ସ୍ୱାସ୍ଥ୍ୟ ପାଇଁ ବିଷ ଆଲୁମିନିୟମ ଫଏଲ୍
ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ନିଜର ସ୍ୱାସ୍ଥ୍ୟ ପାଇଁ କାହା ପାଖରେ ବି ସମୟ ନାହିଁ । ଘରେ ରୋଷେଇ କରି ଖାଇବା ଆଜିକାଲି ଏକ ସମସ୍ୟା ପାଲଟି ଯାଇଛି । ଅନେକ ବାହାରର ପ୍ୟାକେଜ୍ ଖାଦ୍ୟକୁ ଗୁରୁତ୍ୱ ଦେଉଛନ୍ତି । ତେବେ ବାହାରର ହୋଟେଲ୍ କିମ୍ବା ରେସ୍ତୋରାଁ ଏହି ଖାଦ୍ୟକୁ ପାର୍ସଲ କରିବା ପାଇଁ ଯେଉଁ ଆଲୁମିନିଏମ୍ ଫଏଲ୍ର ବ୍ୟବହାର କରୁଛନ୍ତି ତାହା ଆପଣଙ୍କ ଶରୀର ପାଇଁ ବିଷ । ଏଥିରେ ବ୍ୟବହାର ହେଉଥିବା ରାସାୟନିକ ପଦାର୍ଥ ଶରୀରରେ ଅନେକ ରୋଗ ସୃଷ୍ଟି କରିଥାଏ ।
ଆସନ୍ତୁ ପଢିବା ସେହିଭଳି କିଛି ରୋଗ ବିଷୟରେ…
କିଡ୍ନୀ ସହ ଲିଭର୍ ସମସ୍ୟା
ସର୍ବଦା ସମସ୍ତେ ନିଜ ଖାଦ୍ୟ ଗରମ ଖାଇବାକୁ ପସନ୍ଦ କରିଥାଆନ୍ତି । ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଭଲ । ହେଲେ ଏହା ଯଦି ନିଜ ରୋଷେଇ ଘରେ ରନ୍ଧାଯାଇଥିବା ଖାଦ୍ୟ ତାହାଲେ ଏହା ଆପଣଙ୍କ ଶରୀର ପାଇଁ ଅମୃତ । ନଚେତ ଏହା ଯଦି କୌଣସି ପ୍ୟାକେଟ୍ରୁ ବାହାରୁଛି ତେବେ ଏହା ବିଷ । ଆଲୁମିନିୟମ ଫଏଲରେ ଗରମ ଖାଦ୍ୟ ପ୍ୟାକିଂ କରିବା ଦ୍ୱାରା ଏଥିରେ ଥିବା କ୍ଷତିକାରକ ରାସାୟନିକ ପଦାର୍ଥ ତରଳି ଖାଦ୍ୟରେ ମିଶିଥାଏ । ଏହାକୁ ଖାଇବା ଦ୍ୱାରା ଲିଭର ଏବଂ କିଡ୍ନୀ ସମସ୍ୟା ସୃଷ୍ଟି ହେବା ଆଶଙ୍କା ବୃଦ୍ଧି ପାଏ ।
ସ୍ମୃତିଶକ୍ତି ହ୍ରାସ
ଆଲୁମିନିୟମ ଫଏଲ୍ରେ ପ୍ୟାକିଂ ହୋଇଥିବା ଖାଦ୍ୟ ଖାଇବା ଦ୍ୱାରା ଆପଣ ସ୍ମୃତିଶକ୍ତି ହ୍ରାସ ଏବଂ ଉନ୍ମାଦ ଭଳି ରୋଗର ଶିକାର ହୋଇପାରନ୍ତି । ଏଥିରେ ଥିବା କ୍ଷତିକାରକ ରାସାୟନିକ ପଦାର୍ଥ ଆପଣଙ୍କ ସ୍ନାୟୁକୁ ନଷ୍ଟ କରିଦେବା କାରଣରୁ ଏଭଳି ସମସ୍ୟା ଦେଖାଯାଇପାରେ ।
ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ
ଯଦି ଆପଣ ପ୍ରତ୍ୟେକ ଦିନ ଆଲୁମିନିୟମ୍ ଫଏଲରେ ପ୍ୟାକିଂ ହୋଇଥିବା ଖାଦ୍ୟ ଖାଉଛନ୍ତି ତେବେ ଏଥିରୁ ନିବୃତ୍ତ ରୁହନ୍ତୁ । କାରଣ ଏହା ଆପଣଙ୍କ ଶରୀରକୁ ଅନେକ କ୍ଷତି ପହଞ୍ଚାଇଥାଏ । ଏଥିରେ ଥିବା ରାସାୟନିକ ତତ୍ତ୍ୱ ଶରୀରରେ ଏକାଠି ହୋଇଥାଏ । ଏହାଦ୍ୱାରା ଆପଣଙ୍କୁ ଆସ୍ଥମା ଓ ନିଃଶ୍ୱାସ ପ୍ରଶ୍ୱାସ ନେବା ଆଣିବା ସମୟରେ କଷ୍ଟ ଅନୁଭୂତ ହେବାର ସମ୍ଭାବନା ରହିଛି । ଏଥିସହିତ ଏହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ହ୍ରାସ କରିଥାଏ ।
ହାଡ଼ ପ୍ରତି କ୍ଷତି ପହଞ୍ଚାଏ
ଏହା ଯେ କେବଳ ନିଃଶ୍ୱାସ ଜନିତ ସମସ୍ୟା ସୃଷ୍ଟିକରେ ତାହା ନୁହେଁ । ଆଲୁମିନିୟମ୍ ଫଏଲରେ ରଖାଯାଇଥିବା ଖାଦ୍ୟ ଖାଇବା ଦ୍ୱାରା ମସ୍ତିଷ୍କ ସହ ହାଡ଼ ଉପରେ ମଧ୍ୟ ଖରାପ ପ୍ରଭାବ ପଡିଥାଏ । ଆପଣଙ୍କୁ ଏଥିରେ ଥିବା ରାସାୟନିକ ପଦାର୍ଥ ଦୁର୍ବଳ ମଧ୍ୟ କରିପାରେ । ଫଳରେ ମୁଣ୍ଡ ବୁଲାଇବା ଭଳି ସମସ୍ୟା ମଧ୍ୟ ଦେଖାଯାଇ ପାରେ । ତେଣୁ ଯଥାସମ୍ଭବ ଏହି ଆଲୁମିନିୟମ୍ ଫଏଲ୍ରେ ପ୍ୟାକିଂ ହୋଇଥିବା ଖାଦ୍ୟଠାରୁ ଦୂରରେ ରୁହନ୍ତୁ ।


