକୁ ଆଗେଇ ଆସିବାକୁ ସେ ଆହ୍ୱାନ ଦେଇଥିଲେ । ‘ଅଭିଯାନ’ର ଆବାହକ ରବି ବେହେରା ଏହି ପ୍ରତିବାଦ ଧାରଣାର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରି ୧୨୪୬ କୋଟି ଟଙ୍କାର ଏହି ପ୍ରକଳ୍ପ ବାଘର ସୁନା କଙ୍କଣ ବୋଲି ମତ ଦେଇଥିଲେ । ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଦୁଇବର୍ଷ ତଳେ ଭାରତର ରାଷ୍ଟ୍ରପତିଙ୍କୁ ଦିଆଯାଇଥିବା ପ୍ରସ୍ତାବ ଅହିଂସା ଶବ୍ଦକୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ କରିବା ପାଇଁ ଚଳିତ ସଂସଦ ଅଧିବେଶନରେ ସମ୍ବିଧାନ ସଂଶୋଧନ ବିଲ୍ ଆଣିବା ପାଇଁ ସେ କେନ୍ଦ୍ର ସରକାରଙ୍କ ଠାରେ ଦାବି କରିଥିଲେ । ଜଣାଶୁଣା ଗାନ୍ଧିବାଦୀ ଶ୍ରୀଯୁକ୍ତ ପ୍ରହ୍ଲାଦ ସିଂ ଏହି ପ୍ରତିବାଦ ଧାରଣାରେ ଯୋଗ ଦେଇ ସାବରମତୀ ଆଶ୍ରମର ଐତିହ୍ୟ ଓ ଇତିହାସ ଉପରେ ଅଧିକ ଆଲୋକପାତ କରି ଏହାକୁ ଏକ ସାତ ତାରକା ପର୍ଯ୍ୟଟନସ୍ଥଳୀରେ ପରିଣତ କରିବା ପାଇଁ ଗୁଜୁରାଟ ଓ କେନ୍ଦ୍ର ସରକାର ଯେଉଁ ଯୋଜନା ପ୍ରସ୍ତୁତ କରିଛନ୍ତି ତାହା ଗାନ୍ଧୀବାଦର ପରିପନ୍ଥୀ ବୋଲି ମତ ଦେଇଥିଲେ । ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଏହି ଧାରଣାରେ ଯୋଗଦେଇ ସାବରମତୀ ପୁନଃ ନିର୍ମାଣ ପ୍ରକଳ୍ପ କେନ୍ଦ୍ର ସରକାରଙ୍କର ଗାନ୍ଧୀବାଦର ଐତିହ୍ୟ ଉପରେ ଚରମ ଆକ୍ରମଣ ବୋଲି ଅଭିହିତ କରିଥିଲେ । ଆଗାମୀ ପିଢିକୁ ଗାନ୍ଧୀବାଦ ଓ ତାଙ୍କର ବିଚାରଧାରାରୁ ଦୂରେଇ ଦେବା ପାଇଁ ଏହା କେନ୍ଦ୍ର ସରକାରଙ୍କ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି ଶ୍ରୀ ପଟ୍ଟନାୟକ ମତ ଦେଇ ଏହାକୁ ବିରୋଧ କରିବାକୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସିପିଆଇ ନେତା ତଥା ପୂର୍ବତନ ବିଧାୟକ ନାରାୟଣ ରେଡ଼ି, ସମାଜବାଦୀ ପାର୍ଟିର ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ, ସିପିଆଇ (ଏମ୍ଏଲ) ନେତା ମହେନ୍ଦ୍ର ପରିଡ଼ାଙ୍କ ସମେତ ସର୍ବଶ୍ରୀ ସୁଧାଂଶୁ ଶେଖର ମହାପାତ୍ର, ସୁବାସ ଚନ୍ଦ୍ର ପଣ୍ଡା, ଅଭୟ ବଡ଼ଜେନା, ଚାଟାର୍ଡ଼ ଆକାଉଣ୍ଟାଣ୍ଟ ଚିତ୍ତରଞ୍ଜନ ବେହେରା ଓ ସିଦ୍ଧାର୍ଥ ରଥ, କର୍ମଚାରୀ ନେତା ପ୍ରଫୁଲ୍ଲ ଦାସ, ନାରୀନେତ୍ରୀ ମନୋରମା ଖଟୁଆ, ‘ଇଟ୍ରନିଟି’ ଆଧ୍ୟାତ୍ମିକ ପତ୍ରିକାର ସମ୍ପାଦକ ହରେକୃଷ୍ଣ ମହନ୍ତ ଓ ‘ଅଭିଯାନ’ର ସଦସ୍ୟ ନିର୍ମଳ ମଲ୍ଳିକ ଓ ସିଦ୍ଧାର୍ଥ ପଟ୍ଟନାୟକ ଓ କରୁଣାକର ହୋତା ପ୍ରମୁଖ ଏହି ଧ୍ୱଂସକାରୀ ଷଡ଼ଯନ୍ତ୍ରମୂଳକ ପ୍ରକଳ୍ପ ବିରୁଦ୍ଧରେ ପ୍ରତ୍ୟେକଟି ଗାନ୍ଧିବାଦୀ, ଗଣତନ୍ତ୍ର ମୂଲ୍ୟବୋଧ ଓ ଗାନ୍ଧିବାଦୀ ବିଚାରଧାରାରେ ବିଶ୍ୱାସ କରୁଥିବା ଜନସାଧାରଣ ଏହାର ବିରୋଧ କରିବାକୁ ସେମାନେ ଆହ୍ୱାନ ଦେଇଥିଲେ । ଶେଷରେ ଯୁବନେତା ବିଶ୍ୱଜିତ ମଲ୍ଲିକ (ପିଣ୍ଟୁ) ଧନ୍ୟବାଦ ଅର୍ପଣ କରିଥିଲେ । ଆଗାମୀ ଦିନରେ ସାବରମତୀ ବଞ୍ଚାଅ ଅଭିଯାନ ପକ୍ଷରୁ ଏହି ପ୍ରକଳ୍ପ ବିରୁଦ୍ଧରେ ଜନମତ ସୃଷ୍ଟି କରିବା ପାଇଁ ଓଡ଼ିଶାରେ ଗାନ୍ଧିଜୀ ଆସିଥିବା ସମସ୍ତ ସ୍ଥାନକୁ ଗ୍ରସ୍ତ କରି ଗାନ୍ଧିବାଦୀମାନଙ୍କୁ ଏକଜୁଟ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ସଂସଦ ଚାଲୁଥିବା ଯୋଗୁ ସାଂସଦମାନେ ବିଜେପିର ଏହି ଷଡ଼ଯନ୍ତ୍ର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାକୁ ଅଭିଯାନ ପକ୍ଷରୁ ନିବେଦନ କରାଯାଇଛି ।


