ହାଇସ୍କୁଲକୁ ଡୁଆଲ ଡେସ୍କବେଂଚ ବଂଟନ କାର୍ଯ୍ୟକ୍ରମର ଜିଲ୍ଲା ସ୍ତରୀୟ ଉଦଘାଟନି ଉତ୍ସବ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଜିଲ୍ଲା ଶାକ୍ଷା ବିଭାଗ ଆନୁକଲ୍ୟରେ ଜିଲ୍ଲାର ଉଚ୍ଚ ବିଦ୍ୟାଳୟ ଗୁଡିକୁ ଡୁଆଲ ଡେସ୍କ ବେଂଚ ବଂଟନ କାର୍ଯ୍ୟକ୍ରମର ଜିଲ୍ଲା ସ୍ତରୀୟ ଉଦଘାଟନୀ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ପରିସରରେ ଅନୁଷ୍ଠିତ ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜୀବ କୁମାର ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତାକାଟି ଉତ୍ସବକୁ ଉଦଘାଟନ କରି କହିଥିଲେ ଯେ ଜିଲ୍ଲାର ପ୍ରତି ହାଇସ୍କୁଲରେ କିଭଳି ଛାତ୍ରଛାତ୍ରୀମାନେ ତଳେ ନବସି ଡୁଆଲ ଡେସ୍କବେଂଚରେ ବସି ପାଠ ପଢିବେ ସେଥିନିମନ୍ତେ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ । ତାହାର ଫଳ ସୂରୂପ ଆଜି ପ୍ରଥମ ପର୍ଯ୍ୟାୟରେ ଜିଲ୍ଲା ସଦର ମହକୁମାର କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଓ ବଳଦେବ ହାଇସ୍କୁଲ ଭଳି ୨ଟି ହାଇସ୍କୁଲକୁ ପ୍ରତ୍ୟେକ ୫୦ ଯୋଡାକରି ଡୁଆଲ ଡେସ୍କବେଂଚ ପ୍ରଦାନ କରାଯାଇଛି । ପରୀକ୍ଷା କିଭଳି ଠିକ ଭାବରେ ହେବ, ଛାତ୍ରଛାତ୍ରୀମାନେ କିଭଳି ଭଲ ଭାବରେ ବସିବେ ଓ ସ୍କୁଲ ଗୁଡିକରେ ଉତ୍ତମ ଶୈକ୍ଷିକ ବାତାବରଣ ସୃଷ୍ଟି ହେବା ସହ ଭିତ୍ତିଭୂମିର ବିକାଶ ହୋଇପାରିବ ସେସବୁକୁ ପ୍ରାଥମିକତା ଦିଆଯାଇ ଜିଲ୍ଲାପାଳଙ୍କ ନିର୍ଦେଶ ଅନୁଯାଇ କାର୍ଯ୍ୟ ଆରମ୍ଭ କରାଯାଇଛି । ଜିଲ୍ଲାର ୩୫୮ଟି ହାଇସ୍କୁଲକୁ ଆଗାମୀ ଦିନରେ ପର୍ଯ୍ୟାୟକ୍ରମେ ଏଭଳି ଭାବରେ ଡୁଆଲ ଡେସ୍କବେଂଚ ଯୋଗାଇ ଦିଆଯିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ସିଂ ସୂଚନା ଦେଇଥିଲେ । ଏହି ଅବସରରେ ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀଙ୍କୁ ୫୦ ଯୋଡା ଡୁଆଲ ଡେସ୍କବେଂଚ ପ୍ରଦାନ କରାଯାଇଥିଲା । ଜିଲ୍ଲା ବିଜ୍ଞାନ ପରିଦର୍ଶକ-୧ ପିତବାସ ପଣ୍ଡା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଜିଲ୍ଲା ବିଜ୍ଞାନ ପରିଦର୍ଶକ-୨ ନିଷିଧ କୁମାର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସୁଜାତା ରାଉତ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଷ୍ଟାଫ ଶତୃଘନ ସାହୁ, ଶିକ୍ଷକ ଶିବ ପ୍ରସାଦ ନାୟକଙ୍କ ସମେତ କେନ୍ଦ୍ରାପଡା ସରକାରୀ ହାଇସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀମାନେ ଉପସ୍ଥିତ ଥିଲେ । ସେହିପରି ବଳଦେବ ହାଇସ୍କୁଲ ପରିସରରେ ଅନୁଷ୍ଠିତ ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତ୍ୟେକ ହାଇସ୍କୁଲରେ ଗୁଣାତ୍ମକ ଶିକ୍ଷାଦାନ ଉପରେ ଗୁରୁତ୍ୱାରୋପ କରିବା ସହ ହାଇସ୍କୁଲ ଗୁଡିକରେ ୨ଟି କରି ଉଦ୍ୟାନ ପ୍ରସ୍ତୁତ କରିବା ପାଇଁ ନିର୍ଦେଶ ଦେଇଥିଲେ । ଏହି ଅବସରରେ ବଳଦେବ ହାଇସ୍କୁଲକୁ ୫୦ ଯୋଡା ଡୁଆଲ ଡେସ୍କବେଂଚ ପ୍ରଦାନ କରାଯାଇଥିଲା । ଉତ୍ସବରେ ଉପସ୍ଥିତ ହାଇସ୍କୁଲର ପୁରାତନଛାତ୍ର ତଥା ପୂର୍ବତନ ପୈାରପାଳ ଧିରେନ କୁମାର ସାହୁ ହାଇସ୍କୁଲର ୬ଟି ଶ୍ରେଣୀଗୃହ ଗତ ଫାଇଲିନ ବାତ୍ୟାରେ ସମ୍ପୂର୍ଣ୍ଣ ଭାଙ୍ଗି ଯିବା ଯୋଗୁଁ ଶ୍ରେଣୀଗୃହ ସମସ୍ୟା ସ୍କୁଲ ପାଇଁ ଏକ ମୁଖ୍ୟ ସମସ୍ୟା ହୋଇଥିବାରୁ ସେ ସମ୍ପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଇଥିଲେ । ଏଥିସହ ଏହି ସ୍କୁଲରେ ଅନ୍ୟ ୨ଟି ପ୍ରାଥମିକ ବିଦ୍ୟାଳୟକୁ ମିଶ୍ରଣ କରାଯାଇଥିବାରୁ ଏତେ ସଂଖ୍ୟକ ପିଲାମାନଙ୍କୁ ବିନା ଶେଣୀଗୃହରେ ଶିକ୍ଷାଦାନ କରିବା ସ୍କୁଲ ପାଇଁ ଏକ ଜଟିଳ ସମସ୍ୟା ସୃଷ୍ଟି ହୋଇଥିବା ସମ୍ପର୍କରେ ବିଷଦ ଭାବରେ ବର୍ଣ୍ଣନା କରିଥିଲେ । ମୋ ସ୍କୁଲ ଅଭିଯାନର ସଭାପତି ଅଧ୍ୟାପକ ଅଜୟ କୁମାର ସାମଲ ମଧ୍ୟ ସ୍କୁଲର ବିଭିନ୍ନ ସମସ୍ୟା ବିଷୟରେ ବକ୍ତବ୍ୟ ରଖିଥିଲେ । ଜିଲ୍ଲା ବିଜ୍ଞାନ ପରିଦର୍ଶକ-୧ ଶ୍ରୀ ପଣ୍ଡା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଜିଲ୍ଲା ବିଜ୍ଞାନ ପରିଦର୍ଶକ-୨ ଶ୍ରୀ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍କୁଲର ପୁରାତନ ଛାତ୍ର ବ୍ରଜସୁନ୍ଦର ଦାସ, ଗୋପାଳକୃଷ୍ଣ ଜେନା, ରେବତୀରମଣ ଦାସ, ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସୁନିତା ନାୟକ, ଶିକ୍ଷକ ହରେକୃଷ୍ଣ ପତି, ପାର୍ଥସାରଥୀ ବେହେରା, ନୃସିଂହ ଚରଣ ତ୍ରିପାଠୀଙ୍କ ସମେତ ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀମାନେ ଉପସ୍ଥିତ ଥିଲେ । ଉଭୟ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ମୁଖ୍ୟ ଅତିଥି ଭାବରେ ଯୋଗଦେବାର କାର୍ଯ୍ୟକ୍ରମ ଥିଲେ ବି କେତେକ ଅନିବାର୍ଯ୍ୟ କାରଣ ବସତଃ ସେ ଉପସ୍ଥିତ ହୋଇପାରିଥିଲେ ।