ସ୍ୱାବ୍ ସଂଗ୍ରହକାରୀ ଭ୍ୟାନ୍ ଉଦ୍‌ଘାଟନ କଲେ ଜିଲ୍ଲାପାଳ

ଛତ୍ରପୁର, (ଓ୍ୱାଇଏନ୍‌ଏସ୍‌): ଆଜି ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟ ପରିସରରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମୋବାଇଲ୍ ସ୍ୱାବ୍ ସଂଗ୍ରହ ଭ୍ୟାନଟିର ଉଦ୍ଘାଟନ କରିଛନ୍ତି । ଓଡିଶା ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ବାରା ପ୍ରଦାନ କରାଯାଇଥିବା ସ୍ୱାବ୍ ସଂଗ୍ରହ ଭ୍ୟାନ୍ ଜରିଆରେ ବ୍ରହ୍ମପୁର ସହର ବିଭିନ୍ନ ଓ୍ୱାର୍ଡର ସ୍ଥିରୀକୃତ ସ୍ଥାନ ମାନଙ୍କରେ ରହି ସ୍ୱାବ୍ ସଂଗ୍ରହ କରାଯିବ । ଶୀତ ତାପ ନିୟନ୍ତ୍ରୀତ ଭ୍ୟାନ୍ ଭିତରେ ରହି ବାହାରୁ କରୋନା ଲକ୍ଷଣ ଜନୀତ ବ୍ୟକ୍ତି ବିଶେଷଙ୍କ ଠାରୁ ଦୁଇ ମିଟର ବା ଛଅ ଫୁଟ ବ୍ୟବଧାନରେ ସାମାଜିକ ଦୂରତ୍ୱ ରକ୍ଷା କରି ଏକାବେଳକେ ଦୁଇଜଣଙ୍କ ସ୍ୱାବ୍ ସଂଗ୍ରହ କରିବାର ସୁବିଧା ରହିଛି । ଲାବରେଟୋରୀ ଟେକନିସିଆନ୍, ସ୍ୱାସ୍ଥ୍ୟକର୍ମୀ ଓ ଆଟେଣ୍ଡାଣ୍ଟ ଙ୍କୁ ନେଇ ଟିମ୍ ଗଠନ କରାଯାଇଛି, ସେମାନଙ୍କ ଦ୍ୱରା ଏହି କାର୍ଯ୍ୟ ସୁପରିଚାନା କରାଯିବ । ଏଠାରେ ପ୍ରକାଶ ଥାଉକି ବ୍ରହ୍ମପୁର ସ୍ଥିତ ବିଜୁପଟ୍ଟନାୟକ ହୋମିଓ ବାଳିକା ଛାତ୍ରାବାସରେ ଚାଲୁ ରହିଥିବା ଅସ୍ଥାୟୀ ସ୍ୱାବ୍ ସଂଗ୍ରହ କେନ୍ଦ୍ରକୁ ସ୍ୱାବ୍ ଦେବାପାଇଁ ଯାଉଥିବା ବ୍ୟକ୍ତି ବିଶେଷଙ୍କୁ ସଂକ୍ରମଣର ସମ୍ଭାବନାକୁ ରୋକିବା ନିମନ୍ତେ ଏହି ସ୍ୱାବ୍ ସଂଗ୍ରହ ଭ୍ୟାନ୍ ଟି ଉଦ୍ଦିଷ୍ଟ, ଯଦ୍ୱରା ସ୍ୱାବ୍ ପରୀକ୍ଷା ନିମନ୍ତେ ଯାଉଥିବା ବ୍ୟକ୍ତି ଚିକିତ୍ସାଳୟକୁ ଯିବେନାହିଁ, ସେମାନଙ୍କ ନିଜ ଅଞ୍ଚଳରେ ସ୍ୱାବ୍ ଦେବେ ଏବଂ କରୋନା ସଂକ୍ରମଣ ଦାଉରୁ ନିଜକୁ ସୁରକ୍ଷିତ ରଖିପାରିବେ । ଉଦ୍ଘାଟନୀ ସମୟରେ ବ୍ରହ୍ମପୁର ମହାନଗର ନିଗମ କମିଶନର୍ ଚକ୍ରବର୍ତ୍ତୀ ସିଂ ରାଠୋର୍, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରେୟ ଭାଉସାହେବ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ଉମା ଶଙ୍କର ମିଶ୍ର, ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ର ଜିଲ୍ଲା ଯୋଜନା ଅଧିକାରୀ ଶ୍ୟାମ ସୁନ୍ଦର ତ୍ରିପାଠୀ, ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ