ହରିତ୍ କ୍ରାନ୍ତି ର ଚିନ୍ତାନାୟକ

ଭାରତ ରେ ବହୁତ କ୍ରାନ୍ତି ହେଇଛି, ଇତିହାସ ପୃଷ୍ଠା କୁ ଅବଲୋକନ କଲେ ଆମେ ଜାଣିପାରିବା। ଆମ ସ୍ବାଧନତା ପାଇଁ ସଶସ୍ତ୍ର କ୍ରାନ୍ତି ହେଉ କି ଅହିଂସକ କ୍ରାନ୍ତି, କି ଜୟ ପ୍ରକାଶ ନାରାୟଣ ଙ୍କ ସମ୍ପୂର୍ଣ କ୍ରାନ୍ତି କିମ୍ବା ଆନ୍ନା ହଜାରେ ଙ୍କ ଜନ ଲୋକପାଳ କ୍ରାନ୍ତି… ଏମିତି ଅନେକ କ୍ରାନ୍ତି। ଏହି ଭିତରେ ଆମେ ବହୁ ବୈଜ୍ଞାନିକ କ୍ରାନ୍ତିର ବି ସାକ୍ଷୀ ହୋଇଆସୁଛେ। ସେହି ଭିତରୁ ହରିତ୍ କ୍ରାନ୍ତି ବା ସବୁଜ କ୍ରାନ୍ତି ଏକ ବିଶେଷ ଗୁରୁତ୍ବ ବହନ କରେ। ସେହି କ୍ରାନ୍ତି ର ଜନକ ଙ୍କୁ ଆମେ ହରେଇଲେ। ତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ପୂର୍ବକ ମୁଁ ଏହି ଆଲେଖ୍ୟ ମାଧ୍ୟମରେ ତାଙ୍କ ଶୃତିଚାରଣ କରିବାକୁ ମନସ୍ଥ କଲି।
ଡ଼ଃ ମୋଙ୍କୋମ୍ବୁ ଶାମ୍ବଶିବନ ସ୍ବାମୀନାଥନ୍, ଯିଏ ଏମ୍. ଏସ୍. ସ୍ବାମୀନାଥନ୍ ନାମରେ ଭାରତ ସମେତ ବୈଶ୍ୱିକ କୃଷି ତଥା ବିଜ୍ଞାନ ଜଗତରେ ବେଶ୍ ଜଣାଶୁଣା ନାମଟିଏ । ତାଙ୍କର ଅଗ୍ରଗାମୀ ଅବଦାନ କେବଳ ଭାରତର କୃଷି ଦୃଶ୍ୟପଟ୍ଟକୁ ପରିବର୍ତ୍ତନ କରିନାହିଁ ବରଂ ବିଶ୍ଵ ର ଖାଦ୍ୟ ନିରାପତ୍ତା ଉପରେ ଏକ ଅମଳିନ ଛାଡିଛି। ବିଶ୍ବରେ ସବୁଜ ବିପ୍ଲବ ର ଜନକ ନୋର୍ମନ ବୋର୍ଲୋଗ୍ ଙ୍କ ପଦାଙ୍କ ଅନୁସରଣ କରି ସ୍ବାମୀନାଥନ୍ “ଭାରତରେ ସବୁଜ ବିପ୍ଳବର ପିତା” ଭାବରେ ମାନ୍ୟତା ପାଇଛନ୍ତି ଏବଂ କୃଷି ବିଜ୍ଞାନ ଏବଂ ନୀତି ଜଗତରେ ଜଣେ ସମ୍ମାନିତ ବ୍ୟକ୍ତି ଅଟନ୍ତି।ଅଗଷ୍ଟ ୭, ୧୯୨୫ ମସିହାରେ ତାମିଲନାଡୁର କୁମ୍ବାକୋନମରେ ଜନ୍ମଗ୍ରହଣ କରିଥିବା ଡକ୍ଟର ସ୍ବାମୀନାଥନଙ୍କ କୃଷି ବିଜ୍ଞାନ ଜଗତକୁ ଯାତ୍ରା ସ୍ଥିର ହୋଇଥିଲା। ସେ କୃଷି କ୍ଷେତ୍ରରେ ମାଡ୍ରାସ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ଓ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରୁ ଡକଟରେଟ୍ ଡ଼ିଗ୍ରୀ ହାସଲ କରିଥିଲେ। ତାଙ୍କର ଅନୁସନ୍ଧାନ ମୂଳତଃ ଉଦ୍ଭିଦ ଆନୁବଂଶିକି/ଜେନେଟିକ୍ସ ଏବଂ ପ୍ରଜନନ ବିଜ୍ଞାନ ଉପରେ ପର୍ଯ୍ୟବେଶିତ ଥିଲା।
ସବୁଜ ବିପ୍ଳବ ତଥା ହରିତ୍ କ୍ରାନ୍ତି ଶବ୍ଦ ତଥା ବିଚାର ସ୍ବାମୀନାଥନଙ୍କ ମାନସ ସନ୍ତାନ କହିଲେ କିଛି ଅତିଶୟୋକ୍ତି ହେବନାହିଁ। ୧୯୬୦ ଏବଂ ୧୯୭୦ ଦଶକର ଭାରତରେ କୃଷିକ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନର ଆବଶ୍ୟକତା ଅବସମ୍ଭାବି ହୋଇପଡ଼ିଲା। ଏକ ସମୟରେ ଯେତେବେଳେ ଭାରତ ଖାଦ୍ୟ ଅଭାବର ସମ୍ମୁଖୀନ ହେଲା, ଉଚ୍ଚ ଅମଳକ୍ଷମ ଗହମ ଏବଂ ଚାଉଳ କିସମର ବିକାଶରେ ତାଙ୍କର ଅଭିନବ ଅନୁସନ୍ଧାନ ଫସଲ ଉତ୍ପାଦନରେ ଏକ ଆମୂଳଚୁଳ ପରିବର୍ତ୍ତନ ଆଣିଲା | ଉନ୍ନତ ପ୍ରଣାଳୀ କୃଷି ଅଭ୍ୟାସ ସହିତ ନୂତନ କିସମର ବୀଜ ବ୍ୟବହାର ଫସଲ ଅମଳକୁ ଯଥେଷ୍ଟ ବୃଦ୍ଧି କଲା ଏବଂ ଭାରତକୁ ଖାଦ୍ୟ ଉତ୍ପାଦନ ଆୟମ ରେ ଆତ୍ମନିର୍ଭରଶୀଳ କରିବାରେ ସାହାଯ୍ୟ କଲା | ଏହା କେବଳ ଦୁର୍ଭିକ୍ଷର ଆଶଙ୍କାକୁ ଏଡ଼ାଇ ଦେଇନାହିଁ ବରଂ ସ୍ଵାଧୀନତୋତ୍ତର ଭାରତର କୃଷିଭିତ୍ତିକ ଅର୍ଥନୀତି ଅଭିବୃଦ୍ଧିର ମୂଳଦୁଆ ପକାଇଲା।ସବୁଜ ବିପ୍ଳବରେ ସଫଳତା ପରେ ଆହୁରି ଅନେକ କାର୍ଯ୍ୟ ଯେପରିକି କୃଷକ ଙ୍କ ମାନସିକତା ରେ ପରିବର୍ତ୍ତନ, ସରକାରୀ ନୀତିଗତ ପରିବର୍ତ୍ତନ, ଢାଞ୍ଚାଗତ ବିକାଶ ଏବଂ ବିଶ୍ୱସନୀୟତା ପାଇଁ ବହୁତ ଭବିଷ୍ୟତ କାର୍ଯ୍ୟପନ୍ଥା ସମୟାନୁକ୍ରମେ ପ୍ରଣୟନ କରାଗଲା।ପାରମ୍ପାରିକ କୃଷି ପଦ୍ଧତିରେ ବୁଡି ରହିଥିବା ଭାରତୀୟ କୃଷକମାନଙ୍କୁ ନୂତନ କିସମର ଗହମ ବ୍ୟବହାର ପାଇଁ ଉତ୍ସାହିତ କରାଗଲା| ୧୯୬୬ ମସିହାରେ ସ୍ବାମୀନାଥନ ନିଜେ ନୂଆଦିଲ୍ଲୀ ଉପକଣ୍ଠରେ ଥିବା ଗ୍ରାମଗୁଡିକରେ ୨୦୦୦ ମଡେଲ୍ ଫାର୍ମ ସ୍ଥାପନ କରି କୃଷକମାନଙ୍କୁ ନୂତନ କିସମ ବିହନ ର ଗୁଣବତ୍ତା ବିଷୟରେ ପରୀକ୍ଷାମୂଳକଭାବରେ ଦର୍ଶାଇଲେ। ଧିରେ ଧିରେ କୃଷକ ସମାଜରେ ଏକ ନୂତନ ଆଶା ସଞ୍ଚାରିତ ହେଲା , ଏମତିକି ବିହନ ର ଚାହିଦା ବଢ଼ିବାରେ ଲାଗିଲା ଯାହା ଫଳରେ ଏହି ଦାରୁଣ ସମୟରେ ସୁଦୂର ମେକ୍ସିକୋ ରୁ 18,000 ଟନ୍ ବିହନ ଆମଦାନୀ ପାଇଁ ସରକାରୀ ସହଯୋଗର ଆବଶ୍ୟକତା ଉପନୀତ ହେଲା। ତତ୍କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀ ଲାଲ ବାହାଦୂର ଶାସ୍ତ୍ରୀ (୧୯୦୪-୧୯୬୬) ଏବଂ ପରବର୍ତ୍ତୀ ସମୟରେ ଶ୍ରୀମତୀ ଇନ୍ଦିରା ଗାନ୍ଧୀ (୧୯୧୭-୧୯୮୪) ତାଙ୍କୁ ଖୋଲାଖୋଲି ଭାବରେ ଭାରତ ର ଏକ ନୂତନ କୃଷି କାର୍ଯ୍ୟକ୍ରମ ତଥା ନୀତିଗତ ପରିବର୍ତ୍ତନ ପାଇଁ ଯାହା କାର୍ଯ୍ୟସାପେକ୍ଷ ତାହା କରିବା ପାଇଁ ସରକାର ବଦ୍ଧପରିକର ବୋଲି ଆଶ୍ବସ୍ତ କଲେ। ଯାହାଫଳରେ ୬୦ ଦଶକ ରେ ଭାରତ କେବଳ ୧୨ ନିୟୁତ ଟନ୍ ଗହମ ଉତ୍ପାଦନ କରୁଥିବା ବେଳେ, ସଦ୍ୟ ପ୍ରକାଶିତ ତଥ୍ୟ ଅନୁଯାୟୀ ଅଧୁନା ଭାରତ ୧୧୨ ନିୟୁତ ଟନ୍ ଗହମ ଉତ୍ପାଦନ କରୁଛି। ଏହା ଭାରତୀୟ କୃଷକ ସମାଜର ଆତ୍ମନିର୍ଭର ଭାରତ ନିର୍ମାଣ ପାଇଁ ଥିବା ପ୍ରତିବଦ୍ଧତା କୁ ପ୍ରଦର୍ଶିତ କରୁଛି। ଡକ୍ଟର ସ୍ବାମୀନାଥନଙ୍କ ପାଇଁ ପରିବେଶ ସୁରକ୍ଷା ସର୍ବଦା ଏକ ପ୍ରମୁଖ ଚିନ୍ତାର ବିଷୟ ଥିଲା | ପ୍ରାକୃତିକ ସମ୍ପଦର ସଂରକ୍ଷଣ ସହିତ ବର୍ଦ୍ଧିତ ଖାଦ୍ୟ ଉତ୍ପାଦନକୁ ସନ୍ତୁଳିତ କରିବାର ଆବଶ୍ୟକତା ଉପରେ ସେ ନିରନ୍ତର କୃଷି ପାଇଁ ଦୃଢ଼ ଭାବେ ନିଜ ମତ ପ୍ରତିପାଦନ କରିଆସୁଥିଲେ। ତାଙ୍କର “ଏଭରଗ୍ରୀନ୍ ବିପ୍ଳବ” ର ଧାରଣା ପରିବେଶ ଅନୁକୂଳ ଚାଷ ପ୍ରଣାଳୀ ଏବଂ ଜୈବ ବିବିଧତା ସଂରକ୍ଷଣକୁ ପ୍ରୋତ୍ସାହିତ କରେ | ଭାରତ ବାହାରେ ଡକ୍ଟର ସ୍ବାମୀନାଥନ ଆନ୍ତର୍ଜାତୀୟ କୃଷି ବିକାଶରେ ମଧ୍ୟ ସକ୍ରିୟ ଭାବରେ ଜଡିତ ଥିଲେ। ସେ ମିଳିତ ଜାତିସଂଘ ଏବଂ ଖାଦ୍ୟ ଏବଂ କୃଷି ସଂଗଠନ (FAO) ସମେତ ବହୁ ଆନ୍ତର୍ଜାତୀୟ ସଂଗଠନର ପରାମର୍ଶଦାତା ଭାବରେ କାର୍ଯ୍ୟ କରିଆସୁଥିଲେ ଏବଂ ଖାଦ୍ୟ ନିରାପତ୍ତାର ଆବଶ୍ୟକତାକୁ ବୈଶ୍ୱିକ ସ୍ଥରରେ ପ୍ରୋତ୍ସାହିତ କରୁଥିଲେ। ତାଙ୍କ ଉଲ୍ଲେଖନୀୟ ଅବଦାନ ମଧ୍ୟରୁ କୃଷି କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ଉପରେ ତାଙ୍କ ଗୁରୁତ୍ୱ ବାସ୍ତବରେ ସ୍ବାଗତଯୋଗ୍ୟ । ସେ କୃଷି କ୍ଷେତ୍ରରେ ମହିଳାମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକୃତି ଦେଇଆସୁଥିଲେ ଏବଂ କୃଷି କାର୍ଯ୍ୟକଳାପର ସମସ୍ତ ଦିଗରେ ସେମାନଙ୍କୁ ଅନ୍ତର୍ଭୁକ୍ତ କରିବାର ପକ୍ଷଧର ଥିଲେ। ଏହା କେବଳ ଗ୍ରାମୀଣ ମହିଳାଙ୍କୁ ସଶକ୍ତ କରିନାହିଁ ବରଂ ସେମାନଙ୍କର ସମ୍ବଳ ତଥା ଆୟ ଉପାର୍ଜନ ସୁଯୋଗ ବୃଦ୍ଧି କରିବା ସହ କ୍ଷୁଦ୍ର କୃଷିଭିତ୍ତିକ କୁଟୀର ଶିଳ୍ପ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ରେ ମହିଳା ଙ୍କ ଯୋଗଦାନ ବୃଦ୍ଧି ହୋଇପାରିଛି। ଯାହାଫଳରେ ଏହାର ସିଧାସଳଖ ପ୍ରଭାବ ଦାରିଦ୍ର୍ୟ ହ୍ରାସ ଏବଂ ସ୍ବରୋଜଗାର ସୃଷ୍ଟି ଦିଗରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇପାରିଛି।ପରିଶେଷରେ, ଭାରତୀୟ କୃଷିରେ ଡକ୍ଟର ସ୍ବାମୀନାଥନଙ୍କ ଅବଦାନ ଗରିବ ଏବଂ କୃଷକର ଜୀବନରେ ପୂର୍ବଅପେକ୍ଷା ପ୍ରଗତି ଆଣିପାରିଛି। ତାଙ୍କର ଉଦ୍ଭାବନ, କୃଷକ ଶିକ୍ଷା ପ୍ରତି ତାଙ୍କର ପ୍ରତିବଦ୍ଧତା, ମହିଳାଙ୍କ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ଏବଂ ଧାରଣୀୟ କୃଷି ଅଭ୍ୟାସ ପାଇଁ ତାଙ୍କର ଓକିଲାତି ଖାଦ୍ୟ ସୁରକ୍ଷାକୁ ଉନ୍ନତ କରିଛି, ଦାରିଦ୍ର୍ୟ ହ୍ରାସ କରିଛି ଏବଂ ଅଗଣିତ ବ୍ୟକ୍ତିଙ୍କ ଜୀବିକା ବୃଦ୍ଧି କରିଛି। ତାଙ୍କ ବିଚାରରେ ଅନ୍ତ୍ୟୋଦୟ ର ଝଲକ ଦେଖିବାକୁ ମିଳେ, ସମାଜ ର ଶେଷ ଧାଡ଼ିରେ ଠିଆ ହୋଇଥିବା ଗରିବ ଅନ୍ନଦାତାର ମଙ୍ଗଳ କାମନା ତାଙ୍କ ବୈଜ୍ଞାନିକ ଜୟ ଯାତ୍ରା ରେ ପ୍ରତିଭାଷିତ ହୁଏ। ଜୟ ଯବାନ୍, ଜୟ କିଶାନ୍, ଜୟ ବିଜ୍ଞାନ୍, ଜୟ ଅନୁସନ୍ଧାନ୍
ଆଶିଷ କୁମାର ସ୍ବାଇଁ
କବିସୂର୍ଯ୍ୟନଗର, ଗଞ୍ଜାମ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ