ହାଟଡିହି ବ୍ଲକରେ ଗୋଟିଏ କ୍ଲଷ୍ଟରରେ ୨ଜଣ ସିଆରସିସି କାହା ସ୍ୱାର୍ଥରେ
ହାଟଡ଼ିହି, (ସୌମ୍ୟରଞ୍ଜନ ଆଚାର୍ଯ୍ୟ): ହାଟଡିହି ବ୍ଲକର ବାଙ୍ଗୋର କ୍ଲଷ୍ଟରରେ ଦୁଇଜଣ ସିଆରସିସି ନିଯୁକ୍ତି ହୋଇଛନ୍ତି । ଏଠାରେ ପୁର୍ବରୁ କାମ କରୁଥିବା ସିଆରସିସି ନରେନ୍ଦ୍ର ମହାରଣାଙ୍କର ୫ବର୍ଷ ହୋଇଯିବାରୁ ତାଙ୍କ ସ୍ଥାନରେ ବସନ୍ତ ନାଇକ ନାମକ ଜଣେ ଶିକ୍ଷକଙ୍କୁ ସିଆରସିସି ଭାବେ ୧୨/୭/୨୦୧୯ରେ ନିଯୁକ୍ତି ଦିଆଯାଇଛି । କିନ୍ତୁ ବାଙ୍ଗୋର କ୍ଲଷ୍ଟରରେ ଥିବା ନରେନ୍ଦ୍ର ମହାରଣାଙ୍କୁ ଅନ୍ୟ କୌଣସି ସ୍କୁଲରେ ଆଜି ପର୍ଯ୍ୟନ୍ତ ନିଯୁକ୍ତି ଦିଆଯାଇ ନାହିଁ । ତାଙ୍କୁ ମୌଖିକ ଭାବେ ବାଙ୍ଗୋର ସ୍କୁଲରେ କାର୍ଯ୍ୟ କରିବାକୁ କୁହାଯାଇଥିବାବେଳେ ସେ ବାଙ୍ଗୋର ସ୍କୁଲରେ ପହଞ୍ଚିବାରୁ ସେଠାକାର ପ୍ରଧାନ ଶିକ୍ଷକ ନିର୍ଦ୍ଦେଶନାମା ମାଗିଥିଲେ । କିନ୍ତୁ ନରେନ୍ଦ୍ର ମହାରଣା କୌଣସି ନିର୍ଦ୍ଦେଶନାମା ପାଇ ନଥିବାରୁ ସେ ସ୍କୁଲରୁ ଫେରିଆସି ଆଜି ପର୍ଯ୍ୟନ୍ତ ବାହାରେ ବୁଲି ଦରମା ପାଉଛନ୍ତି । ବ୍ଲକରେ ଅନେକ ସ୍କୁଲ ଜଣେ ଶିକ୍ଷକରେ ଚାଲୁଥିବାବେଳେ ଜଣେ ଶିକ୍ଷକ ବାହାରେ ବୁଲି କିପରି ଦରମା ପାଉଛନ୍ତି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେହିପରି ବ୍ଲକରେ ନୁତନକରି ହୋଇଥିବା ସି.ଆର.ସି.ସି ନିଯୁକ୍ତିରେ ଅନିୟମିତତା ହୋଇଥିବା ଅଭିଯୋଗ ହେଉଛି । ଚାକିରିକାଳ ୫ବର୍ଷ ନଥିବା ଶିକ୍ଷକଙ୍କୁ ସିଆରସିସିରେ ନିଯୁକ୍ତି ନକରିବା ପାଇଁ ଷ୍ପଷ୍ଟ ନିର୍ଦ୍ଦେଶ ଥିଲେବି ଏଠାରେ ତାହାକୁ ଖୋଲାଖୋଲି ଉଲଙ୍ଘନ କରାଯାଇ ୫ବର୍ଷରୁ କମ୍ ଥିବା ଜଣେ ଶିକ୍ଷକଙ୍କୁ ସିଆରସିସି ଭାବେ ନିଯୁକ୍ତି ଦିଆଯାଇଛି । ଏହି ଶିକ୍ଷକ ଜଣକ ଗତବର୍ଷ ସିଆରସିସି ପାଇଁ ଆବେଦନ କରିଥିବାବେଳେ ଚାକିରିକାଳ କମ୍ ଥିବାରୁ ତାଙ୍କ ନାମକୁ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସୁପାରିଶ କରିନଥିଲା । କିନ୍ତୁ ପୁନର୍ବାର ଚଳିତବର୍ଷ ତାଙ୍କ ନାମକୁ ସୁପାରିଶ କରି ତାଙ୍କୁ ସିଆରସିସିରେ ନିଯୁକ୍ତି ଦିଆଯାଇଛି । ଏ ସମ୍ପର୍କରେ ବିଇଓ କ୍ଷୀରୋଦ କୁମାର ତ୍ରିପାଠୀଙ୍କୁ ପଚାରିବାରେ ସେ ହାଟଡିହି ବ୍ଲକରେ ଯୋଗଦେବା ପୁର୍ବରୁ ସିଆରସିସି ନିଯୁକ୍ତି ସରିଥିବାବେଳେ ସେ ବାବଦରେ କଣ ହୋଇଛି ଜାଣି ନାହାନ୍ତି ଓ ବାଙ୍ଗୋର କ୍ଲଷ୍ଟରରେ ଦୁଇଜଣ ସିଆରସିସି ନିଯୁକ୍ତି ଥିବା ତାଙ୍କର ଦୃଷ୍ଟି ଗୋଚର ହୋଇଛି ଓ ଅତିଶିଘ୍ର ପଦକ୍ଷେପ ନେବେ ବୋଲି କହିଛନ୍ତି ।


