ସ୍ୱାଧୀନତା ଦିବସରେ ସମାପ୍ତ ହେଲା ପ୍ରାୟଶ୍ଚିତ ସପ୍ତାହ ଅନଶନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ନବୀନଙ୍କ ଅପାରଗ ଓ ଭ୍ରଷ୍ଟାଚାର ସରକାରର ଅନ୍ତ ଘଟାଇବା ପାଇଁ ବିଶେଷକରି ନବୀନଙ୍କ କୁଶାସନ ଆମେ କାହିଁକି ସହିଲୁ ଏଥିନେଇ ନବନିର୍ମାଣ ସ୍ୱରାଜ ସରକାରର ଆବାହକ ଅକ୍ଷୟ କୁମାର ଅଗଷ୍ଟ ୯ କ୍ରାନ୍ତି ଦିବସରୁ ଅଗଷ୍ଟ୧୫ ସ୍ୱାଧୀନତା ଦିବସ ପର୍ଯ୍ୟନ୍ତ ଲୋୟର ପିଏମ୍‌ଜିରେ ଚାଲିଥିବା ଅନଶନ ସ୍ୱାଧୀନତା ଦିବସରେ ସମାପ୍ତ ହୋଇଛି । ଶ୍ରୀ କୁମାରଙ୍କ ଅନଶନ ସମାପ୍ତ ଉପଲକ୍ଷେ ସାରା ରାଜ୍ୟର ଶହ ଶହ କର୍ମୀ ଅନଶନସ୍ଥଳରେ ଏକତ୍ରିତ ହୋଇଥିଲେ । ପିଏମ୍‌ଜିରେ ସ୍ୱାଧୀନତା ଦିବସ ଅବସରରେ ଭାରତ ସରକାରଙ୍କ ପୂର୍ବତନ ଶିଳ୍ପ ସଚିବ ପ୍ରସନ୍ନ ମିଶ୍ର ଅନଶନସ୍ଥଳରେ ଉପସ୍ଥିତ ରହି ଜାତୀୟ ପତାକା ଉତ୍ତୋଳନ କରିଥିଲେ । ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାକୁ ଉଦ୍‌ବୋଧନ ଦେଇ ଶ୍ରୀ ମିଶ୍ର କହିଲେ ଯେ, ସ୍ୱାଧୀନତା ପରେ ଦେଶରେ ବିଷମତା ଓ ବୈଷମ୍ୟ ତୀବ୍ରତର ହୋଇଛି । ୬୦ ଭାଗରୁ ଉର୍ଦ୍ଧ୍ୱ ଚାଷୀଙ୍କୁ ସରକାର ଯେତିକି ଅର୍ଥ ଦେଉନାହାଁନ୍ତି, ସରକାରୀ କର୍ମଚାରୀଙ୍କ ପାଇଁ ତା’ଠାରୁ ଢେର୍ ଅର୍ଥ ଖର୍ଚ୍ଚ କରୁଛନ୍ତି । ବିଶେଷକରି ଓଡ଼ିଶାର ବରିଷ୍ଠ ନାଗରିକମାନଙ୍କୁ ସରକାର ୫୦୦ଟଙ୍କା ଭତ୍ତା ଦେବା ଲଜ୍ଜାଜନକ ଓ ଅକ୍ଷମଣୀୟ ବୋଲି କହିଥିଲେ ।ପ୍ରାୟଶ୍ଚିତ ଅନଶନରେ ବସିଥିବା ଶ୍ରୀ କୁମାର କହିଲେ ଯେ, ଓଡ଼ିଶାରେ ଏକ ଜନବାଦୀ ବିକଳ୍ପ ଜନଗଣଙ୍କୁ ଯୋଗାଇ ଦିଆଯିବା ପାଇଁ ମହାସଂଗ୍ରାମ ଆରମ୍ଭ ହେବ । ସମ୍ବିଧାନରେ ଜନତାଙ୍କୁ ପ୍ରଦତ୍ତ ସମସ୍ତ ସୁବିଧା ସୁଯୋଗ ଓ ମୌଳିକ ଅଧିକାର କିଭଳି ଲୋକ ପାଇବେ, ତାହା ହେବ ଆମ ସଂଗ୍ରାମର ଲକ୍ଷ୍ୟ । ବିଶେଷକରି କୃଷିଜୀବୀଙ୍କୁ ସ୍ୱାଧୀନତା ପରେ କରାଯାଇଥିବା ଐତିହାସିକ ଅବହେଳାକୁ ସମାପ୍ତ ପାଇଁ ତୀବ୍ର ଲଢେଇ ହେବ । ଓଡ଼ିଶା ସରକାରଙ୍କ ବରିଷ୍ଠ ସଚିବ ଅରବିନ୍ଦ ବେହେରା ତାଙ୍କ ବକ୍ତବ୍ୟରେ କହିଲେ ଯେ, ଲୋକଙ୍କର ହକ୍ ଆଦାୟ ପାଇଁ ସରକାରଙ୍କ ଉପରେ ଅଧିକାର ଅଛି । ସେହିଭଳି ରାଷ୍ଟ୍ର ଓ ଜନତାଙ୍କ ମଧ୍ୟରେ ଏକ ସୁସ୍ଥ ସନ୍ତୁଳନ ରହିବାର ଆବଶ୍ୟକତା ଅଛି । ଗୋଟିଏ ବ୍ୟବସ୍ଥା ଅସୁନ୍ତଳିତ ହେଲେ ବ୍ୟବସ୍ଥାରେ କ୍ଷତି ଘଟିବ । ବରିଷ୍ଠ ଅଧିବକ୍ତା କ୍ଷୀରୋଦ ରଉତ ତାଙ୍କ ବକ୍ତ୍ୟବରେ କହିଲେ ଯେ, ଯୁବକ ଓ ଛାତ୍ରମାନେ ସମାଜର ପରିବର୍ତ୍ତନ ପାଇଁ ଆଗୁଆ ସୈନିକ ନହେଲେ ପରିବର୍ତ୍ତନ ପ୍ରକ୍ରିୟା ଆଗକୁ ବଢିପାରିବନି ବୋଲି କହିଥିଲେ । ସୂଚନା ଅଧିକାର ଆନ୍ଦୋଳନର ନେତା ପ୍ରଦୀପ ପ୍ରଧାନ କହିଲେ ଯେ, ସୂଚନା ଅଧିକାର ଆଇନରେ ମିଳୁଥିବା ଅନେକ ତଥ୍ୟ ପ୍ରଘଟ ପରେ ମଧ୍ୟ ଏହା ଉପରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ । ସରକାରଙ୍କୁ ଚାପଗ୍ରସ୍ତ କରିବା ପାଇଁ ସଶକ୍ତ ଜନଆନ୍ଦୋଳନର ଆବଶ୍ୟକତା ରହିଛି । ଶ୍ରୀ କୁମାରଙ୍କ ସହ ଅନଶନରେ ବସିଥିବା ବିଚିତ୍ର ପଣ୍ଡା ଓ ଦୀନେଶ ଦାଶ ମଧ୍ୟ ଅନଶନ ଭଙ୍ଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଉମାକାନ୍ତ ଭାରତ, ନିମାଇଁ ରାୟ ଓ ରଶ୍ମୀରଞ୍ଜନ ସ୍ୱାଇଁ, ଯୁବଛାତ୍ର ସଂଯୋଜକ ମନୱର ଅଲ୍ଲୀ, ଡ. କୁଳମଣି, ଅକ୍ରୁର ପଲାଇ, ମହେଶ୍ୱର ଜେନା, ପ୍ରାଣବନ୍ଧୁ ପଲାଇ, ଦେବୀ ପ୍ରସାଦ ମହାରଣା, ପ୍ରହଲ୍ଲାଦ ସାହୁ, ଅଶ୍ୱିନୀ ଜେନା, ବିଳାସିନୀ ମହନ୍ତ, ମୀନା କୁମାରୀ ସାହୁ, ତ୍ରିଲୋଚନ ପଣ୍ଡା, ସତ୍ୟ ନାୟକ, ଅଶୋକ ଶାନ୍ତି, ରଣଜିତ ପଟ୍ଟନାୟକ, ଭରତ ବେହେରା ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ