ହଳଦିଆପଦର ବସଷ୍ଟାଣ୍ଟ ଅକ୍ଟୋବର ୨ ରୁ କାର୍ଯ୍ୟକ୍ଷମ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ବହୁ ପ୍ରତୀକ୍ଷିତ ହଳଦିଆପଦର ବ୍ରହ୍ମପୁର ବସଷ୍ଟାଣ୍ଟ ଅକ୍ଟୋବର ୨ ତାରିଖରୁ ବିଧିବଦ୍ଧ ଭାବେ କାର୍ଯ୍ୟକ୍ଷମ ହେବବୋଲି ବୁଧବାର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ;ଦଇଛନ୍ତି । ଏହି ବସଷ୍ଟାଣ୍ଟକୁ କେବେଳ ଓଡିଶା ରାଜ୍ୟ ଏବଂ ବାହାର ରାଜ୍ୟର ଓଏସ୍ଆରଟିସି ବସ୍ ଗୁଡିକ ଆସିବ । ବସ୍ ଗୁଡିକ ଯେଉଁ ରୁଟ୍ରେ ଗଲେ ମଧ୍ୟ ହଳଦିଆପଦର ବସଷ୍ଟାଣ୍ଟକୁ ସ୍ପର୍ଶ କରିବାକୁ ବାଧ୍ୟ । ବର୍ତ୍ତମାନ ସ୍ଥିତିରେ କୌଣସି ଘରୋଇ ବସ୍କୁ ଏହି ବସଷ୍ଟାଣ୍ଟକୁ ଆସିବାକୁ ବାଧ୍ୟବାଧ୍ୟତା ନାହିଁ । ଘରୋଇ ବସ୍ ଗୁଡିକ ଯେଉଁ ରୁଟ୍ରେ ଯାତାୟତ ରହିଛି ସେହି ରୁଟ୍ରେ ହିଁ ଚଳପ୍ରଚଳ ହେବ ବୋଲି ଜିଲ୍ଲାପାଳ କହିଛନ୍ତି । କିନ୍ତୁ ଟ୍ରାଫିକ୍ ସମସ୍ୟାକୁ ଦୃଷ୍ଟିରେ ରଖି ଘରୋଇ ବସ୍ ଗୁଡିକ ବସ୍ ଷ୍ଟପେଜ୍ ଗୁଡିକୁ ସୀମିତ କରାଯାଇଛି । ପୂର୍ବରୁ ବ୍ରହ୍ମପୁର ସହରର ମଧ୍ୟରେ ଯେଉଁ ଠାରେ ନାହିଁ ସେଠାରେ ବସ୍ ଷ୍ଟପେଜ୍ କରାଯାଉଥିଲା । ତାହା ବର୍ତ୍ତମାନ ବ୍ରହ୍ମପୁର ସହରର ୪ ଟି ସ୍ଥାନକୁ ବସ୍ ଷ୍ଟପେଜ୍ ପାଇଁ ସ୍ଥିର କରାଯାଇଛି । ୧-ହରଡାଖଣ୍ଡି ଛକ ତଥା ଧୋବାବନ୍ଧ ଛକ, ୨-କୋର୍ପରେସନ୍ ରୋଡ୍, ୩-ଇଞ୍ଜିନିୟରିଂ ସ୍କୁଲ ଛକ ଏବଂ ୪-ଏମ୍କେସିଜି ମେଡିକାଲ ଛକ ଗୁଡିକରେ ବସ୍ ରହଣୀ ବ୍ୟତିତ ଅନ୍ୟ କୌଣସି ସ୍ଥାନରେ ବସ୍ ଗୁଡିକ ଷ୍ଟପେଜ୍ ହେବ ନାହିଁ । ଯଦି ଏହାକୁ ଅବମାନନା କରାଯାଏ ତେବେ ସଂପୃକ୍ତ ବସ୍କୁ ଜରିମାନା ଦେବାକୁ ପଡିବ । ବ୍ରହ୍ମପୁର ସହରରେ ଏବେ ୨୩ ସ୍ଥାନରେ ୧୦୦ ଗୋଟି କ୍ୟାମେରା ଲାଗିଛି । ସେଥିରେ ହିଁ ବସ୍ ଗୁଡିକର ଗତିବିଧିକୁ ତଦାରଖ କରି ସିଧାସଳଖ ବସ୍ ମାଲିକଙ୍କ ନିକଟକୁ ପରିବହନ ବିଭାଗ ପକ୍ଷରୁ ଏକ ଜରିମାନା ପତ୍ର ପହଞ୍ଚିବ । ପୂର୍ବରୁ ସହରର ୫ ଟି ସ୍ଥାନରେ ଅତ୍ୟାଧୁନିକ ଧରଣ ସିସିଟିଭି ଲାଗିଛି । ସେଥିରେ ଯାନବାହନ ଚଳାଚଳ ବେଳେ ନାଲିରଙ୍ଗ ଲାଇଟ୍, ନମ୍ବର ପ୍ଲେଟ୍, ଦ୍ରୁତ୍ ଗତି ଚାଳନା ଆଦି ଉପରେ ତଦାରଖ କରୁଛି । ଏଥିରେ ଗଞ୍ଜାମ ଘରୋଇ ବସ୍ ମାଲିକ ସଂଘର ସଂପାଦକ ସନ୍ତୋଷ କୁମାର ପତି ହସ୍ତକ୍ଷେପ କରି ସିଟିହସ୍ପିଟାଲ ଛକ ଏବଂ ଗେଟ୍ ବଜାର ଛକରେ ଅତ୍ୟନ୍ତ ବସ୍ ଗୁଡିକ ଷ୍ଟପେଜ୍ ବ୍ୟବସ୍ଥା କରିବା ପାଇଁ ଅନୁରୋଧ କରିଥିଲେ । ଜିଲ୍ଲାପାଳ ଏଥିରେ ରାଜି ହୋଇନଥିବା ସ୍ଥଳେ ଏହି ନିମୟମକୁ ୧୫ ଦିନ କାର୍ଯ୍ୟକାରୀ କରିବା ପରେ ଲୋକଙ୍କ ଯଦି ସଂପୂର୍ଣ୍ଣ ଅସୁବିଧା ହେଉଛି ତେବେ ଏହାକୁ ବିଚାର କରାଯିବ ବୋଲି କହିଥିଲେ । ଶ୍ରୀ ପତି ଆହୁରୀ ଏକ ଅଭିଯୋଗ କରିଥିଲେ ଯେ, କେବଳ ଘରୋଇ ବସ୍ ପାଇଁ ଏହି ନିୟମ ନା’ ସିଟିବସ୍ ପାଇଁ ମଧ୍ୟ ଏହି ନିୟମ ଲାଗୁ ଅଛି । ସିଟିବସ୍ ଗୁଡିକରେ ଜିପିଏସ୍ ବ୍ୟବସ୍ଥା କରାଯାଇଛି । ସେମାନଙ୍କ ପରମିଟ୍ ଅନୁସାରେ ଷ୍ଟପେଜ୍ କରିବେ ସେଥିରେ ଯଦି ସେମାନେ ଅବମାନନା କରନ୍ତି ତେବେ ସେମାନଙ୍କୁ ମଧ୍ୟ ଜରିମାନା ଭରିବାକୁ ପଡିବ ବୋଲି ଜିଲ୍ଲାପାଳ କହିଥିଲେ । ଏଥିସହ ହଳଦିଆପଦର ଏବଂ ଛତ୍ରପୁର ଠାରେ ଦୁଇଗୋଟି ଅଣ୍ଡର ପାସ୍ର ବ୍ୟବସ୍ଥା କରାଯିବ । ସଡକ ନିରାପତ୍ତା ଆଇନକୁ ମାନିବାକୁ ହେବ । ଚଳିତ ବର୍ଷ ଜାନୁୟାରୀ ମାସରେ ଦୁର୍ଘଟଣାରେ ୮୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗଲାମାସରେ ଏହାକୁ କଡାକଡି ପାଳନ କରାଯିବାରୁ କେବଳ ୨୦ ଜଣଙ୍କ ମୃତ୍ୟୁ ହୋଇଛି । ଏଣୁ ଲୋକଙ୍କ ଧନଜୀବନ ସୁରକ୍ଷା ପାଇଁ ଜନସାଧାରଣ ଜିଲ୍ଲା ପ୍ରଶାସନକୁ ସଂପୂର୍ଣ୍ଣ ଭାବେ ସହଯୋଗ କଲେ ଜିଲ୍ଲାରେ ଦୁର୍ଘଟଣା ସାଙ୍ଗକୁ ମୃତ୍ୟୁହାର ସଂଖ୍ୟା ମଧ୍ୟ ହ୍ରାସ ପାଇବ ବୋଲି ଜିଲ୍ଲାପାଳ କହିଛନ୍ତି । ତୁରନ୍ତ ଛତ୍ରପୁର ନୂତନ ବସଷ୍ଟାଣ୍ଟ ମଧ୍ୟ କାର୍ଯ୍ୟକ୍ଷମ । ଗୋପାଳପୁର, ହିଞ୍ଜିଳି ଏବଂ ଆସିକା ଭଳି ସହରର ଗୁଡିକରେ ଆସନ୍ତାଦିନରେ ମଧ୍ୟ ଟ୍ରାଫିକ୍ ନିୟମକୁ କଡାକଡି କରାଯିବା ସହ ବସ୍ ଷ୍ଟପେଜ୍କୁ ସୀମିତ କରାଯିବା ର ହିଛି ବୋଲି ଜିଲ୍ଲାପାଳ କହିଛନ୍ତି । ବ୍ରହ୍ମପୁର ସହରର ଡ୍ରେନ୍ ଏବଂ ଟ୍ରାଫିକ୍ ସମସ୍ୟା ନେଇ ଅବରୋଧ କରିଥିବା ଅଞ୍ଚଳ ଗୁଡିକୁ ଉଚ୍ଛେଦର ବ୍ୟବସ୍ଥା ହେବ । ବ୍ରହ୍ମପୁର ବସଷ୍ଟାଣ୍ଟର ପୁନଃଉଦ୍ଧାର ପାଇଁ ଏକ କୋଟି ଟଙ୍କାର ଟେଣ୍ଡର ବାହାର କରାଯାଇଛି । ସେଠାରେ ସମସ୍ତ ପ୍ରକାର ଆନୁଷଙ୍ଗିକ ବ୍ୟବସ୍ଥା କରାଯିବ ବୋଲି ବ୍ରହ୍ମପୁର ମହାନଗର ନିଗମ କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର କହିଛନ୍ତି । ବୈଠକରେ ବିଡିଏ ସଚିବ ସମ୍ବିତ କୁମାର ରାଉତ, ଆରଟିଓ ସଞ୍ଜୟ କୁମାର ବିଶ୍ୱାଳ, ଏନ୍ଏଚ୍ଆଇର କର୍ତ୍ତୃପକ୍ଷ ଏବଂ ଘରୋଇ ବସ୍ ସଂଘର ସଦସ୍ୟମାନେ ଉପସ୍ଥିତ ଥିଲେ ।