ହାଟଡିହି ବ୍ଲକରେ ଜଣେ ଶିକ୍ଷକରେ ଚାଲିଛି ୯ଟି ପ୍ରାଥମିକ ବିଦ୍ୟାଳୟ
ହାଟଡିହିି, (ବିକାଶ ବିଶ୍ୱାଳ):ରାଜ୍ୟ ସରକାର ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦେଇ ବିଦ୍ୟାଳୟର ସୌନ୍ଦøର୍ଯ୍ୟ କରିବା ସହିତ ସଭିଏଁ ପଢ଼ିବେ ସଭିଏଁ ବଢ଼ିବେ ବୋଲି ଦେଉଥିବା ଶ୍ଳୋଗାନ କେବଳ କାଗଜ କଲମରେ ସିମିତ ହୋଇ ରହିଯାଇଛି । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକରେ । ପ୍ରାଥମିକ ଶିକ୍ଷା ପାଇଁ ହାଟଡିହି ବ୍ଲକରେ ୧୧୧ଟି ପ୍ରାଥମିକ ବିଦ୍ୟାଳୟ ୮୯ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ୪୭ଟି ହାଇସ୍କୁଲ ରହିଛି । ତନ୍ମଧ୍ୟରୁ ୯ଟି ପ୍ରାଥମିକ ବିଦ୍ୟାଳୟ କେବଳ ଜଣେ ଶିକ୍ଷକରେ ଚାଲିଥିବାବେଳେ ୮୯ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଧ୍ୟରୁ ୮ଟି ଏମ.ଇ ସ୍କୁଲ ବନ୍ଦ ହୋଇ ଗଲାଣି । ୪୭ଟି ହାଇସ୍କୁଲ ମଧ୍ୟରୁ ୬ଟି ହାଇସ୍କୁଲରେ କମ ସଂଖ୍ୟକ ଶିକ୍ଷକ ଥିବାରୁ ଶିକ୍ଷାଦାନ ଠିକ ଭାବେ ହୋଇପାରୁନି । ବ୍ଲକର ସୁଲଣ ପ୍ରାଥମିକ ବିଦ୍ୟାଳୟରେ ୫ଟି ଶ୍ରେଣୀକୁ ଜଣେ ଶିକ୍ଷକ ଥିବାବେଳେ ଏଠାରେ ଶିକ୍ଷାଦାନ ସମ୍ପୁର୍ଣ୍ଣ ଠପ ହୋଇ ପଡିଛି । ଶିକ୍ଷକ ଜଣକ ଛାତ୍ରଛାତ୍ରୀଙ୍କ ପ୍ରାର୍ଥନା, ଉପସ୍ଥାନ, ମଧ୍ୟାହ୍ନ ଭୋଜନ ଦାୟିତ୍ୱ ବୁଝୁ ବୁଝୁ ସମୟ ସରି ଯାଉଛି ଯେ ଶିକ୍ଷାଦାନ କଣ କରିବେ । ଏପରିକି ଶିକ୍ଷକ ଜଣକ ଅଫିସ କାର୍ଯ୍ୟରେ କି ଛୁଟିରେ ରହିଲେ ସ୍କୁଲରେ ଏକ ପ୍ରକାର ତାଲା ପଡୁଛି । ସେହିପରି ତରାଗଡିଆ ପ୍ରାଥମିକ ବିଦ୍ୟାଳୟରେ ୫ଟି ଶ୍ରେଣୀକୁ ଜଣେ ଶିକ୍ଷକ, ମଢ଼େଇ ସାହି ପ୍ରାଥମିକ ବିଦ୍ୟାଳୟରେ ଜଣେ ଶିକ୍ଷକ, କାଠିଆସରା ପ୍ରାତମିକ ବିଦ୍ୟାଳୟରେ ୫ଟି ଶ୍ରେଣୀକୁ ଜଣେ ଶିକ୍ଷକ, କୁଆଡ ପ୍ରାଥମିକ ବିଦ୍ୟାଳୟରେ ୫ଟି ଶ୍ରେଣୀକୁ ଜଣେ ଶିକ୍ଷକ, ବନ୍ତଳା ପ୍ରାଥମିକ ବିଦ୍ୟାଳୟ, ଦଶରଥପୁର କନକମ୍ପା ପ୍ରାଥମିକ ବିଦ୍ୟାଳୟରେ ଜଣେ ଶିକ୍ଷକ, ଇଶଳା ପ୍ରାଥମିକ ବିଦ୍ୟାଳୟ, ପଦାରୁଖା ପ୍ରାଥମିକ ବିଦ୍ୟାଳୟରେ ଜଣେ ଶିକ୍ଷକରେ ସ୍କୁଲ ଗୁଡିକ ଚାଲୁଥିବା ଦେଖିବାକୁ ମିଳିଛି । ୫ଟି ଶ୍ରେଣୀ ପାଇଁ ଜଣେ ଲେଖାଏଁ ଶିକ୍ଷକ ଥିବାରୁ ଶିକ୍ଷକ ଜଣକ କେବଳ ଛାତ୍ରଛାତ୍ରୀ ମାନଙ୍କ ଜଗି ବସିବା ସାର ହେଉଛି । ଶିକ୍ଷାବର୍ଷର ଅଧା ହେବାକୁ ବସିଥିବାବେଳେ ଏହିସବୁ ବିଦ୍ୟାଳୟରେ ଶିକ୍ଷାଦାନ ଆରମ୍ଭ ହୋଇନାହିଁ କହିଲେ ଚଳେ । ସରକାର କଣପାଇଁ ଏହି ସ୍କୁଲ ସବୁ ରଖିଛନ୍ତି ଓ ଆମେ କାହିଁକି ଆମ ପିଲାମାନଙ୍କୁ ବିଦ୍ୟାଳୟକୁ ପଠାଇବୁ ବୋଲି ଅଭିଭାବକ ମାନେ ପ୍ରଶ୍ନ କରିଛନ୍ତି । ଆମ ଛୁଆମାନେ କଣ ଖାଇବାକୁ ପାଉ ନାହାନ୍ତି କି, ଖାଲି କଣ ଅଣ୍ଡା ଓ ଭାତ ଦେଇଦେଲେ ଆମ ଛୁଆମାନେ ଶିକ୍ଷାଲାଭ କରିବେ, ଏପରି ଅନେକ ପ୍ରଶ୍ନ ଏବେ ଅଭିଭାବକମାନେ କରୁଛନ୍ତି । ବାସ୍ତବରେ ସରକାରଙ୍କ ଶିକ୍ଷାନୀତି ଏବେ ସମ୍ପୁର୍ଣ୍ଣ ଭୁଷୁଡି ପଡିଛି । କେବଳ ରାଜନୈତିକ ଡଫାଇଦା ଲକ୍ଷରେ ଛୁଆଙ୍କ ସହିତ ଖେଳ ଖେଳୁଛନ୍ତି ବୋଲି ବରଜେପି ନେତା ଆଲୋକ ସେଠୀ ମତବ୍ୟକ୍ତ କରିଛନ୍ତି । ଖାଲି ସେତିକି ନୁହଁ ହାଟଡିହି ବ୍ଲକରେ ୮୯ଟି ଏମ.ଇ ସ୍କୁଲ ଥିବାବେଳେ ୨୫ଟି ନୁତନ ଅନୁଦାନ ପ୍ରାପ୍ତ ଓ ୧୨ଟି ଅନୁଦାନପ୍ରାପ୍ତ ଏମ.ଇ ସ୍କୁଲ ଥିଲା । ତନ୍ମଧ୍ୟରୁ ଆବଶ୍ୟକ ଭିତ୍ତିଭୁମି ଥାଇ ମଧ୍ୟ ଶିକ୍ଷକ ନିଯୁକ୍ତି ନଥିବାରୁ ୮ଟି ସ୍କୁଲ ବନ୍ଦ ହୋଇଗଲାଣି । ଯାହା ଦ୍ୱାରାକି କୁନି କୁନି ଛାତ୍ରଛାତ୍ରୀ ମାନେ ଦୁର ଦୁରାନ୍ତ ସ୍କୁଲକୁ ପଢ଼ିବାକୁ ଯାଇ ନାନା ଅସୁବିଧା ଭୋଗ କରୁଛନ୍ତି । ଏପରିକି ଅନେକ ଛାତ୍ରଛାତ୍ରୀ ତିନି ଚାରି କିଲୋମିଟର ଦୁର ସ୍କୁଲକୁ ଯିବାକୁ ଅମଙ୍ଗ ହୋଇ ସ୍କୁଲ ନଯାଇ ପାଠ ଛାଡିଦେଲେଣି । ତେଣୁ ସରକାର ଏହିସବୁ ବିଦ୍ୟାଳୟ ଗୁଡିକରେ ଶିକ୍ଷକ ନିଯୁକ୍ତି ଦେଇ ସ୍କୁଲ ଗୁଡିକୁ ପୁନଃ ଚାଲୁ କରିବାପାଇଁ ଶ୍ରୀ ସେଠୀ ଦାବି କରିଛନ୍ତି ।