ସ୍ୱାୟତ ଶାସନ ଦିବସକୁ କଳା ଦିବସ ଭାବେ ପାଳନ କଲା ବିଜେପି
ବ୍ରହ୍ମପୁର, (ଓ୍ବାଇଏନ୍ଏସ୍) : ସୋମବାର ଦିନ ସ୍ୱାୟତ ଶାସନ ଦିବସ କୁ ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା କଳା ଦିବସ ଋପେ ପାଳନ କରିଛି । ଦିର୍ଘ ୨୧ ବର୍ଷ ଶାସନରେ ବିଜେଡି ସରକାର ବିକାଶ ନାଁ ରେ ଲୋକ ଙ୍କୁ ଭୂଆଁ ବୁଲାଇଛି । ଜାନିବିଲି ପ୍ରକଲ୍ପ ଉଦ୍ଘାଟନ କୁ ୩ ବର୍ଷ ବିତି ଯାଇଥିଲେ ମଧ୍ୟ ପାନୀୟ ଜଳ ସୁବିଧା ଲୋକ ଙ୍କ ପାଖରେ ପହଂଚି ପାରି ନାହିଁ । ଅସରାଏ ବର୍ଷା ହେଲେ ବ୍ରହ୍ମପୁର ରାସ୍ତା ରେ କୃତ୍ରିମ ହ୍ରଦ ର ଭ୍ରମ ସୃଷ୍ଟି ହେବା ସଙ୍ଗେ ସଙ୍ଗେ ଗମନା ଗମନ ଜୀବନ ଓ ଜୀବିକା ଦୁର୍ବିସହ ହୋଇପଡୁଛି । ମହାନଗର ନିଗମର ପ୍ରତ୍ୟେକ କାର୍ଯ୍ୟରେ ଦୁର୍ନିତିର ଗନ୍ଧ ବାରିହୋଇ ପଡୁଥିବା ବେଳେ ୨୧ ବର୍ଷ ଶାସନ କାଳରେ ଏହା ହେଉଛି ନବୀନ ବାବୁ ଙ୍କ ବିକାଶର ନଗ୍ନ ଚିତ୍ର , ଖୋଦ ମୁଖ୍ୟମନ୍ତ୍ରୀ ବ୍ରହ୍ମପୁର ସହରର ବିକାଶ “ମୋର ଦାୟୀତ୍ୱ” ବୋଲି କହୁଥିଲେ ମଧ୍ୟ ବ୍ରହ୍ମପୁର ସହର ସବୁଠାରୁ ଅଧିକ ଅବହେଳିତ । ବ୍ରହ୍ମପୁର ନଗର ୧୫୩ ତମ ସ୍ୱାୟତ ଶାସନ ଦିବସ ପାଲନ କରୁଥିଲେ ମଧ୍ୟ ବ୍ରହ୍ମପୁର ବାସୀ ମୈାଳିକ ସୁବିଧା ଯଥା ଡ୍ରେନେଜ ସୁବିଧା,ସାଧାରଣ ଗମନା ଗମନ ର ସୁବିଧା ,ସଧାରଣ ସ୍ୱାସ୍ଥ୍ୟ ବ୍ୟବସ୍ଥା , ଉଚିତ ପାନୀୟ ଜଳ ବିତରଣ ବ୍ୟବସ୍ଥା ସର୍ବୋପରି ଆଜୀବିକା ପ୍ରାପ୍ତ କରିବା ସୁବିଧା ରୁ ବଂଚିତ ହୋଇଛନ୍ତି । ବ୍ରହ୍ମପୁର କମିଶନରେଟ ପୋଲିସ ଘୋଷଣା ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିଲା ନାହିଁ । ଏତଦ ଭିନ୍ନ ସଂପ୍ରତି ଦେଖାଦେଇଥିବା ବିଶ୍ୱ ମହାମାରୀ କୋଭିଡ ୧୯ ପରିଚାଳନାରେ ବ୍ରହ୍ମପୁର ମହାନଗର ନିଗମ କର୍ତୃପକ୍ଷ ସମ୍ପୁର୍ଣ୍ଣ ଭାବେ ବିଫଳ ହୋଇଛି । କୋରନା ମୃତ୍ୟୁ ରେ ବ୍ରହ୍ମପୁର ସର୍ବାଗ୍ରେ ରହିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ସଠିକ ଆକଳଣ କରି ଲୋକଙ୍କୁ ଘର ଦିଆଗଲା ନାହିଁ । ଶିଲ୍ପାୟନ କ୍ଷେତ୍ରରେ ବ୍ରହ୍ମପୁର ପଛରେ ରହିଛି । ଦୀର୍ଘ ଦିନ ଧରି ପୋଖରୀ ଗୁଡିକ ପୁର୍ନରୁଦ୍ଧାର ହୋଇ ପାରିଲା ନାହିଁ । ଗରିବ ମାନଙ୍କୁ ମୋଦି ଙ୍କ ଜନ କଲ୍ୟାଣ କାରୀ ଯୋଜନା ପହଂଚାଇବା ରେ ବିଫଳ ହୋଇଛନ୍ତି । ରାମଲିଙ୍ଗମ୍ ବନ୍ଧ ଉନ୍ନତୀ କରଣ କାର୍ଯ୍ୟ ଆଜି ପର୍ଯ୍ୟନ୍ତ ସମାପ୍ତ ହୋଇପାରିଲା ନାହିଁ । ପ୍ରକୃତ ହିତାଧିକାରୀ ଙ୍କୁ ରାସନ୍ କାର୍ଡ ମଧ୍ୟ ମିଳିଲା ନାହିଁ । ବ୍ରହ୍ମପୁର ସହରବାସୀ ଙ୍କୁ ମହାନଗର ନିଗମ ସର୍ବନିମ୍ନ ମୌଳିକ ସୁବିଧାରୁ ବଂଚିତ କରିଥିବା ଯୋଗୁଁ ଆଜି ଭାରତୀୟ ଜନତା ପାର୍ଟି ର କାର୍ଯ୍ୟକର୍ତା ମାନେ ସ୍ଥାନୀୟ ଗାନ୍ଧୀ ପ୍ରତିମୂର୍ତୀ ଠାରେ କଳା କପଡା ବାନ୍ଧୀ ଏହାର ବିରୋଧ କରିଥିଲେ । ପୂର୍ବତନ ଜିଲ୍ଲା ସଭାପତି ଏବଂ ବ୍ରହ୍ମପୁର ବିଧାନସଭା ପ୍ରାର୍ଥୀ ଶ୍ରୀ କାହ୍ନୁ ଚରଣ ପତି ଏହି ପରିପ୍ରେକ୍ଷୀରେ ମହାନଗର ନିଗମ ତଥା ରାଜ୍ୟ ସରକାର ଙ୍କ ନିଷ୍କ୍ରିୟତା , ଭୁଲ କାର୍ଯ୍ୟପନ୍ଥା ଏବଂ ଗରୀବ ମାରଣ ନିତୀ କୁ ପ୍ରତିବାଦ କରିବା ସହ ସ୍ୱାୟତ ଶାସନ ଦିବସ ପାଳନ ରାଜ୍ୟ ସରକାରଙ୍କ ମିଥ୍ୟା ବାହାଷ୍ପଟ ବୋଲି କହିଥିଲେ । ଏ ଅବସରରେ ବରିଷ୍ଠ ନେତା ନିରଂଜନ ପାଣିଗ୍ରାହୀ, ପ୍ରବୀର ପାତ୍ର, ପ୍ରଭାତ ଷଡଙ୍ଗୀ, ଶରତ ସାହୁ, ଏନ୍. ରାଜେନ୍ଦ୍ର କୁମାର, ମଣ୍ଡଳ ସଭାପତି ଭାବଗ୍ରାହୀ ପାଳ, ସତ୍ୟନାରାୟଣ ବସନ୍ତିଆ, ବିନାୟକ ରଥ, ନମିତାରାଣୀ ପଣ୍ଡା, ଏସ୍.ଶ୍ରୀନିବାସ ରାଓ, ସନ୍ତୋଷ ପାଣିଗ୍ରାହୀ, ସଦ୍ଧାନ୍ତ ଗଙ୍ଗଦେବ, ମଦନ ମୋହନ ପାତ୍ର, ପ୍ରଦୀପ ମିଶ୍ର, ଏସ୍.ରାଣୀ, ମଧୁସୁଦନ ସାହୁ, ବିକାଶ, ପାଣିଗ୍ରାହୀ, କିରଣ କୁମାର ସାହୁ, ପ୍ରଣୟ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ଭାରତର ପର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତ ଖବର ପାଇବା ପରେ ଉପସ୍ଥିତ କାର୍ଯ୍ୟକର୍ତା ମାନେ ତାଙ୍କର ଅମର ଆତ୍ମାର ସଦଗତି କାମନା କରି ୧ମିନଟ ନୀରବ ପ୍ରାର୍ଥନା କରିଥିଲେ ।


