ହାଟଡିହି ବ୍ଲକର ବିଭିନ୍ନ ସ୍ଥାନରେ ଶ୍ରୀ ଅରବିନ୍ଦ ଆଧ୍ୟାତ୍ମିକ ରଥକୁ ବିପୁଳ ସମ୍ବର୍ଦ୍ଧନା
ହାଟଡିହି, (ବିକାଶ ବିଶ୍ୱାଳ):ଶ୍ରୀ ଅରବିନ୍ଦଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଅତିମାନସ ଚେତନା ଜାଗରଣ ଯାତ୍ରା ଅଭିମୁଖେ ବାହାରିଥିବା ଆଧ୍ୟାତ୍ମିକ ରଥକୁ ଆଜି ହାଟଡିହି ବ୍ଲକର ବିଭିନ୍ନ ସ୍ଥାନରେ ବିପୁଳ ସମ୍ବର୍ଦ୍ଧନେ ଦିଆଯାଇଛି । ଗତକାଲି ଅପରାହ୍ନରେ ଏହି ରଥ ହାଟଡିହି ବ୍ଲକକୁ ପ୍ରବେଶ କରିବାବେଳେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ତରତରା ଛକ ନିକଟରେ ସ୍ୱାଗତ କରିବାପରେ ରଥ ବଞ୍ଚୋ ଓ ପରେ ମୁଗୁପୁର ଯାଇ ସେଠାରେ ଆଧ୍ୟାତ୍ମିକ ଚେତନାର ପ୍ରଚାର ସହିତ ରାତ୍ରୀଯାପନ କରିଥିଲା । ଆଜି ସକାଳୁ ମୁଗୁପୁରରୁ ରଥ ବାହାରି ସୁଲଣ, ଛେନାପଦିଛକ, ସଢ଼ା, ହଦଗଡ, ବାଙ୍ଗୋର, ବିଦ୍ୟାଧରପୁର, ସୋସୋ, ଢ଼େଙ୍କା, ତେନ୍ତୁଲିନଣ୍ଡା, ଓରାଳି, କଳିଗାଁ, ମରୈଗାଁ, ହାଟଡିହି ଆଦି ଅଞ୍ଚଳ ପରିକ୍ରମା କରିବାପରେ ଶାସଙ୍ଗ ଠାରେ ଏହାର ଉଦଯାପନ କରାଯାଇଥିଲା । ବିଭିନ୍ନ ସ୍ଥାନକୁ ପରିକ୍ରମା ସମୟରେ ଛାତ୍ରଛାତ୍ରୀ, ବୁଦ୍ଧିଜିବୀ, ଶ୍ରଦ୍ଧାଳୁମାନେ ରଥକୁ ବିପୁଳ ସଂଖ୍ୟାରେ ରହି ସ୍ୱାଗତ କରୁଥିବା ଦେଖିବାକୁ ମିଳିଥିଲା । ଶାସଙ୍ଗ ପଞ୍ଚାୟତ ହାଇସ୍କୁଲ ଠାରେ ଅନୁଷ୍ଠିତ ଏହି ଉଦଯାପନି ଉତ୍ସବରେ ହାଟଡିହି ବ୍ଲକର ବିଡିଓ ବିନିତା ବିଜୟିନୀ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଜିଲ୍ଲାପରିଷଦ ସଦସ୍ୟ ବିମ୍ବାଧର ବିଶ୍ୱାଳ, ସିଡିପିଓ ସରସ୍ୱତୀ ସେଠୀ, ହାଟଡିହି ପଞ୍ଚାୟତର ସରପଞ୍ଚ ଚିନ୍ମୟ ନାୟକ, ଶାସଙ୍ଗ ପଞ୍ଚାୟତର ସରପଞ୍ଚ ମଧୁମିତା ସ୍ୱାଇଁ ପ୍ରମୁଖ ଠାକୁରଙ୍କ ରଥରେ ପୁଷ୍ପଗୁଚ୍ଛ ଦେଇ ଆଶିଷ ଭିକ୍ଷା କରିଥିଲେ । ଏନସିସି ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ୟାରେଡ କରାଯାଇଥିବାବେଳେ ଛାତ୍ରୀ ମାନଙ୍କ ଦ୍ୱାରା ଶ୍ରୀମା ଶ୍ରୀଅରବିନ୍ଦଙ୍କ ଉଦେ୍ଦଶ୍ୟରେ ଏକ ନୃତ୍ୟ ସଙ୍ଗୀତ ପ୍ରଦର୍ଷିତ କରାଯାଇଥିଲା । ଏଥିରେ ପୁରୀଜିଲ୍ଲା ଶ୍ରୀ ଅରବିନ୍ଧ ପାଠଚକ୍ରର ସଂଗଠନର ସୁକାନ୍ତ ଭାଇ, କେନ୍ଦୁଝର ଜିଲ୍ଲା ସଂଗଠନର ଶ୍ରୀକାନ୍ତ ଭାଇ, ଏନଏଲଇଟି ଜେନେରାଲ ଅର୍ଗାନାଇଜେସନର ପୁର୍ଣ୍ଣ ଭାଇ, ଏନଏଲଇଟି ର ଆଞ୍ଚଳିକ ସଂଗଠକ ରାଜନ ଭାଇ, ଜିଲ୍ଲା କୋଷାଧ୍ୟକ୍ଷ ଶିବ ଭାଇ, ଜାଗରଣ ଯାତ୍ରା ସଂଗଠନର କେଦାର ଭାଇ, ଭଦ୍ରକ ଜିଲ୍ଲା ସଂଗଠନର ପିତବାସ ଭାଇ, ହାଟଡିହି ବ୍ଲକ ଶ୍ରୀମା ଶ୍ରୀ ଅରବିନ୍ଦ ପାଠଚକ୍ର ସମ୍ପାଦକ ସନାତନ ଭାଇ, ସଭାପତି ରାଧାଅପା, ଜିଲ୍ଲା କାର୍ଯ୍ୟକାରୀ ସଦସ୍ୟ ଗୟାଧର ଭାଇ, ଜାଗରଣଯାତ୍ରା ସଂଗଠନ ସଦସ୍ୟ ବିଦ୍ୟାଧର ଭାଇ, ସୁଦର୍ଶନ ଭାଇ, ସୁରେନ୍ଦ୍ର ଭାଇ, ମାଧ ଭାଇ, କାମିନୀ ଅପା, କାଳନ୍ଦି ଭାଇ, ଗୋଲକ ଭାଇ, ରୁକ୍ମିଣୀ ଅପା, ଭାମା ଅପା, ଶ୍ରୀନିବାସ ଭାଇଙ୍କ ସମେତ ଶତାଧିକ ଅପା ଭାଇ ମାନେ ଯୋଗଦେଇଥିଲେ । ଶାସଙ୍ଗ ହାଇସ୍କୁଲର ପ୍ରଧାନ ଶିକ୍ଷକ ନବ କିଶୋର ବିଶ୍ୱାଳ, ରାଧାକୃଷ୍ଣ ପତି, ଶିଶିର କୁମାର ବିଶ୍ୱାଳ, ପଦ୍ମନାଭ ପଣ୍ଡା, ଲକ୍ଷ୍ମୀକାନ୍ତ ମିଶ୍ର, ମାଧବାନନ୍ଦ ଜେନା, ଶାନ୍ତନୁ କୁମାର ରାଉତ, ନବଘନ ନାୟକ, ପ୍ରଦୀପ କୁମାର ସ୍ୱାଇଁ, ରମେଶ ଚନ୍ଦ୍ର ନାୟକ, ପର୍ଶୁରାମ ନାୟକ, ସତ୍ୟବ୍ରତ ବିଶ୍ୱାଳ ଓ ଅନେକ ପୁରାତନ ଛାତ୍ରଛାତ୍ରୀ ୁପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।