ହତ୍ୟା ଉଦ୍ୟମ ମାମଲାରେ ୭ ବର୍ଷ ଜେଲ୍ଦଣ୍ଡାଦେଶ
ଛତ୍ରପୁର, (ଦେବଦତ୍ତ ମହାରଣା): ଛତ୍ରପୁର ସହକାରୀ ଦୌରାଜର୍ଜଙ୍କ କୋର୍ଟରେ ଆଜି ୨୦୧୬ ମସିହାର ଏକ ହତ୍ୟା ଉଦ୍ୟମ ମାମଲାର ବିଚରାଣା ହୋଇଛି । ବିଚାରପତି ମାନସ ରଞ୍ଜନ ରାୟ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭତ୍ତି କରି ଅଭିଯୁକ୍ତ ଦାଶରଥୀ ପାଣିଗ୍ରାହୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ୯ଜଣ ସାକ୍ଷ୍ୟକୁ ଆଧାର କରି ୩୦୭ ଦଫା ଅନୁଯାୟୀ ଦୋଷୀ ଦାଶରଥୀଙ୍କୁ ୭ ବର୍ଷ ଜେଲ୍ ଦଣ୍ଡାଦେଶ ସହ ୫ ହଜାର ଟଙ୍କା ଜରିମାନା ଏବଂ ୩୨୩ ଦଫା ଅନୁଯାୟୀ ୬ମାସ ଜେଲ ଦଣ୍ଡାଦେଶ ଦେଇଛନ୍ତି । ଜୋରିମାନା ଅନାଦେୟରେ ଅଧିକା ୧ ବର୍ଷ ଜେଲ୍ଦଣ୍ଡ ଭୋଗିବା ଲାଗି ବିଚାରପତି ରାୟରେ ପ୍ରକାଶ କରିଛନ୍ତି । ସରକାରଙ୍କ ପକ୍ଷରୁ ଓକିଲ ପ୍ରଦୀପ କୁମାର ପାତ୍ର ମକଦ୍ଦମା ପରିଚାଳନା କରିଥିଲେ । ୨୦୧୬ ମସିହା ଜୁଲାଇ ୭ ତାରିଖରେ ଯାମୁନି ଗ୍ରାମର ମୃତ୍ୟୁଞ୍ଜୟ ପାଣିଗ୍ରାହୀ ଓ ତାଙ୍କରି ପୁତ୍ର ଗୋପାଳ କୃଷ୍ଣ ସକାଳ ୭ ଟା ୩୦ ସମୟରେ ନଦୀ ଗଳି ରାସ୍ତା ଦେଇ ବିଲକୁ ଯାଉଥିଲେ । ସେହି ସମୟରେ ସେହି ଗ୍ରାମର ଦାଶରଥୀ ପାଣିଗ୍ରାହୀ କାତିରେ ମୃତ୍ୟୁଞ୍ଜୟଙ୍କୁ ଜୀବନରେ ମାରିଦେବା ଲାଗି ଆକ୍ରମଣ କରିଥିଲା । ଏନେଇ ଗୋପାଳକୃଷ୍ଣଙ୍କ ଅଭିଯୋଗ କ୍ରମେ ପୁରୁଷୋତ୍ତମପୁର ଥାନାରେ ୧୧୨/୨୦୧୬ରେ ଏକ ମାମଲା ରୁଜୁ ହୋଇଥିଲା ବୋଲି ସରକାରୀ ଓକିଲ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି ।