ସ୍ୱୟଂ ସହାୟିକାରୁ ସାଂସଦ ପ୍ରାର୍ଥୀ

ଚେରମାରିଆ ଗାଁର ସବୁ ଚୁଲିମୁଣ୍ଡରେ ଏବେ ‘ପଲ୍ଲୀ ମାଆ’ର ଚର୍ଚ୍ଚା । ଗଳିକନ୍ଦି, ହାଟବଜାର ଆଉ ସାରା ପଞ୍ଚାୟତରେ ପଲ୍ଲୀମାଆର ଜୟଜୟକାର । ଯିଏ ଦିନେ ଓଢ଼ଣା ଫାଙ୍କରୁ ମୁହଁ କାଢ଼ୁ ନଥିଲା କି ଏରୁଣ୍ଡି ବନ୍ଧରୁ ଗୋଡ଼ କାଢ଼ୁ ନଥିଲା ସିଏ ଆଜି ଦିଲ୍ଲୀ ଯିବାକୁ ସିଗନାଲ ପାଇଛି । ଆସ୍କା ଲୋକସଭା ନିର୍ବାଚନ ମଣ୍ଡଳୀର ଜଣେ ନିପଟ ମଫସଲି ଗାଁର ମହିଳାଙ୍କୁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ସାଂସଦ ପ୍ରାର୍ଥୀର ଟିକଟ । ନଳବଣ୍ଟା ପଞ୍ଚାୟତର ଚେରମାଳିଆ ଗାଁର ପ୍ରମିଳା ବିଷୋୟୀଙ୍କୁ ବିଜେଡି ଦେଇଛି ସାଂସଦ ଟିକଟ । ପ୍ରଥମ ଓ ଦ୍ୱିତୀୟ ପର‌୍ୟ୍ୟାୟ ପାଇଁ ବିଜେଡି ଘୋଷଣା କରିଥିବା ପ୍ରାର୍ଥୀ ତାଲିକାରେ ପ୍ରମିଳାଙ୍କ ନାଁ ଅଛି । ପ୍ରମିଳାଙ୍କୁ ଟିକଟ ମିଳିବା ପରେ ଏବେ ସବୁଠି ଚର୍ଚ୍ଚା କିଏ ସେ ପ୍ରମିଳା ଆଉ କଣ ତାଙ୍କ ପରିଚୟଟ୍ଟ
କଣ ପାଇଁ ନବୀନ ଜଣେ ନିପଟ ମଫସଲି ଗାଁର ମହିଳାଙ୍କୁ ଟିକଟ ଦେଲେ
ନବୀନ ନିଜର ପ୍ରଥମ ରାଜନୈତିକ କ୍ୟାରିୟର ଆସ୍କାରୁ ଆରମ୍ଭ କରିଥିଲେ । ଆସ୍କା ଲୋକସଭା ନବୀନଙ୍କ ପ୍ରଥମ ରାଜନୈତିକ କ୍ଷେତ୍ର ହୋଇଥିବାରୁ ଚଳିତ ଥର ଉକ୍ତ ଆସନକୁ ସମ୍ମାନ ଜଣାଇ ନବୀନ ଜଣେ ମହିଳାଙ୍କୁ ସାଂସଦ ପ୍ରାର୍ଥୀ କରିଛନ୍ତି ।ନଳକଣ୍ଟା ପଞ୍ଚାୟତର ଚେରମାଳିଆ ଗାଁର ଜଣେ ସାଧାରଣ ମହିଳା ପ୍ରମିଳା ବିଷୋୟୀ । ଦେଖିବାକୁ ସାଧାସିଧା ଆଉ ଖୁବ ନୀରିହ । ଚାହାଣି ଓ ଚାଲିଚଳନ ସାଧାରଣ ହୋଇଥିଲେ ହେଁ ପ୍ରମିଳାଙ୍କ କାମ ଖୁବ ଅସାଧାରଣ । ତେବେ ପ୍ରମିଳାଙ୍କୁ ସାଂସଦ ଟିକଟ ମିଳିବା ପୂର୍ବରୁ ସେ ୭୦ ଲକ୍ଷ ମହିଳାଙ୍କ ପ୍ରତିନିଧି ସାଜି ସାରିଛନ୍ତି । ସତସଙ୍ଗ ସ୍ବୟଂ ସହାୟକ ଗୋଷ୍ଠୀ ତିଆରି କରି ସେ ମହିଳାଙ୍କୁ ଆତ୍ମ ନିର୍ଭରଶୀଳ କରାଇ ପାରିଛନ୍ତି । ପ୍ରମିଳାଙ୍କ ଏହି ଉଦ୍ୟମ ପାଇଁ ସେ ଅନେକ ଥର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ପାଖରୁ ସମ୍ମାନିତ ମଧ୍ୟ ହୋଇଛନ୍ତି । ତେବେ ପ୍ରମିଳାଙ୍କ ସେବାକୁ ଆଜି ସମ୍ମାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମହିଳା ଶକ୍ତିକୁ ସମ୍ମାନ ଦେଇ ପ୍ରମିଳାଙ୍କୁ ସାଂସଦ ପ୍ରାର୍ଥୀ କରିଛନ୍ତି ନବୀନ ।ପ୍ରମିଳାଙ୍କୁ ଟିକଟ ମିଳିବା ପରେ ତାଙ୍କ ଗାଁ ଚେରମାଳିଆ ଗାଁରେ ଖୁସିର ଲହରୀ ଖେଳିଯାଇଛି । ପ୍ରମିଳାଙ୍କୁ ସମସ୍ତେ ସ୍ନେହରେ ପରି ମାଆ ଡାକୁ ଥିବାରୁ ଏବେ ସାରା ଗାଁରେ ପଲ୍ଲୀ ମାଆଟ୍ଟପଲ୍ଲୀ ମାଆର ନାରା ଶୁଭୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ