ହାକାଥନର ଗ୍ରାଣ୍ଡ ଫିନାଲେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ହେବ ଉଦ୍‌ଘାଟିତ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଅଗଷ୍ଟ ୧ସନ୍ଧ୍ୟା ୭ଟାରେ ଭାରତରେ ଆୟୋଜିତ ବିଶ୍ୱର ସର୍ବବୃହତ୍‌ ଅନ୍‌ଲାଇନ ହାକାଥନର ଗ୍ରାଣ୍ଡ ଫିନାଲେକୁ ଉଦ୍‌ଘାଟନ କରିବେ । ଏହା ଭିଡିଓ କନଫରେନ୍ସ ବ୍ୟବସ୍ଥାରେ ପରିଚାଳିତ ହେବ । ଏ ସଂପର୍କରେ ସୂଚନା ଦେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ କହିଛନ୍ତି ଯେ, ସ୍ମାର୍ଟ ଇଣ୍ଡିଆ ହାକାଥନ ୨୦୨୦ ସଫ୍ଟୱେୟାରର ଗ୍ରାଣ୍ଡ ଫିନାଲେ ଆସନ୍ତା ଅଗଷ୍ଟ ପହିଲାରୁ ୩ତାରିଖ ପର୍ଯ୍ୟନ୍ତ ଚାଲିବ । କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଦ୍ୱାରା ଏହି ହାକାଥନ ଆୟୋଜିତ ହେଉଛି । ଏଆଇସିଟିଇ, ପର୍ସିସଟେଣ୍ଟ ସିଷ୍ଟମ ଏବଂ ଆଇ-୪ସି ସଂସ୍ଥା ଏଥିପାଇଁ ବୈଷୟିକ ସହାୟତା ଯୋଗାଉଛି । ମନ୍ତ୍ରୀ ଏହି ହାକାଥନ ସଂକ୍ରାନ୍ତ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଥିଲେ । ଏହା ପୂର୍ବରୁ ଆୟୋଜିତ ହାକାଥନଗୁଡିକର ସଫଳତା ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ଉଚ୍ଚଶିକ୍ଷା ସଚିବ ଅମିତ ଖରେ, ଏଆଇସିଟିଇର ଅଧ୍ୟକ୍ଷ ଅନିଲ ଶହସ୍ରବୁଦ୍ଧେ, ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ରାକେଶ ରଂଜନ ତଥା ମନ୍ତ୍ରଣାଳୟର ମୁଖ୍ୟ ଇନୋଭେଟିଭ ଅଧିକାରୀ ଅଭୟ ଜେରେ ପ୍ରମୁଖ ଯୋଗଦେଇଥିଲେ । ସ୍ମାର୍ଟ ଇଣ୍ଡିଆ ହାକାଥନ ଏକ ଅଭିନବ ପ୍ରୟାସ ଯାହାଦ୍ୱାରା ନୂଆ ଏବଂ ଅତ୍ୟାଧୁନିକ ଡିଜିଟାଲ ଟେକ୍‌ନୋଲଜି କ୍ଷେତ୍ରରେ ନବସୃଜନ ଆସିପାରିବ । ଏହାଦ୍ୱାରା ଦେଶ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ସୂତ୍ର ବାହାରିବା ସମ୍ଭବ ହେବ । ଏହା ଏକ ନିରନ୍ତର ଡିଜିଟାଲ ସାମଗ୍ରୀ ବିକାଶ ପ୍ରତିଯୋଗିତା । ଏଥିରେ ଟେକ୍‌ନୋଲଜିର ଛାତ୍ରଛାତ୍ରୀଙ୍କୁ ସମସ୍ୟା ସଂପର୍କରେ ଅବଗତ କରାଯାଇ ଏହାର ଉତ୍ତମ ସମାଧାନର ସୂତ୍ର ବାହାର କରିବାକୁ କୁହାଯାଏ । ବିଭିନ୍ନ ସରକାରୀ ବିଭାଗ ଏବଂ ଘରୋଇ ସଂଗଠନ ସମ୍ମୁଖୀନ ହେଉଥିବା ସମସ୍ୟାବଳୀର କିପରି ସମାଧାନ କରାଯାଇପାରିବ ସେ ନେଇ ଏହି ଛାତ୍ରଛାତ୍ରୀଙ୍କୁ ଅବଗତ କରାଯିବ । ସେମାନେ ନିଜର ବିଦ୍ୟାବୁଦ୍ଧି ପ୍ରୟୋଗ କରି ସମାଧାନର ସୂତ୍ର ବାହାର କରିବେ । ଏଥିପାଇଁ ପ୍ରଥମ ପର୍ଯ୍ୟାୟ କଲେଜସ୍ତରୀୟ ଛାତ୍ରଛାତ୍ରୀଙ୍କ ବଛାବଛି କାର୍ଯ୍ୟ ଜାନୁୟାରୀର ହାକାଥନ ମାଧ୍ୟମରେ ଶେଷ ହୋଇଛି । ସେଥିରେ ଉତ୍ତମ ଆଇଡିଆ ଓ ବିଚାର ସହ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ଜାତୀୟ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି । ଆହୁରି ମଧ୍ୟ ଜାତୀୟ ସ୍ତରରେ ଛାତ୍ରଛାତ୍ରୀଙ୍କ ଆଇଡିଆକୁ ବିଶେଷଜ୍ଞ ଓ ମୂଲ୍ୟାୟନକାରୀମାନେ ପରୀକ୍ଷା ନିରୀକ୍ଷା କରି ଏକ ଚୂଡାନ୍ତ ତାଲିକା ପ୍ରସ୍ତୁତ କରିଛନ୍ତି । ଏହି ତାଲିକାରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀ ଗ୍ରାଣ୍ଡ ଫିନାଲେରେ ଅଂଶଗ୍ରହଣ କରିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । କରୋନା ମହାମାରୀ ଯୋଗୁଁ ଚଳିତ ବର୍ଷର ଗ୍ରାଣ୍ଡ ଫିନାଲେ ଅନ୍‌ଲାଇନ ବ୍ୟବସ୍ଥାରେ ଆୟୋଜିତ ହେବ । ଦେଶର ସବୁ ଭାଗରେ ମନୋନୀତ ବିଦ୍ୟାର୍ଥୀମାନଙ୍କୁ ଏଥିରେ ସଂପୃକ୍ତ କରିବା ପାଇଁ ଏକ ସ୍ୱତନ୍ତ୍ର ବିକଶିତ ପ୍ଲାଟଫର୍ମ ପ୍ରସ୍ତୁତ କରାଯାଇଛି । ଏଥର ଏହି ହାକାଥନରେ ୧୦ହଜାର ଛାତ୍ରଛାତ୍ରୀ ଭାଗ ନେବେ । ସେମାନଙ୍କୁ ୨୪୩ଟି ସମସ୍ୟା ସମାଧାନ କରିବା ପାଇଁ ଦିଆଯିବ । ସେଥିମଧ୍ୟରୁ ୩୭ଟି କେନ୍ଦ୍ର ସରକାରୀ ବିଭାଗରୁ ସମସ୍ୟା ଆସିଥିବାବେଳେ ୧୭ଟି ରାଜ୍ୟ ସରକାର ଓ ୨୦ଟି ଉଦ୍ୟୋଗ ଏଥିପାଇଁ ମଧ୍ୟ ସମସ୍ୟା ମାନ ପଠାଇଛନ୍ତି । ପ୍ରତ୍ୟେକ ସମସ୍ୟାର ସମାଧାନ ପାଇଁ ୧ଲକ୍ଷ ଟଙ୍କାର ପୁରସ୍କାର ରାଶି ବ୍ୟବସ୍ଥା କରାଯାଇଛି । ସେହିଭଳି ଇନୋଭେସନ ଥିମ୍‌ରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ୩ଟି ଲେଖାଏଁ ପୁରସ୍କାର ବ୍ୟବସ୍ଥା କରାଯାଇଛି । ପ୍ରଥମ ପୁରସ୍କାର ବାବଦରେ ୧ଲକ୍ଷ, ଦ୍ୱିତୀୟ ପାଇଁ ୭୫ହଜାର ଏବଂ ତୃତୀୟ ପାଇଁ ୫୦ ହଜାର ଟଙ୍କାର ବ୍ୟବସ୍ଥା କରାଯାଇଛି । ଏଭଳି ୩ଟି ହାକାଥନ ସରକାର ସଫଳତାର ସହ ଆୟୋଜିତ କରିଛନ୍ତି । ୨୦୧୭ରେ ଅନୁଷ୍ଠିତ ପ୍ରଥମ ହାକାଥନରେ ୪୨ହଜାର, ୨୦୧୮ଦ୍ୱିତୀୟ ହାକାଥନରେ ଏକ ଲକ୍ଷ ଏବଂ ୨୦୧୯ତୃତୀୟ ହାକାଥନରେ ୨ଲକ୍ଷ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଗତବର୍ଷ ତୁଳନାରେ ଚଳିତ ବର୍ଷର ହାକାଥନ ଆହୁରି ବିରାଟ ଏବଂ ଏଥିରେ ଅଂଶଗ୍ରହଣକାରୀଙ୍କ ସଂଖ୍ୟା ୪.୫ଲକ୍ଷ । ଦେଶର ଶିକ୍ଷାନୁଷ୍ଠାନଗୁଡିକରେ ନବସୃଜନ ଓ ଉଦ୍ୟମିତାର ଧାରା ସୃଷ୍ଟି କରିବାକୁ ଆମେ ବିଶେଷ ଆଗ୍ରହୀ । ସେଥିପାଇଁ ସରକାରୀ ଓ ବେସରକାରୀ ସହଯୋଗରେ ଉଦ୍ୟମ ଚାଲିଛି ଏବଂ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରାଯାଉଛି । ଚଳିତବର୍ଷର ସ୍ମାର୍ଟ ଇଣ୍ଡିଆ ହାକାଥନ ପାଇଁ ଏ ପର୍ଯ୍ୟନ୍ତ ପ୍ରାୟ ୩୩୧ଟି ପ୍ରକଳ୍ପ ପ୍ରୋଟୋଟାଇପ ବିକଶିତ ହୋଇଛି । ଏହାଛଡା ୭୧ଟି ଷ୍ଟାର୍ଟଅପ୍‌ର ତିଆରି ଚାଲିଛି । ଏବେ ୧୯ଟି ଷ୍ଟାର୍ଟଅପ୍‌ ପଞ୍ଜୀକୃତ ହୋଇସାରିଛି । ଆହୁରି ମଧ୍ୟ ବିଭିନ୍ନ ବିଭାଗରେ ୩୯ଟି ସମାଧାନ ସୂତ୍ର ପ୍ରୟୋଗ କରାଯାଇଛି ଏବଂ ଆଉ ୬୪ଟି ସମ୍ଭାବନାପୂର୍ଣ୍ଣ ସଲ୍ୟୁସନ ପାଇଁ ପାଣ୍ଠି ଯୋଗାଣ ବ୍ୟବସ୍ଥା କରାଯାଇଛି । ମାନବ ସମ୍ବଳ ବିକାଶ ମନ୍ତ୍ରୀ କହିଛନ୍ତି ଯେ ସ୍ମାର୍ଟ ଇଣ୍ଡିଆ ହାକାଥନ ଦ୍ୱାରା ଯେଉଁସବୁ ଆଇଡିଆ ବାହାରୁଛି ସେଗୁଡିକ ଉପରେ ନିରନ୍ତର ଦୃଷ୍ଟି ରଖି ତାହାର ବିକାଶ ଓ ବିନିଯୋଗ ଦିଗରେ କାର୍ଯ୍ୟ କରାଯିବା ଉଚିତ । ଏଥିପାଇଁ ମେଣ୍ଟରମାନଙ୍କର ବିଶେଷ ଭୂମିକା ରହିଛି । ଏହା ଯେପରି ଅକାରଣ ନ ଯାଏ ସେଥିପାଇଁ ବିଭାଗ ଓ ମନ୍ତ୍ରଣାଳୟ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ । ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ସଚିବ ଏ କ୍ଷେତ୍ରରେ ସବୁ ବିଭାଗର ସଚିବଙ୍କ ସହ ସମନ୍ୱୟ ରକ୍ଷାକରି ମନୋନୀତ ଆଇଡିଆଗୁଡିକର ରୂପାୟନ ଦିଗରେ କାର୍ଯ୍ୟ କରିବେ । ଏହିସବୁ ଆଇଡିଆକୁ ଷ୍ଟାର୍ଟଅପ୍‌ରେ ପରିଣତ କରିବା ପାଇଁ ବାହ୍ୟ ସୁଯୋଗ ନମିଳିଲେ ସେଗୁଡିକୁ ସରକାର ବିଭାଗ ଓ ମନ୍ତ୍ରଣାଳୟ କାର୍ଯ୍ୟକାରୀ କରିବେ । ଆମ ଦେଶରେ ନବସୃଜନର ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ସ୍କୁଲସ୍ତରରୁ ଉଦ୍ୟମ ଆରମ୍ଭ ହୋଇଛି । ସେଥିପାଇଁ ଅଟଳ ଟିଙ୍କରିଂ ଲ୍ୟାବ ମାନ ଖୋଲାଯାଇଛି । ଏ କ୍ଷେତ୍ରରେ ସ୍କୁଲର ଛାତ୍ରଛାତ୍ରୀ ଓ ଇଂଜିନିୟରିଂ କଲେଜ ମଧ୍ୟରେ ଉପଯୁକ୍ତ ସମନ୍ୱୟର ଆବଶ୍ୟକତା ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ