ସ୍ୱର୍ଗତ ଭବାନୀ ପରିଜାଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକ ସ୍ମୃତିସଭା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବିପ୍ଲବୀ କବି, ସାମ୍ବାଦିକ ତଥା ‘ମୋ ଓଡ଼ିଶା’ର ପ୍ରତିଷ୍ଠାତା ସ୍ୱର୍ଗତ ଭବାନୀ ଶଙ୍କର ପରିଜାଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ସ୍ମୃତିସଭା ଭୁବନେଶ୍ୱରସ୍ଥିତ ଜୟଦେବ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଭବାନୀ ପରିଜା ସ୍ମୃତି କମିଟିର ଆବାହକ ଅନ୍ତର୍ଯ୍ୟାମୀ ବଡୁଙ୍କ ସଭାପତିତ୍ୱରେ ଆୟୋଜିତ ସ୍ମୃତିସଭାକୁ ପରିଚାଳନା କରିଥିଲେ ନ୍ୟାସନାଲ ହ୍ୟୁମାନ ରାଇଟ୍ସ କମିଶନ, ନୂଆଦିଲ୍ଲୀର କୋର ଗ୍ରୁପର ସଦସ୍ୟ ମନୋଜ କୁମାର ଜେନା । ସ୍ୱର୍ଗତ ପରିଜା କଟକ ଜିଲ୍ଲା ନିଆଳି ବ୍ଲକ ଦେବୀ-କନ୍ଦଳ ଦୀପାଞ୍ଚଳ ଅନ୍ତର୍ଗତ ବରିଷଣ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ଦୀର୍ଘ ଦୁଇଦଶନ୍ଧି ଧରି ଭୁବନେଶ୍ୱରରେ ବିଭିନ୍ନ ରଚନାତ୍ମକ, ଆନ୍ଦୋଳନାତ୍ମକ ଓ ସମାଜସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରି ରଖିଥିଲେ । ବିଶିଷ୍ଟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ପୂର୍ବତନ ଅର୍ଥ ରାଷ୍ଟ୍ର ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପଞ୍ଚାନନ କାନୁନଗୋ, ପୂବତନ ସାଂସଦ ମହାମେଘ ଐରଖାରବେଳ ସ୍ୱାଇଁ, ବରିଷ୍ଠ ସାମ୍ବାଦିକ ରବି ଦାସ, ପୂର୍ବତନ ବିଧାୟକ ନାରାୟଣ ରେଡ଼ୀ, ପ୍ରଧ୍ୟାପକ ରାମଚନ୍ଦ୍ର ପଣ୍ଡା, ବରିଷ୍ଠ ସାମ୍ବାଦିକ ପ୍ରକାଶ ରଥ, ପ୍ରଫୁଲ୍ଲ ଦାସ, ସମାଜସେବୀ ଆଲୋକ ଜେନା, ଅଭିନ୍ନ ହୋତା, ବିଜୟ ପରିଡ଼ା, ଭ୍ରମରବର ପରିଡ଼ା, ଯୁବନେତା ଦେବାଶିଷ ମିଶ୍ର ଓ ସ୍ୱର୍ଗତ ପରିଜାଙ୍କ ସୁପୁତ୍ର କୁମାର ଭଦ୍ରତନୁ ପ୍ରମୁଖ ବହୁମୁଖୀ ପ୍ରତିଭାର ଅଧିକାରୀ ସ୍ୱର୍ଗତ ପରିଜାଙ୍କ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ତାଙ୍କ ନିଜ ରଚିତ ‘ଶେଷ ରାସ’କୁ ଓଡ଼ିଶୀ ସଙ୍ଗୀତ ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା । ତାଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ୧ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିବା ବେଳେ ବେଦପାଠ କରିଥିଲେ ଯୁବ କଳାକାର ଉମେଶ ଚନ୍ଦ୍ର ପାଢୀ । ଧନ୍ୟବାଦ ଦେଇଥିଲେ ସମାଜସେବୀ ତଥା ପ୍ରାକ୍ତନ ସରପଞ୍ଚ ସରୋଜ କୁମାର ସ୍ୱାଇଁ । ଭବାନୀ ପରିଜା ସ୍ମୃତି କମିଟିର ବରିଷ୍ଠ ସଭ୍ୟ ଅଶୋକ କୁମାର ପାତ୍ର, ସୁଦର୍ଶନ ବେଉରା, କବି କୁମରବର ସ୍ୱାଇଁ, ନିରଞ୍ଜନ ବେଉରା, ରମାନାଥ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ