ସ୍ୱର୍ଗତ ଅକ୍ଷୟ ସାହୁଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ
ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ଯେଉଁ ଦେଶର ମାଆ ଭଲ ସେ ଦେଶ କେବେ ଖରାପ ନୁହେଁ ବୋଲି ଶୁକ୍ରବାର ବନ୍ତ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ସାନବର୍ଚ୍ଚିକୟାଁ ଠାରେ ସ୍ୱର୍ଗତ ଅକ୍ଷୟ କୁମାର ସାହୁଙ୍କ ୧୪ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ମୁଖ୍ୟ ଅତିଥି ଭାବେ ସ୍ତମ୍ଭକାର ଅରୁଣ କୁମାର ପଣ୍ଡା ଯୋଗ ଦେଇ କହିଥିଲେ । ଅକ୍ଷୟ ସାହୁ ସ୍ମୃତି ପରିଷଦ ଆନୁକୂଲ୍ୟରେ ଲକ୍ଷ୍ମୀଧର ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ମୁଖ୍ୟ ବକ୍ତା ଭାବେ ପ୍ରବଚକ ସଂଗ୍ରାମ ଆଚାର୍ଯ୍ୟ ଯୋଗ ଦେଇ ସମାଜ ସେହି ମାନଙ୍କୁ ମନେ ରଖେ ଯେଉଁ ମାନେ ସମାଜ ପାଇଁ ଭଲ କାମ କରିଥାନ୍ତି ବୋଲି କହିଥିଲେ । ବରେଣ୍ୟ ଅତିଥି ଭାବେ ପଦ୍ମଶ୍ରୀ ଦୈତାରୀ ନାୟକ, ସମ୍ମାନୀତ ଅତିଥି ଭାବେ ରୋଟାରିଆନ୍ ପ୍ରଦୀପ ମହାନ୍ତି, ଉଦୟ ରଞ୍ଜନ ଦାସ, ଅବସରପ୍ରାପ୍ତ ଶିକ୍ଷକ ଅକ୍ଷୟ କୁମା ଜେନା ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ସାହୁ ଜଣେ ଗଣିତ ବିଷାରଦ ଥିଲେ ବୋଲି କହିଥିଲେ । ଦୀପକ କୁମାର ମହାନ୍ତ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଲୋକନାଥ ସାହୁ ବିବରଣୀ ପାଠ ଓ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ପଦ୍ମଶ୍ରୀ ଦୈତାରୀ ନାୟକ, ପ୍ରବଚକ ସଂଗ୍ରାମ ଆଚାର୍ଯ୍ୟ, ଅବସରପ୍ରାପ୍ତ ଶିକ୍ଷକ ରାଜ କିଶୋର ସାହୁଙ୍କୁ ସ୍ମୃତି ପରିଷଦ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ଚଳିତ ମାଟ୍ରିକ୍ ପରୀକ୍ଷାରେ ଗଣିତରେ ସର୍ବୋଚ୍ଚ ନମ୍ବର ରଖିଥିବା ଜାଗୁଳାଇ ହାଇସ୍କୁଲର ଛାତ୍ର ଦେବଦତ୍ତ ରାଉତ ଓ ଢେଙ୍କା ହାଇସ୍କୁଲର ଛାତ୍ର ଅଭିଷେକ ଗୁପ୍ତାଙ୍କୁ ୨ ହଜାର ଟଙ୍କା, ସିଲ୍ ଓ ପ୍ରମାଣପତ୍ର ଏବଂ ସାନବର୍ଚ୍ଚିକୟାଁସ୍ଥିତ ନୋଡାଲ ସ୍କୁଲ ଓ ହାଇସ୍କୁଲର ପ୍ରଥମରୁ ୯ମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କୁ ୨ ଶହ ଲେଖାଏଁ ଟଙ୍କା, ସିଲ ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଟ୍ରଷ୍ଟି ଅହଲ୍ୟା ସାହୁ, ପ୍ରଶାନ୍ତ କୁମାର ସାହୁ ଗଣେଶ ପ୍ରସାଦ ସାହୁ, ସୁରେଶ କୁମାର ସାହୁ, ଦୀଲିପ କୁମାର ସାହୁଙ୍କ ସମେତ ଉଭୟ ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଗ୍ରାମବାସୀ ମାନେ ସହାୟତା କରିଥିଲେ । ଏହି ଅବସରରେ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା । ମେଡିସିନ୍ ବିଭାଗରେ ୧୪୩, ଚକ୍ଷୁ ବିଭାଗରେ ୪୮ ଓ ନ୍ୟୁରୋ ସର୍ଜରୀ ବିଭାଗରେ ୨୩ ଜଣଙ୍କୁ ଡାକ୍ତର ମାନେ ପରୀକ୍ଷା କରିବା ପରେ ସେମାନଙ୍କୁ ଔଷଧ ପ୍ରଦାନ କରାଯାଇଥିଲା । ଡାକ୍ତର ଜଗନ୍ନାଥ ଦାସ, କେ.ସି.ସାହୁ ଓ ବିଶ୍ୱଜିତ୍ ପଣ୍ଡା ପ୍ରମୁଖ ରୋଗୀ ସେବାରେ ନିୟୋଜିତ ଥିଲେ ।