ହାତୀ ଘଉଡାଇବାକୁ ଯାଇ ଜଣେ ଆହତ
ହାଟଡ଼ିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ଅଁରା ଗ୍ରାମରେ ପସିଲା ଗୋଠ ଛଡା ଦନ୍ତା, ଆଜି ସକାଳୁ ସକାଳୁ ଗୋଟିଏ ଦନ୍ତା ହାତୀ ହଦଗଡ଼ ଜଙ୍ଗଲରୁ ପଳାଇ ଆସି ନନ୍ଦିପଦା ଥାନା ଅଞ୍ଚଳରେ । ଗତକାଲି ରାତିରେ ହାତୀଟି ଶାଳବଣି ଛକରେ ଥିବାବେଳେ ବନ ବିଭାଗର କର୍ମଚାରୀ ମାନେ ହାତୀଟିକୁ ଜଗି ରହିଥିଲେ। କିନ୍ତୁ ଅତ୍ୟଧିକ କୁହୁଡି ଯୋଗୁଁ ହାତୀଟି ବନ କର୍ମଚାରୀଙ୍କ ନଜରରୁ ପଳାଇଥିଲା। ରାତାରାତି ଦଧିବାବନପୁର, ବଞ୍ଚୋ, ଶାସଙ୍ଗ, ରମ୍ପାସ ପ୍ରଭୃତି ଗ୍ରାମ ଅତିକ୍ରମ କରି ଆଜି ସକାଳୁ ସକାଳୁ ମୁଦୁଲିପଦା ଗାଁ ରେ ପହଞ୍ଚିଥିଲା। ଗାଁ ଲୋକଙ୍କ ଧାନ ଜମିରେ ହାତୀଟି ପଶି ଧାନ ନଷ୍ଟ କରୁଥିବାରୁ ଲୋକମାନେ ହାତୀଟିକୁ ଘଉଡ଼ାଇ ଥିଲେ। ଫଳରେ ହାତୀଟି ଅଁରା ଗାଁ ଭିତରେ ପସିଥିଲା। ହାତୀ ଘଉଡ଼ାଇବାକୁ ଯାଇ କଳି ଗାଁ ଗ୍ରାମର ଜଗବନ୍ଧୁ ସାହୁ ଆହତ ହୋଇଛନ୍ତି। ହାତୀ ଘଉଡାଉଥିବା ବେଳେ ହାତୀଟି ଫେରିପଡି ଲୋକଙ୍କୁ ଗୋଡ଼ାଇବାରୁ ଜଗବନ୍ଧୁ ଏକ ଗଛରେ ବାଡେଇ ହୋଇ କ୍ଷତାକ୍ତ ହୋଇଛନ୍ତି। ଖବର ପାଇ ହଦଗଡ଼ ଜଙ୍ଗଲ ବିଭାଗର ଅଧିକାରୀ, କର୍ମଚାରୀ ମାନେ ଏବଂ ନନ୍ଦିପଦା ପୁଲିସ ଘଟଣାସ୍ଥଳରେ ଉପସ୍ଥିତ ରହି ଲୋକଙ୍କୁ ହାତୀ ଠାରୁ ଦୂରେଇ ରହିବାକୁ ସଚେତନ କରିଥିଲେ। ଗାଁ ଭିତରେ ହାତୀଟି ପସିଯିବାରୁ ଲୋକେ ଆତଙ୍କିତ ହୋଇପଡିଥିଲେ। ପରେ ହାତୀଟି ଦିନସାରା ସରଳା ଗାଁ ନିକଟରେ ରହିଥିବା ବେଳେ ସନ୍ଧ୍ୟାରେ ହାତୀଟି ଭଦ୍ରକ ଜିଲ୍ଲାର ନାହାମି ଅଞ୍ଚଳକୁ ଯାଇଛି। କେନ୍ଦୁଝର ଓ ଭଦ୍ରକ ଜିଲ୍ଲାର ବନ କର୍ମଚାରୀ ମାନେ ହାତୀର ଚାରିପଟେ ଜଗି ରହିଛନ୍ତି।