ହରିବୋଲ, ଶ୍ରୀଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ଅର୍ପଣ ରଥ ପାରଳାଖେମୁଣ୍ଡି ଓ କାଶୀନଗରରେ ପରିକ୍ରମା
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହରରେ ଆଜି ଶ୍ରୀଜଗନ୍ନାଥଙ୍କ ଅର୍ପଣ ରଥ ପୌର ପରିଷଦର 14,15 ୱାର୍ଡରେ ପରିକ୍ରମା କରିଛି. ଶଙ୍ଖ ହୁଳହୁଳି, ହରିବୋଲ ଓ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇ ସହରରେ ଏକ ପବିତ୍ର ଓ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି. ପାରଳାଖେମୁଣ୍ଡି ପୌର ପରିଷଦର ଅଧକ୍ଷା ନିର୍ମଳା ସେଠିଙ୍କ ନେତୃତ୍ୱରେ ଶ୍ରୀଜଗନ୍ନାଥଙ୍କ ଭକ୍ତମାନଙ୍କ ଏକ ବିରାଟ ଶୋଭାଯାତ୍ରାରେ ଏହି ରଥ 14,15 ୱାର୍ଡରେ ପରିକ୍ରମା କରିଥିଲା. ପ୍ରତେକ ସାହିରେ ପୂର୍ଣ୍ଣ କୁମ୍ଭ ସହ ପ୍ରଦୀପ ପ୍ରଜ୍ବଳନ କରାଯାଇ ରଥକୁ ସ୍ୱାଗତ କରାଯିବା ସହ ଗୁଆ ଓ ଚାଉଳ ପ୍ରଦାନ କରାଯାଇଥିଲା. ସେହିପରି ଗଜପତି ଜିଲ୍ଲାର କାଶୀନଗର ଠାରେ ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଉଦ୍ଘାଟନ ଉତ୍ସବ କାର୍ଯ୍ୟକ୍ରମ ନିମନ୍ତେ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରାଯାଇ ଅର୍ପଣ ରଥ କାଶୀନଗର ଏନଏସି ଅଞ୍ଚଳ ପରିକ୍ରମା କରିଥିଲା. ଏହି ଉତ୍ସବରେ କାଶୀନଗର ଏନଏସି ଅଧ୍ୟକ୍ଷା ଏମ ସୁଦ୍ଧା ରାଣୀ, ଉପାଧକ୍ଷ ରଘୁରାମ ସାହୁ, ତେରଟି ୱାର୍ଡର କାଉନସିଲର, କାର୍ଯ୍ୟନିର୍ବାହୀ ଅଧିକାରୀ ଭାଗବତ ସାହୁ, ସ୍ଥାନୀୟ ତହସିଲଦାର ଅଶୋକ କୁମାର ପ୍ରଧାନ ଉପସ୍ଥିତ ଥିବାବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ, ଯୁବ ନେତା ଇଂ ରୁପେଶ ପାଣିଗ୍ରାହୀ, କାଶୀନଗର ବ୍ଲକ ସଭାପତି ଅଖିଳ ପାତ୍ର ଓ ବିଜେଡି ଦଳର ଗଜପତି ଜିଲ୍ଲା ପ୍ରଭାରୀ ଶଶୀଭୁଷଣ ମହାନ୍ତି ଯୋଗ ଦେଇ ଥିଲେ. ଆଜି କାଶୀନଗର ସହର ସଂକୀର୍ତନ, ସଂଖଧ୍ଵନି, ହୁଳହୁଳି ଓ ଜୟ ଜଗନ୍ନାଥ ନାରା ରେ ପରିବେଶ ପ୍ରକମ୍ପିତ ହେଉଥିବା ଦୃଶ୍ୟମାନ ହେଉଥିଲା ଏହି ପରିକ୍ରମା ରଥ ଦୁଇ ଦିନ ଧରି କାଶୀନଗର ଏନଏସି ମଧ୍ୟରେ ଥିବା ତେରଟି ୱାର୍ଡର ପ୍ରତ୍ୟେକ ଘର ବୁଲି ଅକ୍ଷତ ସଂଗ୍ରହ କରିବ ବୋଲି କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ସାହୁ ବକ୍ତବ୍ୟ ରଖିଥିଲେ.


