ସଡ଼କ ଦୁର୍ଘଟଣାରେ ଦୁଇ ଲୁଟେରା ଗୁରୁତର
ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : କଥାରେ ଅଛି ଚୋର ଘର ସବୁବେଳେ ଅନ୍ଧାର ନଥାଏ । ଦିନେନା ଦିନେ ଆଲୁଅ ଆସିବ ଓ ସତକଥା ଜଣାପଡ଼ିବ । ଆଇନ୍ କାନୁନ୍ ଓ ପୋଲିସକୁ ଚକ୍ମା ଦେଖାଇ ସବୁବେଳେ ଖସିଯାଉଥିବା ଲୁଟେରା ଭଗବାନଙ୍କ ଦରବାରରେ ଦିନେନା ଦିନେ ଦଣ୍ଡିତ ହୋଇଥାଏ । ଘଟଣା କ୍ରମରେ ଆଜି ଦିନ ପ୍ରାୟ ୧୨ ଟା ବେଳେ ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର କୁଶଗଡ଼ିଆ ଛକ ଠାରେ ଜଣେ ଯୁବତୀଙ୍କ ଠାରୁ ଦୁଇ ଜଣ ଲୁଟେରା ସୁନା ହାର ଲୁଟ ପାଇଁ ଉଦ୍ଦ୍ୟମ କରିଥିଲେ । ଯୁବତୀ ଜଣଙ୍କ ପାଟି କରିବାରୁ ସ୍ଥାନୀୟ ଲୋକେ ହୋ ହାଲ୍ଲାକରି ରାଜପଥ ଉପରକୁ ଆସିଥିବା ବେଳେ ଲୁଟେରା ଯୁବକ ଦ୍ୱୟ ଏକ ନମ୍ବର ବିହୀନ କଳା ପଲସରରେ ଭଦ୍ରକ ଆଡ଼କୁ ଦୃତ ଗତିରେ ପଳାଇ ଯାଇଥିଲେ । ଦୁର୍ଭାଗ୍ୟ ବଶତଃ ତହସିଲଛକ ନିକଟରେ ପଲସରଟି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ବେଳେ ଯୁବକ ଦ୍ୱୟ ରାସ୍ତା ଉପରକୁ ଛିଟିକି ପଡ଼ିଥିଲେ । ସୂଚନା ପାଇ ପୋଲିସ ଗାଡ଼ିକୁ ପିଛା କରିଥିବା ବେଳେ ଦୁର୍ଘଟଣା ସ୍ଥଳରୁ ଆହତ ଦ୍ୱୟଙ୍କୁ ଉଦ୍ଧାର କରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା । ପୋଲିସ ସୂଚନା ଅନୁଯାୟୀ ଲୁଟେରା ଦ୍ୱୟ ହେଲେ ସୋର ଅଂଚଳର ପ୍ରଫୁଲ୍ଲ ମଲ୍ଲିକ ଓ ଗଞ୍ଜାମ ବ୍ରହ୍ମପୁର ଅଂଚଳର ବିଶ୍ୱଜିତ୍ ବିଶ୍ୱାଳ । ସେମାନଙ୍କ ନିକଟରୁ ଦୁଇଗୋଟି ମୋବାଇଲ ଓ ଗୋଟିଏ ଛୁରୀ ସହିତ ଦୁର୍ଘଟଣା ଗ୍ରସ୍ତ ଗାଡ଼ିକୁ ପୋଲିସ ଜବତ୍ କରିଛି । ମେଡ଼ିକାଲରେ ଭଦ୍ରକ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ବେଳେ ଲୁଟେରା ଦ୍ୱୟଙ୍କ ବିଷୟରେ ତଥ୍ୟ ସଂଗ୍ରହ କରାଯାଉଥିବା ଜଣାପଡ଼ିଛି ।