ସ୍ୱାସ୍ଥ୍ୟ ବିଭାଗ ଔଷଧ ଗାଡ଼ି ଦୁର୍ଘଟଣାଗ୍ରସ୍ତ:୨ଗୁରୁତର, ଜଣେ ଆହତ
ନିରାକାରପୁର (ଜୁଗାବ୍ଦ ନ୍ୟୁଜ୍): ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ବଡ଼ପୋଖରୀଆ ସୁନେଇ ରୂପେଇ ଛକ ନିକଟରେ ଗୁରୁବାର ଏକ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବାରୁ ଦୁଇଜଣ ଗୁରୁତର ଏବଂ ଜଣେ ଆହତ ହୋଇଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ କି ଅପରାହ୍ନ ସାଢେ ୫ଟାବେଳେ ଭୁବନେଶ୍ୱରରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଗଞ୍ଜାମ ଯକ୍ଷ୍ମା ନିୟନ୍ତ୍ରଣ କେନ୍ଦ୍ର ବୋଲେରୋ ଗାଡ଼ି (ଓଆର ୦୨ ଏକ୍ସ ୫୫୧୪) ଔଷଧ ନେଇ ବ୍ରହ୍ମପୁର ଅଭିମୁଖେ ଯାଉଥିଲା । ହଠାତ ନିରାକାରପୁର ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥ ସୁନେଇ ରୂପେଇ ଛକ ନିକଟରେ ଭାରସାମ୍ୟ ହରାଇ ବାମପଟ ରାସ୍ତାରୁ ଡିଭାଇଡର ଅତିକ୍ରମ କରି ଡାହଣ ପଟ ରାସ୍ତା ତଳକୁ ଖସି ପଡ଼ିଥିଲା । ଫଳରେ ସେଥିରେ ବସିଥିବା ଦୁଇଜଣ ଗୁରୁତର ହୋଇଥିବାବେଳେ ଆଉ ଜଣେ ଆହତ ହୋଇଥିଲେ । ଆହତ
ବ୍ୟକ୍ତିମାନେ ସେଠାରେ ପଡ଼ି ରହିଥିବାବେଳେ ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ କରି ବାରମ୍ବାର ଡାକିଥିଲେ । କିନ୍ତୁ ସେ ଘଟଣାସ୍ଥଳକୁ ଆସି ନଥିଲା । ଫଳରେ ଲୋକେ ଏକ ଖୋଲା ଡାଲା ଗାଡ଼ିରେ ସେମାନଙ୍କୁ ଖୋର୍ଦ୍ଧା ହସ୍ପିଟାଲକୁ ପଠାଇଥିଲେ । ସ୍ୱାସ୍ଥ୍ୟ ବିଭାଗର ଆହତ ଲୋକଙ୍କୁ ୧୦୮ ଗାଡ଼ି ନେବାକୁ ନ ଆସିବାରୁ ଲୋକେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ପରେ ଘଟଣାସ୍ଥଳରେ ନିରାକାରପୁର ପୁଲିସ ପହଞ୍ଚି ଗାଡ଼ିଟିକୁ ଜବତ କରି ତଦନ୍ତ ଜାରି ରଖିଛି ।