ହକି ଆଷ୍ଟ୍ରାଟର୍ଫ ର ନିର୍ମାଣ କାର୍ଯ୍ୟ ବୁଲି ଦେଖିଵା ସହ ସମୀକ୍ଷା କଲେ ଛତ୍ରପୁର ବିଧାୟକ
ଛତ୍ରପୁର, (ଦେବଦତ୍ତ ମହାରଣା):କ୍ରୀଡାର ବିକାଶ ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ଗୁରୁତ୍ୱ ଦେଇ ଆସୁଥିବା ବେଳେ ଗଞ୍ଜାମ ଜିଲ୍ଲା ର ସଦର ମହକୁମା ଛତ୍ରପୁର ର ହକି ଖେଳାଳୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଯୁବ ପିଢୀଙ୍କୁ ଆକୃଷ୍ଠ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ହକି ଆଷ୍ଟ୍ରାଟର୍ଫ ନିମନ୍ତେ ଗତ ୨.୧୧.୨୦୨୦ ରେ ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମ ର ଉଦଘାଟନୀ ଉତ୍ସବରେ ଘୋଷଣା କରିଥିଲେ । ପରବର୍ତ୍ତୀ ସମୟରେ ଏଥି ନିମନ୍ତେ ଉପଯୁକ୍ତ ସ୍ଥାନ ନିରୂପଣ କରାଯାଇ ଏହି ହକି ଆଷ୍ଟ୍ରାଟର୍ଫ ନିର୍ମାଣ ନିମନ୍ତେ କାର୍ଯ୍ୟ ଚାଲୁ ରହିଛି । ଆଜି ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଅଂଚଳ ପରିଦର୍ଶନ କରି ଚାଲିଥିବା ନିର୍ମାଣ କାର୍ଯ୍ୟ ବୁଲି ଦେଖିବା ସହ ଏହାର ସମୀକ୍ଷା କରିଛନ୍ତି । ଏହି ହକି ଆଷ୍ଟ୍ରାଟର୍ଫ ନିର୍ମାଣ ହେଲେ ଅଂଚଳର କ୍ରୀଡାବିତ୍ ମାନେ ବହୁ ଉପକୃତ ହୋଇପାରିବେ । ଏହା ଫଳରେ ଅଂଚଳର ଯୁବ ପିଢୀ ମାନେ ହକି ଖେଳ ପ୍ରତି ଆଗ୍ରହ ପ୍ରକାଶ କରି ଜିଲ୍ଲା, ରାଜ୍ୟ ଓ ଜାତୀୟ ସ୍ତରରେ ଭାଗ ନେଇ ସହର ପାଇଁ ସୁନାମ ଅର୍ଜନ କରିପାରିବେ ବୋଲି ପରିଦର୍ଶନ ବେଳେ ଉପସ୍ଥିତ ଥିବା କ୍ରୀଡାବିତ୍ ଓ ହକି କୋଚ୍ ମାନେ କହିଛନ୍ତି । ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବା ନିମନ୍ତେ ବିଧାୟକଙ୍କ ଦାୟିତ୍ୱ ରେ ଥିବା ଏଜେନ୍ସିର କର୍ମଚାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି । ସୂଚନା ଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ର ଛତ୍ରପୁର ସହର ହେଉଛି ହକିର ଏନ୍ତୁଡିଶାଳ । ଏହି ସହରର ବହୁ କ୍ରୀଡାବିତ୍ ମାନେ ବିଭିନ୍ନ ସ୍ତରରେ ଭାଗ ନେଇ ପୂର୍ବରୁ ବହୁ ସୁନାମ ଅର୍ଜନ କରିଥିବା ବେଳେ ବର୍ତ୍ତମାନର ଯୁବପିଢୀ ମାନଙ୍କ ନିମନ୍ତେ ଉଚିତ୍ ହକି ଷ୍ଟାଡିୟମ ନଥିବାରୁ ଗତ ଜାନୁୟାରୀ ୨୦୨୦ ରେ ଛତ୍ରପୁର ହକି ସଂଘ, କ୍ରୀଡାବିତ୍ ଓ ଜନ ସାଧାରଣ ମାନଙ୍କ ପକ୍ଷରୁ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ନେତୃତ୍ୱ ରେ ୫ ଟି ସଚିବ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ତତ୍କାଳୀନ ଜିଲ୍ଲାପାଳଙ୍କୁ ଏକ ଅନୁରୋଧ ପତ୍ର ପ୍ରଦାନ କରାଯାଇଥିଲା । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଛତ୍ରପୁର ବାସୀଙ୍କୁ ଗତ ୦୨.୧୧.୨୦୨୦ ତାରିଖ ଦିନ ଇଣ୍ଡୋର ଷ୍ଟାଡିୟମ ଉଦଘାଟନ ଅବସରରେ ଛତ୍ରପୁର ଠାରେ ହକି ଖେଳାଳୀଙ୍କ ଉପେଯାଗୀ ନିମନ୍ତେ ଏକ ଆଧୁନିକ ଧରଣର ହକି ଆଷ୍ଟ୍ରାଟର୍ଫ ନିର୍ମାଣ କରିବା ନିମନ୍ତେ ଘୋଷଣା କରିଥିଲେ । ତାହା ପରବର୍ତ୍ତୀ ସମୟରେ ଛତ୍ରପୁର ତହସିଲ ଅନ୍ତର୍ଗତ ସୀତାରାମପୁର ମୌଜା ଖାତା ନମ୍ବର ୪୭୫, ପ୍ଲଟ ନଂ ୫୫ ର ୩ ଏକର ଅଂଚଳରେ ପ୍ରାୟ ୧୦ କୋଟିରୁ ଉଦ୍ଧ୍ୱ ଟଙ୍କା ବ୍ୟୟରେ ହକି ଆଷ୍ଟ୍ରାଟର୍ଫ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି । ଆଜି ଏହି ପରିଦର୍ଶନ ବେଳେ ବିଧାୟକଙ୍କ ସହ ଛତ୍ରପୁର ଏନଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଉପାଧ୍ୟକ୍ଷ ଜି. ପାପା ରାଓ, ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଉମାକାନ୍ତ ନାୟକ, ବିଜେଡି ନଗର ସଭାପତି ବି, ରାଜିବାବୁ, ଉପସଭାପତି ଅଟଳ ବିହାରୀ ପଟ୍ଟନାୟକ, ୨୦ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ଏମ୍. ଧନଞ୍ଜୟ ରେଡ୍ଡୀ, ପୂର୍ବତନ କାଉନସିଲର କିଶୋର ଚନ୍ଦ୍ର ସେନାପତି, ପୂର୍ବତନ ଏନଏସି ଉପାଧ୍ୟକ୍ଷ ପ୍ରଦୋଶ କୁମାର ବେହେରା, କାଉନସିଲର ଦେବାଶିଷ ମିଶ୍ର, ପ୍ରିତିଛନ୍ଦା ସାମଲ, କେ. ରମେଶ, ସନ୍ତୋଷୀ ସେଠୀ, ଡି. ଇନ୍ଦୁ, ୱାଣୀ ସେନାପତି, ସୁମନ୍ତ ନାହାକଙ୍କ ସମେତ ବହୁ କାଉନସିଲର ଓ ହକି ଖେଳାଳୀ ମାନେ ଉପସ୍ଥିତ ଥିଲେ । ପରେ ବିଧାୟକ ଶ୍ରୀ ବେହେରା ସ୍ଥାନୀୟ ଶାନ୍ତି ନଗର ସ୍ଥିତ ଆଇଟିଆଇ ନିକଟସ୍ଥ ଛତ୍ରପୁର ମହିଳା ମହା ବିଦ୍ୟାଳୟର ନୂତନ ନିଜସ୍ୱ କୋଠା ନିର୍ମାଣ କାର୍ଯ୍ୟ ବୁଲି ଦେଖିବା ସହ ଏହାର ସମୀକ୍ଷା କରିଛନ୍ତି । ଏହା ସହିତ ନିର୍ମାଣକାର୍ଯ୍ୟ ଚାଲିଥିବା ସ୍ମାର୍ଟ ପାର୍କ କୁ ମଧ୍ୟ ପରିଦର୍ଶନ କରି କିପରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସୌନ୍ଦର୍ଯ୍ୟ ଭାବେ ହୋଇପାରିବ ସେଥି ନିମନ୍ତେ ବିଧାୟକ ଶ୍ରୀ ବେହେରା ପରାମର୍ଶ ଦେଇଛନ୍ତି । ସୂଚନା ଯୋଗ୍ୟ ଯେ, ମହିଳା ମହାବିଦ୍ୟାଳୟର ନିଜସ୍ୱ କୋଠା ନିମନ୍ତେ ବିଧାୟକ ଶ୍ରୀ ବେହେରା ୫ ଟି ସଚିବଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ କିଛି ଆର୍ଥିକ ସହାୟତା ପ୍ରଦାନ କରିବା ନିମନ୍ତେ ଅନୁରୋଧ କରିଥିଲେ । ଏହି କ୍ରମେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଅନୁଦାନ ପାଣ୍ଠିରୁ ମହିଳା ମହା ବିଦ୍ୟାଳୟର ନିଜସ୍ୱ କୋଠା ନିମନ୍ତେ ୬୦ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ । ଏହାର ମଞ୍ଜୁରୀ ପରେ ମହାବିଦ୍ୟାଳୟ ପକ୍ଷରୁ ବିଧାୟକଙ୍କ ଉପସ୍ଥିତିରେ ସେତେବେଳେ ମୁଖ୍ୟମନ୍ତ୍ରୀ ଓ ୫ ଟି ସଚିବଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଥିଲା ।