ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ କାହା ସ୍ୱାର୍ଥରେ?
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ହାଇ ସିକ୍ୟୁରିଟି ନମ୍ବର ଆଳରେ ରୋଜଗାର ଛଡ଼ାଇ ନେବା ଏବଂ ଜୋରିମାନା ଆଦାୟ ପାଇଁ ଜନସାଧାରଣଙ୍କ ଉପରେ ଜୁଲମ କରିବା ବିରୁଦ୍ଧରେ ଅଲ ଓଡ଼ିଶା ପେଣ୍ଟିଂ ଆର୍ଟିଷ୍ଟ ୱାର୍କରସ୍ ଆସୋସିଏନ ପକ୍ଷରୁ ଭୁବନେଶ୍ୱରସ୍ଥିତ ମାଷ୍ଟର କ୍ୟାଣ୍ଟିନ ଛକଠାରେ ତୀବ୍ର ପ୍ରତିବାଦ କରାଯାଇଛି । ସରକାର ବିଚାର ବିମର୍ଷ ନକରି ତରବରିଆ ଭାବେ ପୁରୁଣା ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ପାଇଁ ନିଷ୍ପତ୍ତି ନେଲେ । ଫଳରେ ସରକାରଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏହା ପୂର୍ବରୁ ଦୁଇଥର ଗାଡ଼ିରେ ନମ୍ବର ପ୍ଲେଟ ପରିବର୍ତ୍ତନ ହୋଇଛି କିନ୍ତୁ ସରକାରଙ୍କୁ ଏଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିନଥିଲା । ଗାଡ଼ିର ନମ୍ବର ପ୍ଲେଟ ପରିବର୍ତ୍ତନ ପାଇଁ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଅଛି । କେନ୍ଦ୍ର ସରକାର ପ୍ରତି ଗାଡ଼ିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ ପ୍ରତି ଗାଡ଼ିରେ ଲଗାଇବା ପାଇଁ ନିର୍ଦ୍ଦେଶନାମା ଜାରି କଲେ । ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ, କିନ୍ତୁ ଯାହାକୁ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ କୁହାଯାଉଛି ସେଥିରେ କଣ ସିକ୍ୟୁରିଟି ଅଛି ଯାହା ଜନସାଧାରଣଙ୍କ ଉପକାରରେ ଲାଗିବ, ଏହି କଥାକୁ ସଂଘ ଆଇନ ହେବା ଠାରୁ ପ୍ରଶ୍ନ କରି ଆସିଛି । ଏହା ଜନସାଧାରଣ ଜାଣିବା ଦରକାର । କାରଣ ବିମୁଦ୍ରୀକରଣ ବେଳେ ୨୦୦୦ ଟଙ୍କାରେ ଚିଫ୍ ଲାଗିଛି, ତାକୁ ମାଟିରେ ପୋତିଦେଲେ ସେ ଟଙ୍କା କେଉଁଠାରେ ଅଛି ଜଣାପଡ଼ିବ ବୋଲି ସେତେବେଳେ ଜଣାପଡ଼ିଥିଲା । କିନ୍ତୁ ପରେ ତାହା ମିଛ ପ୍ରମାଣିତ ହୋଇଛି । ଏଣୁ ଏହି ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ନାମରେ ଜନ ସାଧାରଣଙ୍କୁ ଧୋକା ଦିଆଯାଉଛି ନାହିଁତ ବୋଲି ସଂଘ ପ୍ରଶ୍ନ କରିଛି । ଅନ୍ୟ ପଟେ ଆଜିଯାଏ ଯେତେଥର ନମ୍ବର ପ୍ଲେଟ ପରିବର୍ତ୍ତନ ହୋଇଛି, ନମ୍ବର ପ୍ଲେଟ ଆର୍ଟିଷ୍ଟମାନଙ୍କ ସହିତ ଆଲୋଚନା କରାଯାଇଛି । ଏହା ପୂର୍ବରୁ ୨୦୧୧ ମସିହାରେ ନମ୍ବର ପ୍ଲେଟ ପରିବର୍ତ୍ତନ କରାଯାଇଥିଲା । ସେତେବେଳେ ସରକାର ଓ ପରିବହନ ବିଭାଗ ପକ୍ଷରୁ ଟ୍ରାଫିକ ଓ ପୋଲିସ୍ ଅଧିକାରୀମାନେ ଭୁବନେଶ୍ୱରର ୬୨ ଜଣ ନମ୍ବର ପ୍ଲେଟ ଆର୍ଟିଷ୍ଟଙ୍କୁ ତାଲିମ ଦେଇଥିଲେ ଏବଂ ତାଲିମ ଦେବା ସମୟରେ ମାଗଣାରେ ଜନସାଧାରଣଙ୍କ ଗାଡ଼ିରେ ନମ୍ବର ପ୍ଲେଟ ଲଗା ଯାଇଥିଲା । କିନ୍ତୁ ଆଜି ଏହି ନମ୍ବର ପ୍ଲେଟ ଆର୍ଟିଷ୍ଟମାନେ କାହିଁକି ଅଦରକାରୀ ହୋଇପଡ଼ିଲେ? ନମ୍ବର ପ୍ଲେଟ ଆର୍ଟିଷ୍ଟ ମାନଙ୍କ ସହ ଆଲୋଚନା ନକରି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା କାହା ସ୍ୱାର୍ଥରେ ବୋଲି ସାଧାରଣରେ ଆଲୋଚନା ହେଉଛି । ଏହି ନମ୍ବର ପ୍ଲେଟ ଆର୍ଟିଷ୍ଟମାନେ ଆଜକୁ ୩ ମାସ ହେବ ଏଠାକୁ ସେଠାକୁ ଦୌଡ଼ି ଦୌଡ଼ି ନୟନ୍ତ ହେଲେଣି । ଗତ ବିଧାନସଭା ଅଧିବେଶନରେ ୧୬ ଦିନ କାଳ ଧାରଣାରେ ବସିଥିଲେ । ପ୍ରଶାସନ ସେମାନଙ୍କ କଥାକୁ ତିଳେମାତ୍ର ଖାତିର କଲେନାହିଁ । ଗଣତନ୍ତ୍ର ରାଷ୍ଟ୍ରରେ ଏହା ସବୁଠାରୁ ବିପଦ । ଆଜି ଗଣତନ୍ତ୍ରକୁ ନଷ୍ଟ କରି ଦିଆଯାଉଛି, କ୍ଷମତାସୀନ ସରକାରମାନେ ଇଂରେଜ ସରକାରଙ୍କୁ ବି ଟପିଗଲେଣି । ଦେଶରେ ବେରୋଜଗାରୀ, ଶୋଷଣ, ଅନ୍ୟାୟ, ଅତ୍ୟାଚାର, ଚୋରି, ଡ଼କାୟତିର ସୀମା ଉଲଂଘନ କରିଛି । କର୍ପୋରେଟ ମାନଙ୍କୁ ଋଣ ଛାଡ଼ କରି ଆର୍ଥିକ ବୋଝକୁ ସାଧାରଣ ଜନତାଙ୍କ ଉପରେ ଲଦି ଦିଆଯାଉଛି ବୋଲି ସଂଘର ସାଧାରଣ ସମ୍ପାଦକ ରଞ୍ଜନ ମିଶ୍ର କହିଛନ୍ତି । ଅନ୍ୟ ପଟରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ ପୁରୁଣା ଗାଡ଼ିରେ ଲଗାଇବା ବାଧ୍ୟତାମୂଳକ ଯେବେଠାରୁ ଘୋଷଣା କରାଗଲା ଅଧିକାଂଶ ଜନସାଧାରଣ ସୋମନଙ୍କ ଗାଡ଼ିରେ ଲଗାଇଲେ ନାହିଁ । କିନ୍ତୁ ସେମାନଙ୍କୁ ନମ୍ବର ପ୍ଲେଟ ନ ଲଗାଇଲେ ୧୦ ହଜାର ଟଙ୍କା ଜୋରିମାନା ପଡ଼ିବ ବୋଲି କହି ନମ୍ବର ପ୍ଲେଟ ଲଗାଇବା ପାଇଁ ବାଧ୍ୟ କରାଯାଉଛି । ଯାହାଫଳରେ ସାଧାରଣ ଜନତା ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଏଭଳି ବ୍ୟବସ୍ଥା କାହା ସ୍ୱାର୍ଥରେ? ସରକାର ଏ ଦିଗରେ ପୁନଃ ବିଚାର କରି ସମସ୍ତେ କିପରି ଉପକୃତ ହେବେ, ସେ ଦିଗରେ ନିଷ୍ପତ୍ତି ନିଅନ୍ତୁ ବୋଲି ସଂଘ ପକ୍ଷରୁ କୁହାଯାଇଛି ।


