ସ୍ୱାସ୍ଥ୍ୟ ସେବା ନାଁ ରେ ଟିକସ ଦାତାଙ୍କ ଅର୍ଥ ହରିଲୁଟ କରୁଛନ୍ତି ସରକାର : କଂଗ୍ରେସ

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାକୁ ନେଇ ରାଜ୍ୟ ସରକାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛି କଂଗ୍ରେସ । ଆଜି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ମନୋଜ ମହାପାତ୍ର ଦର୍ଶାଇଛନ୍ତି ଯେ ନିର୍ବାଚନ ଆସିଲେ ବିଜୁ ଜନତା ଦଳ ସରକାରର ବିଭିନ୍ନ ଯୋଜନା କଥା ମନେପଡ଼ିଥାଏ । ଏହି ମର୍ମରେ ୭୫ତମ ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ର ସ୍ମାର୍ଟକାର୍ଡ ପ୍ରଚଳନ କରି ଓଡ଼ିଶାର ୩କୋଟି ୩୦ଲକ୍ଷ ହିତାଧିକାରୀ, ପୁରୁଷଙ୍କୁ ୫ଲକ୍ଷ ଓ ମହିଳାଙ୍କୁ ୧୦ଲକ୍ଷ ହିସାବରେ ଲାଭ ମିଳିବ ବୋଲି ୨୦୧୮ ମସିହା ଅଗଷ୍ଟ ୧୫ ତାରିଖରେ ଘୋଷଣା କରିଥିବା ପୂରୁଣା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ନୂଆ ରୂପ ଦେଇଛନ୍ତି ଯାହାକି ଆଗାମୀ ପଂଚାୟତ ଓ ପୌରନିର୍ବାଚନକୁ ଲକ୍ଷ ରଖି ପୂରୁଣା ବହିରେ ନୂଆ ମଲାଟ ମଡ଼ାଇଛନ୍ତି । ଦୀର୍ଘ ଦୁଇଦଶନ୍ଧିରେ ଶାସନରେ ରହିମଧ୍ୟ ସରକାର ନୂଆ ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲିବାତ ଦୂରର କଥା ଅଧିକାଂଶ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ନାହାନ୍ତି ।
ସରକାରଙ୍କ ଆତ୍ମଘୋଷଣା ସର୍ବସ୍ୱ ଯୋଜନା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣରେ ୧୮୩ ଗୋଟି ପଂଜିକୃତ ଘରୋଇ ଚିକତ୍ସାଳୟ ଓ ଓଡ଼ିଶାର ସମସ୍ତ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସରକାରୀ ମେଡିକାଲ କଲେଜ ହସପିଟାଲରେ ୭୦ ଲକ୍ଷରୁ ଉର୍ଦ୍ଧ ପରିବାର ପିଛା ବାର୍ଷିକ ୫ ଲକ୍ଷ ଓ ମହିଳା ସଦସ୍ୟ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେୟମୁକ୍ତ ଚିକିତ୍ସା ସୁବିଧା ପାଇପାରିବେ । ଏହି ଯୋଜନାରେ ଚଳିତ ଆର୍ଥିକ ବର୍ଷରେ ୧୩୫୩ କୋଟି ଟଙ୍କାକୁ ମିଶାଇ ବିଗତ ତିନିବର୍ଷରେ ସରକାର ତିନି ହଜାର କୋଟି ଟଙ୍କା ଅର୍ଥ ବରାଦକରି ଖର୍ଚ୍ଚ କରିଛନ୍ତି । ବିଧାନ ସଭାରେ ଗତ ୧୫.୩.୨୦୨୧ ରେ ସରକାରଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁହେବା ଠାରୁ ରାଜ୍ୟରେ କେତେ ପୁରୁଷ ଓ ମହିଳା ହିତାଧିକାରୀ ଉପକୃତ ହୋଇଥିବା ପ୍ରଶ୍ନର ଜବାବରେ ସରକାରଙ୍କ ଉତର ରାଜ୍ୟବାସୀଙ୍କୁ ବିସ୍ମିତ କରିଛି । ସରକାରଙ୍କ ଜବାବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁ ହେବା ଠାରୁ ରାଜ୍ୟରେ ୧୫ କୋଟି ୬୦ଲକ୍ଷ ୮୮୪ ଜଣ ପୁରୁଷ ଓ ମହିଳା ଉପକୃତ ହୋଇଛନ୍ତି । ଏହି ସଂଖ୍ୟାକୁ ଆଧାର କରି କଂଗ୍ରେସ ମୁଖପାତ୍ର ଶ୍ରୀ ମହାପାତ୍ର ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଯେ ମାତ୍ର ୨ ବର୍ଷ ୬ ମାସ ମଧ୍ୟରେ ଓଡ଼ିଶାର ସମୁଦାୟ ଜନସଂଖ୍ୟାର ୪ ଗୁଣା ଲୋକ ଏହି ଯୋଜନାର ଲାଭାର୍ଥି ହେଲେ କିପରି?
ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ କଲ୍ୟାଣ ହିତାଧିକାରୀଙ୍କ ହିସାବରୁ ସ୍ପଷ୍ଟ ବୁଝାପଡ଼ୁଛି ସରକାର କେଉଁଭଳି ଭାବେ ଭୂତ ହିତାଧିକାରୀ ଲାଭାର୍ଥିିଙ୍କ ତାଲିକା ପ୍ରସ୍ତୁତ କରିଛନ୍ତି ଓ ଏଥିରେ ଦୁର୍ନୀତିର ସ୍ପଷ୍ଟ ଗନ୍ଧ ଜଣାପଡ଼ୁଛି । ଏଣୁ ସରକାର ମାନିଥିବା ପିସି କାରବାର ଅନୁଯାୟି ଏହି ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମଧ୍ୟ ବ୍ୟାପକ ଘୋଟାଲା ହୋଇଛି । ରାଜ୍ୟବାସୀଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇ କେଉଁମାନେ ପ୍ରକୃତ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାର ଲାଭାର୍ଥି ତାର ସିଏଜି ଅଡିଟ କରିବା ସହିତ ଏହାର ସ୍ୱଚ୍ଛତା ପାଇଁ ଶ୍ୱେତପତ୍ର ପ୍ରକାଶ କରନ୍ତୁ ବୋଲି କଂଗ୍ରେସ କହିଛି । ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ, ରଜନୀ ମହାନ୍ତି ଓ ସଂଯୋଜକ ଦୀପକ ମହାପାତ୍ର ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ