ହାଇକୋର୍ଟଙ୍କ ନିର୍ଦ୍ଦେଶ : ଦୁଇ ଚକିଆ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ନଲାଗୁ
ଭୁବନେଶ୍ୱର : ସ୍ଥାନୀୟ ଅଂଚଳରେ ବା ପାଦରେ ଚାଲିଚାଲି ଯାଉଥିବା ସ୍ଥାନରେ ପନିପରିବା, ଔଷଧ ଓ ଅନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ମିଳୁନାହିଁ । ତେଣୁ ବାଇକ ଚଳାଚଳ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଯିବା ଉଚିତ ନୁହେଁ । ସେହିପରି ଲକଡାଉନ ଉଲ୍ଲଂଘନ କରିଥିବାରୁ ଯେଉଁ ଯାନଗୁଡ଼ିକ ଜବତ କରାଯାଇଛି ସେଗୁଡ଼ିକୁ ଅଣ୍ଡରେଟକିଂ ମାଧ୍ୟମରେ ଛାଡ଼ି ଦିଆଯାଉ । ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ବିଚାରପତି ଏସ ପଣ୍ଡା ଓ ବିଶ୍ୱଜିତ ରଥଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । କରୋନାର ମୁକାବିଲା ପାଇଁ ସାରା ଦେଶରେ ଲକଡ଼ାଉନ କାର୍ଯ୍ୟକାରୀ ହେଉଛି । ଓଡ଼ିଶାରେ ଏହାକୁ କଡ଼ାକଡ଼ି ଭାବେ ପାଳନ କରିବା ନିମନ୍ତେ ସରକାର ବାଇକ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଅମାନିଆ ଚାଳକଙ୍କ ଠାରୁ ଗାଡ଼ି ବି ଜବତ କରାଯାଇଥିଲା । ହାଇକୋର୍ଟ ତାଙ୍କ ନିର୍ଦ୍ଦେଶାନାମାରେ ଉଲ୍ଳେଖ କରିଛନ୍ତିଯେ, ଲକଡ଼ାଉନ ସମୟରେ ଅନେକ ଗାଡ଼ି ଜବତ କରାଯାଇଛି । ତେବେ ପାଦରେ ଚାଲି ଚାଲି ଯାଇ ହେଉଥିବା ସ୍ଥାନରେ ପନିପରିବା, ଔଷଧ ଓ ଅନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସମସ୍ତଙ୍କ ପାଇଁ ଉପଲବ୍ଧ ହୋଇପାରୁନାହିଁ । ଅନେକ କ୍ଷେତ୍ରରେ ବରିଷ୍ଠ ନାଗରିକ, ମହିଳାଙ୍କ ସମେତ ସାଇକେଲ ଚଳାଇ ପାରୁନଥିବା ଲୋକମାନେ ବି ବାଧ୍ୟ ହୋଇ ଗାଡ଼ି ଚଳାଉଛନ୍ତି । ତେଣୁ ନିର୍ଦ୍ଧିଷ୍ଟ ଭାବେ ଉପଯୁକ୍ତ ବ୍ୟବସ୍ଥା ନକରିବା ପର୍ଯ୍ୟନ୍ତ ବାଇକ ଚଳାଚଳ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ନଲଗାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଗାଡ଼ି ଚାଳକ ଯଦି ସନ୍ତୋଷଜନକ ଉତର ଦିଅନ୍ତି ତେବେ ସେ କ୍ଷେତ୍ରରେ କୋହଳ ମନୋଭାବ ପୋଷଣ କରାଯିବା ଉଚିତ । ଲୋକମାନେ ଏବେ କଠିନ ସମୟ ଦେଇ ଗତି କରୁଥିବାବେଳେ ନିଜର ଦୈନନ୍ଦିନ ସାମଗ୍ରୀ ଆଣିବା ପାଇଁ ବାଇକ ଚଳାଚଳ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇଲେ ସେମାନଙ୍କ କଷ୍ଟ ଆହୁରି ବଢ଼ିଯିବ । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଓ ଡିଜି ମାନବାଧିକାର ଦୃଷ୍ଟିକୋଣରୁ ପଦକ୍ଷେପ ଗ୍ରହଣ କରିବେ ବୋଲି ବିଚାରପତି ଆଶା ପ୍ରକାଶ କରିଛନ୍ତି ।
ସ୍ଥାନୀୟ ଅଂଚଳରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସରକାର ଉପଲବ୍ଧ କରିବାର ବ୍ୟବସ୍ଥା କଲେ ବାଇକ ଚଳାଚଳର ଆବଶ୍ୟକତା ପଡ଼ିବ ନାହିଁ । ତେଣୁ ଏବେ ଯେଉଁ ଯାନ ସିଜ ହୋଇଛି ତାହାକୁ ଅଣ୍ଡରଟେକିଂ ଲେଖି ଛାଡ଼ିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଏଭଳି କ୍ଷେତ୍ରରେ ବିନା ଜରିମାନାରେ ତିନି ଥର ଅଣ୍ଡରଟେକିଂ ଦ୍ୱାରା ଛାଡ଼ିବାକୁ କୋର୍ଟ କହିଛନ୍ତି ।


